ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱ ମହାମାରୀର ରୂପ ନେଇଥିବା କୋରୋନା ଭାଇରସ କାରଣରୁ ସମଗ୍ର ବିଶ୍ୱରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଅର୍ଥନୀତି ଉପରେ ଭୀଷଣ ପ୍ରଭାବ ପଡ଼ିବା ଆରମ୍ଭ ହୋଇଛି। ପୃଥିବୀର ପ୍ରାୟ ୧୨୦ଟି ଦେଶରେ ଏହି ଭାଇରସ ଏପର୍ଯ୍ୟନ୍ତ ୫ ହଜାରରୁ ଅଧିକ ଜୀବନ ନେଇ ସାରିଲାଣି। ଏଥିରେ ପ୍ରାୟ ଦେଢ଼ ଲକ୍ଷ ଲୋକ ଆକ୍ରାନ୍ତ ହୋଇଛନ୍ତି। ହସ୍ପିଟାଲମାନଙ୍କରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅନେକ ଦେଶରେ ସ୍କୁଲ, କଲେଜ, ଅଫିସ ଓ ଷ୍ଟାଡିଅମ ବନ୍ଦ କରି ଦିଆଯାଇଛି। ପୂର୍ବ, ପଶ୍ଚିମ, ଦକ୍ଷିଣ ଉତ୍ତର ଚାରିଆଡ଼େ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି।

ସମ୍ପର୍କ ଛିନ୍ନ

କୋଭିଡ-୧୯ର ସଂକ୍ରମଣ ଏତେ ଦ୍ରୁତ ଗତିରେ ବ୍ୟାପୁଛି ଯେ ଦେଶ ଦେଶ ମଧ୍ୟରେ ଯିବା ଆସିବା ବନ୍ଦ ହୋଇ ଯାଇଛି। ସଭା ସମିତି ଆଦି ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ହେଁ ଏତେ ଶୀଘ୍ର ଏହି ଭାଇରସକୁ କବ୍‌ଜା କରାଯାଇପାରିବ ତାହା ଦେଖା ଯାଉନାହିଁ। ବିଦେଶର କିଛି ନେତାଙ୍କ ସମେତ ଜଣାଶୁଣା ହସ୍ତୀମାନେ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତେଣେ ବିଶ୍ୱର ବଡ଼ବଡ଼ ନେତା ହାତ ମିଳାଇବା ବଦଳରେ ଭାରତୀୟ ପଦ୍ଧତିରେ  ନମସ୍ତେ କରିବା ଆପଣେଇ ନେଲେଣି।

ଚିନ୍ତାରେ ଚୀନ

ଶୁକ୍ରବାର ଦିନ ଚୀନରେ ଆଉ ୭ଟି ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିବା ବେଳେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ସେଠି ୩୧୭୬ରେ ପହଞ୍ଚିଛି। ଚୀନରେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଛୁଇଁଲାଣି। ସେହିଭଳି ଇଟାଲୀରେ ୧୦୧୬ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ହଜାର ଆକ୍ରାନ୍ତ ହୋଇଛନ୍ତି। ତା’ପଛକୁ ରହିଛି ଇରାନ, ସ୍ପେନ ଓ ଦକ୍ଷିଣ କୋରିଆ। ଏହି ଦେଶଗୁଡ଼ିକ କୋରୋନା ଦ୍ୱାରା ସର୍ବାଧିକ ଆକ୍ରାନ୍ତ ହୋଇଛନ୍ତି।

ଇରାନରେ ରାସ୍ତା ଖାଲି

ଏଣେ ଆମେରିକା ପକ୍ଷରୁ ପ୍ରତିବନ୍ଧକ ଲଗାଯିବା ଫଳରେ ଇରାନରେ ଔଷଧ ମିଳୁନାହିଁ। କୋରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଇରାନର ମିଲିଟାରୀକୁ ରାସ୍ତା ଘାଟ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଲୋକେ ମୁକ୍ତ ଭାବରେ ଯେମିତି ବିଚରଣ ନକରିବେ ସେଥିପାଇଁ ମଧ୍ୟ  ନିର୍ଦେଶ ଦିଆଯାଇଛି। ଦୋକାନ, ଗଳି କନ୍ଦିରୁ ଲୋକଙ୍କୁ ଖାଲି କରାଯାଉଛି। ପରମାଣୁ ବୋମା ଜନିତ ପ୍ରତିବନ୍ଧକ ହଟାଇବା ପାଇଁ ଇରାନ ପକ୍ଷରୁ ଆମେରିକାକୁ ନିବେଦନ କରାଯାଇଛି ଯାହା ଫଳରେ କି ଔଷଧ ଓ ମେଡିକାଲ ଉପକରଣ ଆମଦାନୀ କରାଯାଇପାରିବ।

ଭାରତର ପଦକ୍ଷେପ

ଏଣେ ଭାରତରେ କରୋନା ମୃତ୍ୟୁ ଦୁଇରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୮୦ ଡେଇଁଛି। ଏହି ରୋଗର ଭୟାବହତାକୁ ଦେଖି ଭାରତ ସରକାରଙ୍କ ବିମାନ କମ୍ପାନି ଏୟାର ଇଣ୍ଡିଆ ପକ୍ଷରୁ  ଇଟାଲୀ, ସ୍ପେନ, ଫ୍ରାନ୍ସ, ଜର୍ମାନୀ, ଇସ୍ରାଏଲ, ଦକ୍ଷିଣ କୋରିଆ ଓ ଶ୍ରୀଲଙ୍କାକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବିମାନ ଉଡ଼ାଣ ବାତିଲ କରିଦିଆଯାଇଛି।

ସାଧାରଣରୁ ଅସାଧାରଣ

କୋରୋନା ଭାଇରସ ପ୍ରକୋପ  ଯୋଗୁଁ କି ଧନୀ କି ଗରିବ କି କ୍ଷମତାଶାଳୀ ସମସ୍ତେ ଆକ୍ରାନ୍ତ ହୋଇଥିବା ଦେଖାଯାଉଛି। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ତ୍ରୁଦୋଙ୍କ ପତ୍ନୀ ବି ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇପଡ଼ିଛନ୍ତି। ଇରାନର ଜଣେ ବଡ଼ ନେତା, ବ୍ରାଜିଲର ରାଷ୍ଟ୍ରପତିଙ୍କ ଜଣେ ଟପ ପରାମର୍ଶଦାତା କୋରୋନାର କବ୍‌ଜାରେ ଆସିଛନ୍ତି। ଅଷ୍ଟ୍ରେଲିଆର ଗୃହ ବିଭାଗ ମନ୍ତ୍ରୀ ମଧ ଏଥିରେ ସଂକ୍ରମିତ ହୋଇପଡ଼ିଛନ୍ତି।

LEAVE A REPLY

Please enter your comment!
Please enter your name here