ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଏସ୍‌ଡିସି କପ୍‌ ୨୦୨୦ ଫୁଟ୍‌ବଲ ଚାମ୍ପିଅନ୍‌ସିପ୍‌ ପୁରୁଷ ବିଭାଗରେ ବି ଟାଇଟଲ୍‌ ଜିତିଲା ସୁନ୍ଦରଗଡ଼ ଦଳ। ଫାଇନାଲ ମ୍ୟାଚ୍‌ରେ ସୁନ୍ଦରଗଡ଼ ଦଳ ବାରିପଦାକୁ ୪-୧ ଗୋଲରେ ପରାସ୍ତ କରି ଚାମ୍ପିଅନ୍‌ ହୋଇଛି।

ଆଦିବାସୀ ପିଲାଙ୍କ ମଧ୍ୟରେ ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ବିଶେଷକରି ଫୁଟ୍‌ବଲ୍‌କୁ ପ୍ରୋତ୍ସାହିତ କରିବା ପାଇଁ ଆରମ୍ଭ କରାଯାଇଛି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଏସ୍‌ଡିସି କପ୍‌ ୨୦୨୦।

ଗୁରୁବାର କଟକ ବାରବାଟୀ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଆରମ୍ଭ ହୋଇଥିଲା। ଏହି ମ୍ୟାଚ୍‌ର ଆରମ୍ଭରୁ ସୁନ୍ଦରଗଡ଼ ଟିମ୍‌ ତାଙ୍କର ଟାଣୁଆ ପ୍ରଦର୍ଶନ କରିଥିଲେ। ଶେଷରେ ସେମାନେ ୪-୧ ଗୋଲରେ ବାରିପଦାକୁ ପରାସ୍ତ କରିଥିଲେ।

ସୁନ୍ଦରଗଡ଼ ଟିମ୍‌ର ଅଧିନାୟକ କିଶୋର ଖାଡ଼ିଆ ଫାଇନାଲ ମ୍ୟାଚ୍‌ରେ ୨ଟି ଗୋଲ ଦେଇଥିଲେ।

ଏହି ସିରିଜ୍‌ରେ ସୁନ୍ଦରଗଡ଼ ପୁରୁଷ ଟିମ୍‌ ଭଲ ପ୍ରଦର୍ଶ କରିଥିଲା। ସିରିଜ୍‌ରେ ସୁନ୍ଦରଗଡ଼ ଦଳ ମୋଟ୍‌ ୪୧ଟି ଗୋଲ କରିଛି। ସେହିପରି ଦଳର ଲଢ଼ୁଆ ଅଧିନାୟକ କିଶୋର ଖାଡ଼ିଆ ସର୍ବାଧିକ ୯ଟି ଗୋଲ୍‌ ହାସଲ କରିଛନ୍ତି।

ସୁନ୍ଦରଗଡ଼ ପୁରୁଷ ଦଳର କୋଚ୍‌ ଥିଲେ ପ୍ରଶାନ୍ତ ପଟେଲ ଓ ନିତ୍ୟ କୁମାର ବାଲ। ସେହିପରି ସିନିୟର କୋଚ୍‌ ମ୍ୟାନେଜର ଥିଲେ ରୋମାଞ୍ଚ ବୈଶାଲ।

ସୁନ୍ଦରଗଡ଼ ପୁରୁଷ ଦଳର କୋଚ୍‌ ରୋମାଞ୍ଚ ବୈଶାଲ କହିଥିଲେ, ‘‘ଦଳର ପ୍ରଦର୍ଶନ ଅଧିନାୟକ କିଶୋର ଖାଡ଼ିଆଙ୍କ ଉପରେ ନିର୍ଭର କରୁଥିଲା। କିଶୋର ଭଲ ପ୍ରଦର୍ଶନ କରୁଥିବାରୁ ଦଳ ଚାମ୍ପିଅନ୍‌ ହୋଇଛି।’’

ଏହି ଟୁର୍ଣ୍ଣାମେଣ୍ଟରେ ପୁରୁଷ ବିଭାଗର ଚାମ୍ପିଅନ୍‌ ଦଳକୁ ୨ ଲକ୍ଷ ଟଙ୍କା ଓ ଟ୍ରଫି ଏବଂ ରନର୍ସ ଅପ୍‌ ଦଳକୁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯାଇଛି। ଏହାସହ ସୁନ୍ଦରଗଡ଼ ଟିମ୍‌ର ମୋହନ ମାଝିଙ୍କୁ ମ୍ୟାନ୍‌ ଅଫ୍ ଦି ମ୍ୟାଚ୍‌ ଭାବେ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ସେହିପରି ସୁନ୍ଦରଗଡ଼ର କିଶୋର ଖାଡ଼ିଆଙ୍କୁ ପ୍ଲେୟାର ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ ଭାବେ ୨୦ ହଜାର ଟଙ୍କା ଦେଇ ପୁରସ୍କୃତ କରାଯାଇଛି। ଟୁର୍ଣ୍ଣାମେଣ୍ଟରେ ବାରିପଦାର ରବି ହେମ୍ବ୍ରମ୍‌ଙ୍କୁ ଶ୍ରେଷ୍ଠ ଗୋଲ କିପର ଭାବେ ବିବେଚିତ କରାଯାଇଛି।

ସୁନ୍ଦରଗଡ଼ ପୁରୁଷ ଟିମ୍‌ର ଏହି ବିଜୟ ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଟିମ୍‌ର ସଦସ୍ୟ ଏବଂ ଅଫିସିଆଲମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Comment