ଓଡ଼ିଶାଲାଇଭ ବ୍ୟୁରୋ

ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ପାଲଟିଲେ ପ୍ରମିଳା ବିଷୋୟୀ। ଅନ୍ତର୍ଜାତୀୟ ମହିଳା ଦିବସରେ ଜାଣନ୍ତୁ କେମିତି ସଫଳତାର ପାହାଚ ଚଢ଼ିଲେ ଆସ୍କା ସାଂସଦ ପ୍ରମିଳା ବିଷୋୟୀ।

ପିଲାଟି ଦିନରୁ ନିଜେ ସ୍ୱାବଲମ୍ବୀ ହେବାର ସ୍ୱପ୍ନ ଦେଖିଥିଲେ। ନିଜ ଗୋଡ଼ରେ ଛିଡ଼ା ହେବା ପାଇଁ ଉଦ୍ୟମ କରିଥିଲେ। ହେଲେ ଅଳ୍ପ ପାଠପଢ଼ା ତାଙ୍କ ସ୍ୱାବଲମ୍ବୀ ସ୍ୱପ୍ନରେ ପ୍ରତିବନ୍ଧକ ସାଜିଥିଲା। ଶେଷର କିଛି ଉପାୟ ନପାଇ ଚେରମେରିଆ ଅଙ୍ଗନବାଡ଼ି ଏବଂ ପରେ ପ୍ରାଥମିକ ସ୍କୁଲରେ ମଧ୍ୟାହ୍ନଭୋଜନ ପାଚିକା ଭାବେ କାମ କରିଥିବା ମହିଳା ପ୍ରମିଳା ବିଷୋୟୀ ଆଜି ଲୋକସଭାର ସାଂସଦ ହୋଇ ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

ପ୍ରମିଳାଙ୍କ ପିଲା ଦିନ

୧୯୪୮ ମସିହା ସେପ୍ଟେମ୍ବର ୧୫ରେ ଗଞ୍ଜାମ ଜିଲ୍ଲା ଆସ୍କାର ତାଲୁକା ଅଞ୍ଚଳର ଏକ ଚାଷୀ ପରିବାରରେ ପ୍ରମିଳା ବିଷୋୟୀ ଜନ୍ମ ଗ୍ରହଣ କରିଥିଲେ। ସେତେବେଳେ ବାଲ୍ୟ ବିବାହ ପ୍ରଥା ପ୍ରଚଳିତ ଥିବାରୁ ପ୍ରମିଳାଙ୍କୁ ମାତ୍ର ୫ ବର୍ଷ ବୟସରେ ବିବାହ କରିବାକୁ ପଡ଼ିଥିଲା। ଚେରମେରିଆ ଗାଁର ବାଞ୍ଛାନିଧି ବିଷୋୟୀଙ୍କ ହାତ ଧରିଥିଲେ ପ୍ରମିଳା।

ପିଲାଟି ଦିନୁ ପ୍ରମିଳା ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମହିଳାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବାକୁ ଇଚ୍ଛା ରଖିଥିଲେ। ହେଲେ ପ୍ରମିଳାଙ୍କ ପାଖରେ କୌଣସି ସାଧନ ନଥିଲା। ଫଳରେ ପ୍ରମିଳା ଚେରମେରିଆ ଅଙ୍ଗନବାଡ଼ିରେ ପାଚିକା ଭାବରେ କାର୍ଯ୍ୟ କରିଥିଲେ। ଏହାପରେ ଚେରମେରିଆ ଗାଁ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ କରିଥିଲେ।

ପାଚିକାରୁ ମହିଳା ସ୍ୱୟଂସହାୟକ ଗୋଷ୍ଠୀ

ଦିନ ପରେ ଦିନ ଗଡ଼ି ଚାଲିଲା। ହେଲେ ପିଲାଟି ଦିନରୁ ଯେଉଁ ସ୍ୱପ୍ନ ଦେଖିଥିଲେ ପ୍ରମିଳା ତାହା ସାକାର ହୋଇପାରୁ ନଥିଲା। ରୋଷେଇ କାର୍ଯ୍ୟରେ ସେ ନିଜକୁ ବାନ୍ଧି ରଖିବାକୁ ଚାହୁଁ ନଥିଲେ। ନିଜେ କିଛି କରିବା ଉଦ୍ଦେଶ୍ୟରେ ୨୦୦୧ ମସିହାରେ ଚେରମେରିଆ ଗାଁ ରେ ସାତଶଙ୍ଖ ନାମକ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ। ଏହି ସ୍ୱୟଂ ସହାୟକ ଗୋଷ୍ଠୀ ଆରମ୍ଭ କରିବା ପାଇଁ ପ୍ରମିଳା ପ୍ରତ୍ୟେକ ମହିଳାଙ୍କଠାରୁ କେବଳ ୬୦ ଟଙ୍କା ଆଣିଥିଲେ। ଏହି ସ୍ୱୟଂ ସହାୟକ ଗୋଷ୍ଠୀରେ ପ୍ରାୟ ୭୦ ଜଣ ମହିଳା ଯୋଗ ଦେଇଥିଲେ। ସ୍ଥାନୀୟ ଅଞ୍ଚଳର ସ୍କୁଲମାନଙ୍କ ପାଇଁ ମଧ୍ୟାହ୍ନଭୋଜନ ପ୍ରସ୍ତୁତ କରିଥିଲା ଏହି ସ୍ୱୟଂ ସହାୟକ ଗୋଷ୍ଠୀ।

ଏହି ସ୍ୱୟଂ ଗୋଷ୍ଠୀ କେବଳ ଚେରମେରିଆ ଗାଁରେ ସୀମିତ ହୋଇ ରହିନଥିଲା। ଆଖ ପାଖ  ୨୭ଟି ପଞ୍ଚାୟତରେ ସେ ସ୍ୱୟଂ ସହାୟକ ଗୋଷ୍ଠୀ ଆରମ୍ଭ କରିଥିଲେ। ଏହି ସ୍ୱୟଂ ସହାୟକ ଗୋଷ୍ଠୀରେ ଶତାଧିକ ମହିଳା ଯୋଗ ଦେଇଥିଲେ। ବିଭିନ୍ନ ଜନକଲ୍ୟାଣକାରୀ କାମରେ ସାମିଲ ହୋଇଥିଲେ। ପ୍ରମିଳା ଯଦିଓ ଉଚ୍ଚ ଶିକ୍ଷିତା ନୁହନ୍ତି, ହେଲେ ନିଜ ନିଷ୍ଠା ବଳରେ ସେ ଏସବୁ କାମ କରିଥିଲେ। ଗାଁ ଗାଁ ବୁଲି ମହିଳାମାନଙ୍କୁ ଏକାଠି କରିଥିଲେ। ପ୍ରାୟ ୭୦ ହଜାର ମହିଳାଙ୍କୁ ଏକାଠି କରିଥିଲେ ପ୍ରମିଳା।

ମହିଳାଙ୍କୁ ଶସକ୍ତ କରିବା ସହ ପରିବେଶ ସୁରକ୍ଷା ଦିଗରେ ମଧ୍ୟ ପ୍ରମିଳା କାର୍ଯ୍ୟ କରିଥିଲେ। ପରିବେଶ ସୁରକ୍ଷା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଆରମ୍ଭ କରିଥିଲ ପ୍ରିମିଳା। ପ୍ରମିଳାଙ୍କ ନେତୃତ୍ୱରେ ମହିଳାମାନେ ଖୋଲାରେ ମଳମୂତ୍ର ତ୍ୟାଗ ନକରିବାକୁ ଲୋକଙ୍କୁ ସଚେତନ କରିଥିଲେ। ଫଳରେ ଚେରମେରିଆ ଗାଁକୁ ପ୍ରଥମ ଖୋଲା ପରିମଳ ମୁକ୍ତ ଗାଁ ଭାବେ ଘୋଷଣା କରାଯାଇଥିଲା। ଏହାସହ ମୟୂରମାନଙ୍କ ସୁରକ୍ଷା ପାଇଁ ସେ ‘ମୟୁର ସୁରକ୍ଷା ସମିତି’ ନାମରେ ଏକ ସଂଗଠନ ଗଢିଥିଲେ।  ଏହି ସମିତି ଚେରମେରିଆ ଗାଁ ପାଖ ପାକିଡ଼ି ପାହାଡ଼ରେ ମୟୂରମାନଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରିଥିଲା। ଏଥିପାଇଁ ପ୍ରମିଳାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ “ପ୍ରକୃତି ମିତ୍ର” ଓ “ପ୍ରକୃତି ବନ୍ଧୁ” ସମ୍ମାନରେ ସମ୍ମାନିତ କରାଯାଇଥିଲା।

ସ୍ୱୟଂ ସହାୟକ ଗୋଷ୍ଠୀରୁ ଲୋକସଭା

କଥାରେ ଅଛି କପାଳ ଲିଖନ କେ କରିବ ଆନ। ମହିଳାମାନଙ୍କୁ ଏକାଠି ସ୍ୱୟଂ ସହାକ ଗୋଷ୍ଠୀ ପରିଚାଳନା କରୁଥିବା ପ୍ରମିଳାଙ୍କ କପାଳରେ କିଛି ଅଲଗା ଲେଖାଥିଲା। ୨୦୧୯ ନିର୍ବାଚନରେ ଏହା ସଫଳ ହୋଇଛି। ମହିଳାଙ୍କୁ ଶସକ୍ତିକରଣ କ୍ଷେତ୍ରରେ ପ୍ରମିଳା ବିଶୋୟୀଙ୍କ ଅବଦାନ ଯୋଗୁଁ ତାଙ୍କୁ ବିଜେଡି ଆସ୍କା ଲୋକସଭା ଆସନ ପାଇଁ ଟିକଟ ଦେଇଥିଲା।

ପ୍ରମିଳାଙ୍କୁ ପ୍ରାର୍ଥୀ କରି ବିଜେଡ଼ି ମସ୍ତବଡ ଭୁଲ୍‌ କରିଥିବା ଚାରିଆଡ଼େ ଆଲୋଚନା ହେଲା। ରାଜନୀତି ବ୍ୟାକ୍‌ଗ୍ରାଉଣ୍ଡ ନଥିବା ସତ୍ତ୍ୱେ ଏହି ଆସନରୁ ଲଢି ପ୍ରମିଳା ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ଯେତେବେଳେ ନିର୍ବାଚନ ଫଳ ବାହାରିଲା ସମସ୍ତେ ତାଜୁବ୍‌ ହୋଇଗଲେ। ପ୍ରମିଳା ସବୁ କଳ୍ପନା ଜଳ୍ପନାକୁ ପଛରେ ପକାଇ ନିର୍ବାଚନ ଜିତିଲେ। ଏବେ ସେ ସାଂସଦ ଅଛନ୍ତି। ଗଞ୍ଜାମ ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀରୁ ଆସିଥିବା ପ୍ରମିଳା ୨୦୧୯ରେ ରାତାରାତି ଚର୍ଚ୍ଚିତ ଚେହେରା ପାଲଟି ଯାଇଥିଲେ।

ସାଂସଦ ହେବା ପରେ ମଧ୍ୟ ପ୍ରମିଳା ସାଧାରଣ ଜୀବନ ବିତାଉଛନ୍ତି। ପ୍ରମିଳାଙ୍କ ଦୁଇଜଣ ପୁଅ ଅଛନ୍ତି। ବଡ଼ ପୁଅ ଚେରମେରିଆ ଗାଁ ଛକରେ ଚା’ ଦୋକାନ କରିଛନ୍ତି। ସେହିଭଳି ସାନ ପୁଅ ଗାଁ ବଜାରରେ ଏକ ବାଇକ୍ ଗ୍ୟାରେଜ କରି ନିଜ ପେଟ ପୋଷୁଛନ୍ତି। ବର୍ତ୍ତମାନ ପ୍ରମିଳାଙ୍କ ପାଖରେ ଏକ ଏକରରୁ ବି କମ୍ ଜମି ରହିଛି। ମହିଳାଙ୍କ ପାଇଁ ଆସ୍କା ସାଂସଦ ପ୍ରମିଳା ବିଷୋୟୀ ପାଲଟିଛନ୍ତି ଏକ ପ୍ରମୁଖ ଉଦାହରଣ।

Comment