ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ବିଶ୍ୱରେ କୋରୋନା ଭାଇରସ କାୟା ବିସ୍ତାର କରିବାକୁ ଲାଗିଛି। ଏପର୍ଯ୍ୟନ୍ତ ବିଶ୍ୱର ୧୧୦ଟି ଦେଶକୁ କୋରୋନା ବ୍ୟାପି ସାରିଲାଣି। ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନମୂଳକ ପଦକ୍ଷେପ ନିଆଯାଉଛି। ଏବେ କୋରୋନାର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଟ୍ରାଭେଲ ଆଡଭାଇଜରି ଜାରି କରାଯାଇଛି।


ଆସନ୍ତୁ ଜାଣିବା କ’ଣ ଟ୍ରାଭେଲ ଆଡଭାଇଜରି ?

୧. କୋରୋନା ସଂକ୍ରମିତ ଦେଶରୁ ଆସୁଥିବା ନାଗରିକମାନଙ୍କୁ ୧୪ ଦିନ କ୍ୱାରାଣ୍ଟାଇନରେ ରହିବାକୁ ପଡ଼ିବ। ବିଶେଷକରି ଚାଇନା, ହଂକଂ, କୋରିଆ, ଜାପାନ, ଇଟାଲି, ଥାଇଲାଣ୍ଡ, ସିଙ୍ଗାପୁର, ଇରାନ, ମାଲେସିଆ, ଫ୍ରାନ୍ସ, ସ୍ପେନ ଓ ଜର୍ମାନୀ ଆଦି ଦେଶରୁ ଫେରିଥିବା ନାଗରିକମାନେ କ୍ୱାରାଣ୍ଟାଇନରେ ରହିବା ବାଧ୍ୟତାମୂଳକ।
୨. ବିଦେଶରୁ ଆସିଥିବା ନାଗରିକମାନେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିୟମବଳୀ ମାନିବାକୁ ବାଧ୍ୟତା ମୂଳକ କରାଯାଇଛି। କୋରୋନାର ଲକ୍ଷଣ ଦେଖାଗଲେ କ’ଣ କରିବା କଥା ଓ କ’ଣ କରିବା କଥା ନୁହେଁ ସେନେଇ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରର ସହାୟତା ନେବାକୁ ଅନୁରୋଧ କରାଯାଇଛି।
୩. ଚାଇନା, ହଂକଂ, କୋରିଆ, ଜାପାନ, ଇଟାଲି, ଥାଇଲାଣ୍ଡ, ସିଙ୍ଗାପୁର, ଇରାନ, ମାଲେସିଆ, ଫ୍ରାନ୍ସ, ସ୍ପେନ ଓ ଜର୍ମାନୀ ଆଦି ଦେଶକୁ ନଯିବାକୁ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି।

୪. ଚାଇନା ସହ ଫ୍ରାନ୍ସ, ଜର୍ମାନୀ ଏବଂ ସ୍ପେନ୍ ନାଗରିକଙ୍କ ଭିସାକୁ ରଦ୍ଦ କରାଯାଇଛି। ୧୧ମାର୍ଚ୍ଚ କିମ୍ବା ଏହା ପୂର୍ବରୁ ଯେଉଁମାନଙ୍କ ଭିସାର ବୈଧତା ଅଛି ଓ ସେମାନେ ଭାରତରେ ପ୍ରବେଶ କରି ନାହାନ୍ତି ସେମାନଙ୍କ ଭିସା ମଧ୍ୟ ରଦ୍ଦ କରାଯାଇଛି।
୫. ଯେଉଁ ବିଦେଶୀ ନାଗରିକମାନେ ଭାରତରେ ରହିଛନ୍ତି, ସେମାନଙ୍କୁ ତୁରନ୍ତ ବିଦେଶୀ ନାଗରିକ ପଞ୍ଜୀକରଣ କାର୍ଯ୍ୟାଳୟ ସହ ସମ୍ପର୍କ କରିବାକୁ ନିବେଦନ କରାଯାଇଛି।
ବର୍ତ୍ତମାନ ସୁଦ୍ଧା ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୭୩ରେ ପହଞ୍ଚିଛି। କୋରୋନା ରୋଗୀମାନଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି।
ସେହିଭଳି ସାରା ବିଶ୍ୱରେ ମୋଟ୍‌ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୨୪ ହଜାରରେ ପହଞ୍ଚିଛି। ତେବେ ଆଶ୍ୱସ୍ତିକର କଥା ହେଉଛି ସେମାନଙ୍କ ମଧ୍ୟରୁ ୬୬ହଜାର କୋରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
କୋରୋନାରୁ ରକ୍ଷା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ସମସ୍ତ ନିର୍ଦ୍ଦେଶକୁ ପାଳନ କରନ୍ତୁ ଓ ସୁସ୍ଥ ରୁହିବାକୁ ଆଡଭାଜରି ଜାରି କରାଯାଇଛି।

Comment