ଓଡ଼ିଶାଲାଇଭ୍ ବ୍ୟୁରୋ
ବାହା ବେଦିରେ କନ୍ୟାକୁ ଛାଡି ଫେରାର ହୋଇଗଲା ନାବାଳକ ବର। ଆଉ କିଛି କ୍ଷଣ ମଧ୍ୟରେ ପଡ଼ିଥାନ୍ତା ହାତଗଣ୍ଠି। ହେଲେ ପ୍ରଶାସନ ଭଣ୍ଡୁର କରିଦେଲା। କରାଇ ଦେଲାନି ଏ ବାଲ୍ୟ ବିବାହ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଧନିରାମପୁର ମହାଦେବ ମନ୍ଦିର ପରିସରରେ। ଝିଅ ଘର ଲୋକଙ୍କ ଅଭିଯୋଗ ପରେ ବାଲ୍ୟ ବିବାହ ହେଉଥିବା ଜାଣି ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ବିବାହକୁ ବନ୍ଦ କରିଥିଲା।
୧୯ ବର୍ଷିୟ ନାବାଳକ ଓ ନାବାଳିକାଙ୍କୁ ମଧ୍ୟରେ ଦୀର୍ଘ ବର୍ଷ ହେବ ପ୍ରେମ ସମ୍ପର୍କ ରହିଥିଲା। ନାବାଳକ ଜଣକ ଟ୍ରାକ୍ଟର ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି। ସେହିଭଳି ନାବାଳିକା ଜଣକ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ। ପରେ ନାବାଳକ ଜଣକ ଝିଅକୁ ଅପହରଣ କରି ନେଇଯାଇଥିଲା। ପରେ ଉଭୟଙ୍କ ବିବାହ ପାଇଁ ପୁଅ ଘର ଲୋକ ଝିଅ ଘରକୁ ପ୍ରସ୍ତାବ, ହେଲେ ଏଥିରେ ଝିଅ ଘର ଲୋକ ରାଜି ହୋଇ ନଥିଲେ।
ଉଭୟଙ୍କ ସମ୍ପର୍କକୁ ସ୍ଵୀକୃତି ଦେବା ପାଇଁ ପୁଅ ଘର ଲୋକ ଉଭୟଙ୍କ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଧନିରାମପୁର ମହାଦେବଙ୍କ ମନ୍ଦିର ପରିସରରେ ଆୟୋଜିତ ହୋଇଥିଲା ବିବାହ ଉତ୍ସବ। ବେଦି ବନ୍ଧା ହୋଇଥିଲା। ବିବାହ ଉପକରଣ ମଧ୍ୟ ସଜଡା ସରିଥିଲା। ବ୍ରାହ୍ମଣ ବସି ସବୁ ଆୟୋଜନ ସାରିଥିଲେ। ପରେ ବରକନ୍ୟାଙ୍କୁ ବେଦିକୁ ଡକାଇ ଥିଲେ ବ୍ରାହ୍ମଣ। ଏହି ସମୟରେ ଝିଅ ଘର ଲୋକ ଜିଲ୍ଲା ପ୍ରଶାସନ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଘଟଣାସ୍ଥଳରେ ପହଞ୍ଚି ବାଲ୍ୟ ବିବାହକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ପ୍ରଶାସନ। ପୋଲିସ ଓ ପ୍ରଶାସନକୁ ଦେଖି ବେଦି ଛାଡି ଚମ୍ପଟ ମାରିଥିଲେ ନାବାଳକ ବର ଓ ତାଙ୍କର ପରିବାର ଲୋକେ। ପରେ ପ୍ରଶାସନ ନାବାଳିକାକୁ ଉଦ୍ଧାର କରିଥିଲେ।
ପ୍ରଶାସନର ଏହି ଦଳରେ ସାମିଲ ହୋଇଥିଲେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର କନକଲତା ବେହେରା, ପ୍ରମୋଦ ସେନାପତି, ସ୍ଵେଚ୍ଛାସେବୀ ଶ୍ରୀକାନ୍ତ ନାୟକ, ଗରଦପୁର ବ୍ଲକ ସିଡିପିଓ ମିନତୀ ବେହେରା, ପାଟକୁରା ଥାନା ମହିଳା ସବ୍ ଇନ୍ସପେକ୍ଟର ଭାଗ୍ୟଲତା ଦାସ। ଗରଦପୁର ସିଡିପିଓ ଏହି ନାବାଳିକା ଜଣଙ୍କୁ ନେଇ ଜିଲ୍ଲା ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରିବେ ବୋଲି ଜଣାପଡିଛି।