ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ହେବା ପରେ ନବୀନଙ୍କୁ ଧନ୍ୟବାଦ ଦେଲେ ମୁନା ଖାଁ।

“ପୂର୍ବରୁ ଯେତେଥର ରାଜ୍ୟସଭା ପାଇଁ ନିର୍ବାଚନ ହେଉଥିଲା, ସେତେବେଳେ ମୁଁ ସଂସଦ ଯିବାକୁ ଇଚ୍ଛା କରୁଥିଲି। ଆଜି ମୋର ସେଇ ଇଚ୍ଛା ପୂର୍ଣ୍ଣ ହୋଇଛି। ମୋତେ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବହୁତ ବହୁତ ଧନ୍ୟବାଦ।”

ବିଜେଡି ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ଏଥିରେ ସ୍ଥାନ ପାଇଥିବା ମୁନା ଖାଁଙ୍କର ଏ ଥିଲା ପ୍ରଥମ ପ୍ରତିକ୍ରିୟା।

ମୁଖ୍ୟମନ୍ତ୍ରୀ ତାଙ୍କ ନାଁ ରାଜ୍ୟସଭା ନିର୍ବାଚନ ପାଇଁ ଘୋଷଣା କରିବା ପରେ ସେ କହିଛନ୍ତି ଯେ, ଦୀର୍ଘ ବର୍ଷ ଧରି ସେ ଦଳ ପାଇଁ କାମ କରିଚାଲିଥିଲେ। କେତେବେଳେ ବି କୌଣସି ପଦ ପାଇଁ ଲବି କରିନଥିଲେ। ତେଣୁ ମୁଖ୍ୟମନ୍ତ୍ରୀ ଏବେ ତାଙ୍କୁ ତାଙ୍କ ପରିଶ୍ରମର ଫଳ ଦେଇଛନ୍ତି।

ଏଥିସହିତ ରାଜ୍ୟସଭା ନିର୍ବାଚନରେ ସେ ସ୍ଥାନ ପାଇବା ନେଇ ପୂର୍ବରୁ କୌଣସି ସୂଚନା ପାଇନଥିଲେ। ଅଚାନକ ଏହି ଖବର ପାଇବା ପରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି।

ମୁନା ଖାଁ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଆଗ ଧାଡ଼ିର ନାୟକ ଭାବେ ଖୁବ୍ ଜଣାଶୁଣା ଥିଲେ।। ଏହାପରେ ପରେ ସେ ବିଜୁ ଜନତା ଦଳର ଜଣେ ସକ୍ରିୟ ସଦସ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ନେତା ଭାବେ ସେ ଦଳରେ ପରିଚିତି ହାସଲ କରିଥିଲେ।

ବର୍ତ୍ତମାନ ମଧ୍ୟ ସେ ସଂଖ୍ୟାଲଘୁ ବିଭାଗର ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି। ନବୀନଙ୍କ ଏହି ଦାୟିତ୍ୱ ତାଙ୍କୁ ରାଜ୍ୟର ସମସ୍ୟାକୁ ସଂସଦରେ ଉପସ୍ଥାପନ କରିବାର ସୁଯୋଗ ଦେବ ବୋଲି ସେ କହିଛନ୍ତି।

ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ଶନିବାର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ନିର୍ବାଚନ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଚାରିଜଣ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏହି ତାଲିକାରେ ମୁନା ଖାଁଙ୍କ ସହିତ, ସୁଜିତ୍ କୁମାର, ସୁବାସ ସିଂହ ଓ ମମତା ମହନ୍ତଙ୍କ ନାଁ ରହିଛି।

Comment