ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଜେଲ ଭିତରେ ସନ୍ଦେହଜନକ ଭାବେ ବିଚାରଧୀନ କଏଦୀଙ୍କ ମୃତ୍ୟୁ। କେନ୍ଦ୍ରାପଡ଼ା ଜିଲ୍ଲା ବାରିମୂଳ ସବ୍ ଜେଲରେ ଗତକାଲି ଘଟିଥିବା ଏଭଳି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଶୁକ୍ରବାର ଏହି ଜେଲରେ ଥିବା ବିଚାରଧୀନ କଏଦୀ ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରାଣ ହରାଇଛନ୍ତି। ଜେଲ୍ ସୁପରିନଟେଣ୍ଡେଣ୍ଟଙ୍କ କହିବା ମୁତାବକ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ପୂର୍ଣ୍ଣଚନ୍ଦ୍ର ବାଥରୁମକୁ ଯିବାବେଳେ ହଠାତ ତଳେ ପଡିଯାଇଥିଲେ। ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ସଂଜ୍ଞାହୀନ ଅବସ୍ଥାରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର କିନ୍ତୁ ସେଠାରେ ତାକୁ ମୃତ ଘୋଷଣା କରିଥିଲେ।

ଗତ ଡିସେମ୍ବର ୩୦ ଏକ ତାରିଖରେ ଘରୋଇ ହିଂସାକୁ କେନ୍ଦ୍ର କରି ପୋଲିସ ପୂର୍ଣ୍ଣଚନ୍ଦ୍ରକୁ ଗିରଫ କରିଥିଲା। ଏହାପରେ ତାର ଡାକ୍ତରୀ ପରୀକ୍ଷା ହୋଇ ତାକୁ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟ ତା ଜାମିନ ନାମଞ୍ଜୁର କରିବା ସହିତ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ମାତ୍ର ଜେଲରେ ମାତ୍ର ୩ ଦିନ ଭିତରେ ସେ ଆଖି ବୁଜିଛନ୍ତି।

କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ମୃତକ ପୂର୍ଣ୍ଣଚନ୍ଦ୍ରଙ୍କ ମୃତଦେହକୁ ଜବତକରି ବ୍ୟବଚ୍ଛେଦ କରିଛି। ପୂର୍ଣ୍ଣଚନ୍ଦ୍ରଙ୍କର ମୃତ୍ୟୁ ଘଟଣାରେ ଅଧିକ ତଦନ୍ତ ଜାରି ରଖାଯିବ ବୋଲି ସଦର ଥାନା ଆଇଆଇସି ପ୍ରମୋଦ ମଲ୍ଲିକ ସୂଚନା ଦେଇଛନ୍ତି।

Comment