ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରୋନା ଭାଇରସ ଭୟ ରାଜ୍ୟର ଚିକେନ୍ ବ୍ୟବସାୟ ଉପରେ ବି ପ୍ରଭାବ ପକାଇବା ଆରମ୍ଭ କରିଛି। ନିଖିଳ ଓଡ଼ିଶା ପୋଲଟ୍ରି ଫୋରମ ପକ୍ଷରୁ କୁହାଯାଇଛି ଯେ, କରୋନା ଗୁଜବ ଯୋଗୁଁ ସମଗ୍ର ରାଜ୍ୟରେ  ବିଗତ କିଛି ସପ୍ତାହ ମଧ୍ୟରେ ଅଣ୍ଡା ଓ କୁକୁଡ଼ା ମାଂସ ବିକ୍ରି ଯଥେଷ୍ଟ ହ୍ରାସ ପାଇଛି। ମଞ୍ଚର ସଭାପତି ହରମୋହନ ଦାସ କହିଛନ୍ତି ଯେ, ଏହି ଗୁଜବ କାରଣରୁ କୁକୁଡା ମାଂସ ବ୍ୟବହାର ପାଖାପାଖି ୫୦ ପ୍ରତିଶତ କମିଛି।

ଆଗରୁ ଦୈନିକ ପ୍ରାୟ ୭୦ ଲକ୍ଷ କେଜି ଚିକେନ୍ ରାଜ୍ୟରେ କଟା ଯାଉଥିଲା। କୋରୋନା ଭୟ ଆସିବା ପରେ ତାହା ୪୦ ଲକ୍ଷ କେଜିକୁ ଖସି ଆସିଛି। ଏଥି ସହିତ ସେ ଜନସାଧାରଣଙ୍କୁ ଅଯଥା ଗୁଜବରେ ବିଶ୍ୱାସ ନକରିବା ପାଇଁ ଅନୁରୋଧ କରିଛନ୍ତି। ସୋସିଆଲ ମିଡିଆ ଓ ଅନ୍ୟାନ୍ୟ ମଞ୍ଚରେ ଚିକେନ୍ ଖାଇଲେ କୋରୋନା ଭାଇରସ ବ୍ୟାପିବା କଥା ଯାହା କୁହାଯାଉଛି ତାହା ଠିକ ନୁହେଁ ବୋଲି ସେ କହିଛନ୍ତି। ଦାସ ଏକଥା ମଧ୍ୟ କହିଛନ୍ତି ଯେ ଚିକେନ୍ କୋରୋନା ଭାଇରସର କାରଣ ନୁହେଁ ଓ ଲୋକେ ନିର୍ଭୟରେ କୁକୁଡ଼ାଜାତ ସାମଗ୍ରୀ ଖାଇପାରିବେ।

କୋରୋନା ଆତଙ୍କ ଯୋଗୁଁ ପୋଲଟ୍ରି ବେପାର ମାନ୍ଦା ପଡିଯିବା ସହ ଫାର୍ମମାନେ ବିପୁଳ କ୍ଷତି ସହଥିବା ବିଷୟ ସେ କ୍ଷୋଭର ସହିତ କହିଛନ୍ତି। ଏହି ମିଛ ଖବର ପାଇଁ ସେ ଫେସବୁକ ଭଳି ସୋସିଆଲ ମିଡିଆକୁ ପୂରା ଦାୟୀ କରିଛନ୍ତି।

ହରମୋହନ ଦାସ କହିଛନ୍ତି, ‘‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଠାରୁ ଆରମ୍ଭ କରି ଯେତେ ସଂସ୍ଥା ଅଛନ୍ତି ସେମାନେ କେହି କହିନାହାନ୍ତି ଯେ ଚିକେନ୍ କିମ୍ବା ଅଣ୍ଡା ଖାଇଲେ କରୋନା ଭାଇରସ ଦ୍ୱାରା ଆମେ ସଂକ୍ରମିତ ହେବା। ଗତ ମାସରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ସ୍ପଷ୍ଟୀକରଣ ଦେଇ କହିଥିଲା ଯେ ଚିକେନ୍ ଖାଇବା ନିରାପଦ ଓ କରୋନା ଭାଇରସ ସହିତ ତାର କୌଣସି ସମ୍ପର୍କ ନାହିଁ।’’

Comment