ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। କୋଭିଡ କଟକଣା ଯୋଗୁଁ ନିର୍ବାଚନ ପ୍ରାଚାର ଠିକ୍ ଭାବେ କରିପାରୁ ନଥିଲେ ପ୍ରାର୍ଥୀ। ମାତ୍ର ୫ ଜଣଙ୍କୁ ସାଙ୍ଗରେ ଧରି ପ୍ରଚାର ପାଇଁ ପ୍ରାର୍ଥୀଙ୍କୁ ଅନୁମତି ଦିଆଯାଇଥିଲା। ଏଣିକି ୫ ନୁହେଁ ୨୦ ଜଣଙ୍କୁ ସାଙ୍ଗରେ ଧରି ଘରକୁ ଘର ବୁଲି ଭୋଟ ପାଇଁ ପ୍ରଚାର କରିପାରିବେ ପ୍ରାର୍ଥୀ। ଏହା ସହ ୩୦୦ ଜଣଙ୍କୁ ନେଇ ନିର୍ବାଚନୀ ସଭା କରିପାରିବେ ରାଜନୈତିକ ଦଳମାନେ। ରାଜ୍ୟରେ କୋଭିଡ ସଂକ୍ରମଣ ହାର କମୁଥିବାରୁ ପୂର୍ବରୁ ଲାଗୁ ହୋଇଥିବା ନିର୍ବାଚନ କଟକଣାକୁ କୋହଳ କରାଯାଇ ଏହି ନିଷ୍ପତ୍ତି ହୋଇଥିବା ସୋମବାର ପଞ୍ଚାୟତ ନିର୍ବାଚନ ପରିଚାଳନା ବୈଠକରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି।

ରାଜ୍ୟରେ କୋଭିଡ ସ୍ଥିତି ଚିନ୍ତାଜନକ ଥିବାରୁ ଏହାକୁ ଦେଖି ନିର୍ବାଚନ ପାଇଁ କଟକଣା ଲାଗୁ କରାଯାଇଥିଲା। ମାତ୍ର ୫ ଜଣ ସମର୍ଥକଙ୍କୁ ନେଇ ଘରକୁ ଘର ବୁଲି ପ୍ରଚାର କରିବା ପାଇଁ ପ୍ରାର୍ଥୀଙ୍କୁ ଅନୁମତି ଦିଆଯାଇଥିଲା। ଏହା ସହ କୌଣସି ନିର୍ବାଚନୀ ସଭା କରିବାକୁ ଅନୁମତି ନଥିଲା। ରୋଡ ସୋ’, ସାଇକେଲ ରାଲି, ବାଇକ୍ ରାଲି ଏବଂ ପଦଯାତ୍ରାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିଲା।

କୋଭିଡ ସ୍ଥିତି ସୁଧୁରୁଥିବାରୁ ଏବଂ ବିଭିନ୍ନ ଦଳଗୁଡ଼ିକର ଦାବିକୁ ଦୃଷ୍ଟିରେ ରଖି ନିର୍ବାଚନ କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଛି। ନିର୍ବାଚନ ପ୍ରଚାର ପାଇଁ ପ୍ରାର୍ଥୀମାନଙ୍କ ହାତରେ ମାତ୍ର ୭ ଦିନ ସମୟ ରହିଛି। ଏହି ସମୟ ମଧ୍ୟରେ ପ୍ରାର୍ଥୀମାନେ ୨୦ ଜଣ ସମର୍ଥକଙ୍କୁ ନେଇ ଘରକୁ ଘର ବୁଲି ଭୋଟ ମାଗିବେ। ନିର୍ବାଚନୀ ସଭାକୁ ଅନୁମତି ଦିଆଯାଇଥିବାବେଳେ ଏଥିରେ ୩୦୦ ଜଣ ସାମିଲ ହୋଇପାରିବେ।

ପଞ୍ଚାୟତ ନିର୍ବାଚନ ପରିଚାଳନା ବୈଠକ ପୂର୍ବରୁ ସୋମବାର ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ନିର୍ବାଚନ କମିଶନର ଭର୍ଚୁଆଲ ମିଟିଂ କରିଛନ୍ତି। ନିର୍ବାଚନ ପରିଚାଳନାରେ ସାମିଲ ହୋଇଥିବା ସଦସ୍ୟଙ୍କ ମଧ୍ୟରୁ ୮୦ରୁ ୯୦ ପ୍ରତିଶତଙ୍କୁ ପ୍ରିକସନ ଡୋଜ ଦିଆଯାଇଛି। ଅନ୍ୟମାନଙ୍କୁ ତୁରନ୍ତ ପ୍ରିୟକସନ ଡୋଜ ଦିଆଯିବାର କାର୍ଯ୍ୟକ୍ରମ ରହିଛି। ଏହା ସହ ନିର୍ବାଚନ ପରିଚାଳନା ଦାୟିତ୍ଵରେ ରହିଥିବା ସମସ୍ତଙ୍କର ଟ୍ରେନିଂ ସରିଛି। ଯେଉଁମାନ ଟ୍ରେନିଂ ନେଇ ନାହାନ୍ତି ଆସନ୍ତା ଦୁଇ ଦିନ ମଧ୍ୟରେ ସେମାନଙ୍କୁ ଟ୍ରେନିଂ ଦିଆଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here