ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ରାଜ୍ୟସଭା ପଦ ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚାରି ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ଏବେ ପ୍ରଶ୍ନ ଉଠୁଛି ଯେଉଁମାନେ ଟିକେଟ ପାଇନାହାନ୍ତି ସେମାନେ କ’ଣ କରିବେ?

ଶନିବାର ଦିନ ନବୀନ ଯେଉଁ ଚାରୋଟି ନୂଆ ମୁହଁକୁ ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଭାବେ ଠିଆ କରାଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଜେଡି ରାଜନୀତିରେ ସବୁ ବେଳେ ଗୋଟିଏ ସମସ୍ୟା ରହି ଆସିଛି ଯେ ପ୍ରାର୍ଥୀ ବେଶୀ, ପଦ କମ। କେବଳ ରାଜ୍ୟସଭା ନିର୍ବାଚନ ନୁହେଁ ଅନ୍ୟ ସମୟରେ ମଧ୍ୟ ଏହା ନବୀନଙ୍କୁ ଅଡୁଆରେ ପକାଇଛି। ଅବଶ୍ୟ ଦଳର ସର୍ବେସର୍ବା ହୋଇଥିବା କାରଣରୁ ନବୀନ ଯାହାକୁ ଯେତେବେଳେ ଯେଉଁଠି ଥୋଇଛନ୍ତି ତାହାକୁ ସନ୍ତୁଷ୍ଟ – ଅସନ୍ତୁଷ୍ଟ ସମସ୍ତେ ମାନି ନେଇଛନ୍ତି କିନ୍ତୁ ଅସଲ ପ୍ରଶ୍ନ ହେଉଛି ଯେଉଁମାନଙ୍କୁ ନବୀନ ଏଥର ଓ ପୂର୍ବଥର  ହତାଶ କରିଛନ୍ତି ସେମାନେ କୁଆଡେ ଯିବେ?ଉଦାହରଣ ସ୍ୱରୂପ, ପ୍ରସନ୍ନ ପାଟ୍ଟଶାଣୀ ଦୁଇ ବର୍ଷ ହେଲା ଲଗାତାର ଟିକେଟ ଦୌଡ଼ରେ  ବଞ୍ଚିତ ହୋଇ ଚାଲିଛନ୍ତି। ଲୋକସଭା ନିର୍ବାଚନ ଗଲା।ଗତ ବର୍ଷ ଜୁଲାଇ ମାସରେ ହୋଇଥିବା ରାଜ୍ୟସଭା ନିର୍ବାଚନ ଗଲା। ଏବେ ମାର୍ଚ୍ଚ ନିର୍ବାଚନରେ ବି ତାଙ୍କ କଥା ବିଚାରକୁ ନିଆଗଲା ନାହିଁ। ଧୃତ ପାଟ୍ଟଶାଣୀ ଅବଶ୍ୟ ମଝିରେ ମଝିରେ ନବୀନଙ୍କୁ ମନେ ପକାଇଦେବା ପାଇଁ ମିଡିଆରେ ମୁଖ୍ୟଙ୍କ ପ୍ରତି ତାଙ୍କ ଆନୁଗତ୍ୟ ବିଷୟ ପ୍ରକାଶ କରି ଆସିଛନ୍ତି ହେଲେ ବିଜେଡ଼ି ସୁପ୍ରିମୋ ଓ ତାଙ୍କ ଦୁଇ ରଥୀଙ୍କ ଗଣିତ ଯେ ନିଜ ଗଣିତଠୁ ପୂରା ଅଲଗା ଏହା ପାଟ୍ଟଶାଣୀ ଏବେ ନିଶ୍ଚିତଭାବେ ହୃଦୟଙ୍ଗମ କରିଥିବେ।

ସମସ୍ତେ କିନ୍ତୁ ପାଟ୍ଟଶାଣୀ ନୁହନ୍ତି,ତାଙ୍କ ଭଳି  ଅନ୍ୟ ଜଣେ ବହୁଚର୍ଚ୍ଚିତ ଆଶାୟୀ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କୌଣସି ପ୍ରକାର ଥଇଥାନ ହୋଇ ପାରିଛନ୍ତି। ସେହି ଭାଗ୍ୟ ପୂର୍ବମନ୍ତ୍ରୀ ଓ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କର ହୋଇନାହିଁ କି ପ୍ରଫୁଲ୍ଲ ଘଡେଇଙ୍କର ହୋଇନାହିଁ କି ପୂର୍ବତନ ମୁମ୍ବାଇ ପୋଲିସ କମିସନର ଅରୁପ ପଟ୍ଟନାୟକଙ୍କ ହୋଇନାହିଁ। ଗଲା ରାଜ୍ୟସଭା ନିର୍ବାଚନରେ ଅବଶ୍ୟ ଅନ୍ୟ ଜଣେ ପଟ୍ଟନାୟକ ଅମର ବଞ୍ଚିତ ତାଲିକାରୁ ଛୁଞ୍ଚିମୁନରେ ଖସି ଯାଇଥିଲେ।ସକ୍ରିୟ ରାଜନୀତିରେ ଥାଇ ମଧ୍ୟ କୌଣସି ପ୍ରକାର ଥଇଥାନ ନହୋଇପାରିବା ନେତାଙ୍କ ଭିତରେ ଅଛନ୍ତି ପୁଷ୍ପେନ୍ଦ୍ର ସିଂହଦେଓ ଯିଏକି ୨୦୧୯ ଲୋକସଭା ନିର୍ବାଚନରେ ହାରିଯାଇଥିଲେ। ସେହିଭଳି ହାରିଯାଇଥିବା ବିଜେଡିର ହେଭିୱେଟ ନେତା ସଞ୍ଜୟ ଦାସବର୍ମା ଅବଶ୍ୟ କୂଳ କିନାରା ପାଇଗଲେ। କିନ୍ତୁ ଏଯାଏଁ କୂଳ କିନାରା ପାଇନଥିବା ଅନ୍ୟ କିଛି ହେଭିୱେଟ ନେତାଙ୍କ ଭିତରେ ରହିଛନ୍ତି ପୂର୍ବତନ କଟକ ସଦର ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ପୂର୍ବ ସାଂସଦ କଳିକେଶ ସିଂହଦେଓ।

ଯେହେତୁ ନବୀନ ନିର୍ଦ୍ଦୟ ନୁହନ୍ତି ଏବଂ ହତଭାଗାମାନଙ୍କୁ ଫଳେପୁଷ୍ପେ ସନ୍ତୁଷ୍ଟ କରିଥାନ୍ତି,ବଞ୍ଚିତ ନେତା ମାନେ ଯଦ ଆଗାମୀ ଦିନରେ ବିଭିନ୍ନ ପଦ ପଦବୀରେ ଥଇଥାନ ହୋଇଯାନ୍ତି ସେଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ।

Comment