ଓଡ଼ିଶାଲାଇଭ୍‌ ବ୍ୟୁରୋ

କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ମହିଳା ଫୁଟବଲ ହିରୋ ଗୋଲ୍‌ଡ କପ୍। ଶନିବାରଠାରୁ ଏହି ରୋମାଞ୍ଚକର ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଉଦଘାଟନୀ ମ୍ୟାଚରେ ମିଆଁମାର ନେପାଳକୁ ୩-୦ରେ ପରାସ୍ତ କରିଥିଲା।

ଦ୍ୱିତୀୟ ମ୍ୟାଚ ଭାରତ ଓ ଇରାନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଭାରତ ୧-୦ରେ ଇରାନକୁ ପରାସ୍ତ କରି ନିଜର ବିଜୟ ଅଭିଯାନ ଆରମ୍ଭ କରିଥିଲା। ଉଭୟ ଦଳ ମଧ୍ୟରେ କଡା ସଂଘର୍ଷ ହୋଇଥିଲେ ବି ମ୍ୟାଚରେ ପ୍ରଥମରୁ ନିଜର ଆଧିପତ୍ୟ ଜମାଇ ରଖିଥିବା ଭାରତ ମ୍ୟାଚର ପ୍ରଥମାର୍ଦ୍ଧରେ  କୌଣସି ଗୋଲ ଦେଇପାରି ନଥିଲା।

ଖେଳର ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ  ଭାରତୀୟ ଦଳର ଅଞ୍ଜୁ ତମାଙ୍ଗ ଗୋଟିଏ ଗୋଲ ଦେଇ ଭାରତକୁ ବିଜୟ ଆଡକୁ ନେଇଯାଇଥିଲେ। ଶେଷରେ ୧-୦ ରେ ହିଁ ଭାରତ ଇରାନ ମ୍ୟାଚ ସମାପ୍ତ ହୋଇଥିଲା।

ଶନିବାର ଉଦଘାଟନୀ ଉତ୍ସବରେ କ୍ରୀଡ଼ା ସଚିବ ବିଶାଲ ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସର୍ବ ଭାରତୀୟ ଫୁଟବଲ ମହାସଂଘର ବୈଷୟିକ ନିର୍ଦ୍ଦେଶକ ଅଭିଷେକ ଯାଦବ ଉପସ୍ଥିତ ରହିଥିଲେ।

ଭାରତୀୟ ଦଳ  ଇରାନକୁ ୧-୦ ଗୋଲରେ ପରାସ୍ତ କରି ନିଜ ଦଳର ମନୋବଳକୁ ସୁଦୃଢ କରିବା ସହ ବିଜୟର ସ୍ୱାଦ ଚାଖିଛି।

Comment