ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ରାଜ୍ୟସଭା ନିର୍ବାଚନ ପାଇଁ ମହିଳା କାର୍ଡ ଖେଳିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ସବୁ ପ୍ରସଙ୍ଗରେ ମହିଳାମାନଙ୍କୁ ଗୁରୁତ୍ୱ ଦେଉଥିବା ନବୀନ ରାଜ୍ୟସଭା ନିର୍ବାଚନରେ ମଧ୍ୟ ସେହି ସମାନ କଥା ଦୋହରାଇଛନ୍ତି। ଶନିବାର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଚାରି ଜଣିଆ ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇଛନ୍ତି ଏକମାତ୍ର ମହିଳା ପ୍ରାର୍ଥୀ ମମତା ମହନ୍ତ।

ମମତାଙ୍କ ଘର ମୟୂରଭଞ୍ଜ ଜିଲ୍ଲାର ବିଶୋଇ ବ୍ଲକ ଅନ୍ତର୍ଗତ ନଙ୍ଗଳବେଣ୍ଟା ଗ୍ରାମରେ। ମୟୂରଭଞ୍ଜ ଜିଲ୍ଲାର ଜଣେ ପୁରୁଖା ବିଜେଡି ନେତ୍ରୀ ଭାବେ ସେ ଖୁବ୍ ପରିଚିତ। କଲେଜ୍ ସମୟରୁ ହିଁ ସେ ରାଜନୀତି ପ୍ରତି ରୁଚି ରଖୁଥିଲେ। ଏପରିକି ସେ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ପରିଷଦର ମଧ୍ୟ ସଦସ୍ୟ ରହିଥିଲେ।ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଉନ୍ନତି ଓ ସେମାନଙ୍କର ଅଗ୍ରଗତି ପାଇଁ ସେ ସବୁବେଳେ ଚେଷ୍ଟାରତ ଥିଲେ। ବିଜୁ ଜନତା ଦଳର ଜଣେ ମହିଳା କର୍ମୀଭାବେ ସେ ମୟୂରଭଞ୍ଜ ଜିଲ୍ଲାରେ ପରିଚିତ ହୋଇପାରିଥିଲେ। ମୟୂରଭଞ୍ଜ ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସୁସଙ୍ଗଠିତ କରିବା ସହିତ ଜିଲ୍ଲାର ମହିଳା ଶାଖାକୁ ସୁଦୃଢ଼ କରିଥିବାରୁ ମମତାଙ୍କୁ ରାଜ୍ୟସଭା ପୁରସ୍କାର ଦେଇଛନ୍ତି ନବୀନ।

ପ୍ରାର୍ଥୀ ଘୋଷଣା ହେବା ପରେ ଏବେ ମୟୂରଭଞ୍ଜ ଜିଲ୍ଲାରେ ବିଜେଡି କର୍ମୀ ଓ ମମତାଙ୍କ ସମର୍ଥକମାନେ ଉତ୍ସାହିତ ହୋଇପଡ଼ିଛନ୍ତି। ଅନ୍ୟପଟେ ମମତା ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜିଲ୍ଲାର ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ, ମୟୂରଭଞ୍ଜ ଜିଲ୍ଲା ବିଜେଡି ସଭାପତି ଓ ସ୍ଥାନୀୟ ବିଧାୟକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରାଜ୍ୟସଭାରେ ସେ ମୟୂରଭଞ୍ଜ ଜିଲ୍ଲାର ସ୍ୱାର୍ଥ ପାଇଁ ସ୍ୱର ଉତ୍ତୋଳନ କରିବା ସହିତ ଜିଲ୍ଲାର ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି।

ନବୀନ ପଟ୍ଟନାୟକ ରାଜ୍ୟସଭା ନିର୍ବାଚନ ପାଇଁ ଶନିବାର ଚାରି ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏହି ତାଲିକାରେ ମୁନା ଖାଁ, ସୁଜିତ୍ କୁମାର, ସୁବାସ ସିଂ ଓ ମମତା ମହନ୍ତ ସାମିଲ ଅଛନ୍ତି।

Comment