ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାର୍ଚ୍ଚ ୨୬ରେ ହେବ ରାଜ୍ୟସଭା ଭୋଟ୍‌। ଏଥିପାଇଁ ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବିଧାନସଭାରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସୁବାସ ସିଂ, ମୁନ୍ନା ଖାଁ, ସୁଜିତ କୁମାର ଏବଂ ମମତା ମହାନ୍ତ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଏହି ଚାରି ପ୍ରାର୍ଥୀଙ୍କ ଭିତରୁ କାହାର ସମ୍ପତ୍ତି କେତେ ଏବଂ କିଏ କୋଟିପତି ତାହା ପ୍ରାର୍ଥୀମାନେ ଦାଖଲ କରିଥିବା ସତ୍ୟପାଠରୁ ଜଣାପଡ଼ିଛି। ଏମାନଙ୍କ ଭିତରୁ ସୁଜିତ କୁମାରଙ୍କ ସମ୍ପତ୍ତି ଅଧିକା ଏବଂ ସେ କୋଟିପତି ପ୍ରାର୍ଥୀ ବୋଲି ଜଣାପଡ଼ିଛି।

ସୁଜିତଙ୍କ ପାଖରେ ୧ କୋଟି ୧୦ ଲକ୍ଷ ୯ ହଜାର ୨୩୦ ଟଙ୍କାର ସମ୍ପତ୍ତି ରହିଛି। ସୁଜିତଙ୍କ ସ୍ତ୍ରୀଙ୍କ ନାଁରେ ୨୬ ଲକ୍ଷ ୬୯ ହଜାର ୧୮୦ ଟଙ୍କାର ସମ୍ପତ୍ତି ରହିଛି। ଭୁବନେଶ୍ୱର ଧଉଳି ନଗରରେ ତାଙ୍କର ଏକ ଜମି ରହିଛି।

ସୁଜିତଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ୭୮ ଲକ୍ଷ ୩୦ ହଜାର ଟଙ୍କା ହୋଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କର ସ୍ଥାବର ସମ୍ପତ୍ତିର ମୂଲ୍ୟ ହେଉଛି ୭୪ ଲକ୍ଷ ୪୬ ହଜାର ଟଙ୍କା। ସୁଜିତଙ୍କ ନାଁରେ ୭୪ ଲକ୍ଷ ୯୪ ହଜାର ୩୮୨ ଟଙ୍କାର ଋଣ ରହିଛି। ସେ ୭ଟି କମ୍ପାନିରେ ପୁଞ୍ଜିନିବେଶ କରିଛନ୍ତି।

ସେହିପରି ସୁବାସ ସିଂହଙ୍କ ସମ୍ପତ୍ତିର ମୂଲ୍ୟ ହେଉଛି ୨୩ ଲକ୍ଷ ୩୭ ହଜାର ୧୮୭ ଟଙ୍କା। ତାଙ୍କ ଘରର ମୂଲ୍ୟ ହେଉଛି ୭ ଲକ୍ଷ ୨୫ ହଜାର ଟଙ୍କା। ସୁବାସଙ୍କ ନାଁରେ ୧୧ଟି ଅପରାଧିକ ମାମଲା ରହିଛି।

ଅନ୍ୟତମ ରାଜ୍ୟସଭା ପ୍ରାର୍ଥୀ ମୁନ୍ନା ଖାଁଙ୍କ ସମ୍ପତ୍ତି ମୂଲ୍ୟ ହେଉଛି ୩୨ ଲକ୍ଷ ୯୫ ହଜାର ୫୭୬ ଟଙ୍କା। ତାଙ୍କର ଏକ ହୋଣ୍ଡା ସିଟି ଗାଡ଼ି ରହିଥିବା ବେଳେ ପୋଷ୍ଟାଲରେ ୨ ଲକ୍ଷ ୩୬ ହଜାର ୮୬୬ ଟଙ୍କା ଜମା ରହିଛି। ସେ ୧୪ ଲକ୍ଷ ଟଙ୍କାର ଋଣ କରିଥିବା ବେଳେ ୨୨ ଲକ୍ଷ ୫୦ ହଜାର ଟଙ୍କାର ଏଲଆଇସି ରହିଛି। ୨୪ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ମଧ୍ୟ ମୁନ୍ନା ଖାଁଙ୍କ ନାଁରେ ରହିଛି।

ମମତା ମହାନ୍ତଙ୍କ ମୋଟ ସମ୍ପତ୍ତି ପରିମାଣ ହେଉଛି ୨୫ ଲକ୍ଷ ୩ ହଜାର ୯୪୪ ଟଙ୍କା। ମମତାଙ୍କ ନାଁରେ ରହିଛି ୮ ଲକ୍ଷ ୨୨ ହଜାର ୭ ଟଙ୍କା ଏବଂ ତାଙ୍କ ସ୍ୱାମୀଙ୍କ ନାଁରେ ରହିଛି ୧୬ ଲକ୍ଷ ୮୧ ହଜାର ୯୩୭ ଟଙ୍କା। ସେହିପରି ୨୯ ଲକ୍ଷ ୪୫ ହଜାର ୮୪୦ ଟଙ୍କା ମୂଲ୍ୟର ଜମି ରହିଛି।

Comment