ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଦିନକୁ ଦିନ ଆଶଙ୍କା ବଢ଼ୁଛି। ସଂକ୍ରମଣକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିଲା ବେଳେ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାପାଳମାନଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି କହିଛନ୍ତି।

ତୃତୀୟ ଲହର ୨୦୨୨, ମାର୍ଚ୍ଚ ମାସ ଯାଏଁ ରହିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଆକଳନ କରିଛନ୍ତି। ଏହି ସମୟରେ ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୧୯ ହଜାର ଛୁଇଁପାରେ। ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରରେ ସଂକ୍ରମଣ ଦେଢ଼ଗୁଣା ଅଧିକ ହୋଇପାରେ ବୋଲି ଅନୁମାନ କରାଯାଇଥିବାରୁ ପ୍ରସ୍ତୁତ ରହିବାକୁ ଚିଠିରେ ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ।

ସେହିପରି ଆବଶ୍ୟକ ପରିମାଣର ଟେଷ୍ଟ କିଟ୍‌, ଆଇସିୟୁ ବେଡ୍‌ ଏବଂ ଔଷଦ ମହଜୁଦ ରଖିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ।

କରୋନାର ଦ୍ୱିତୀୟ ଲହର ବେଳେ ରାଜ୍ୟରେ ଗତ ମେ’ ୨୨ ତାରିଖରେ ସର୍ବାଧିକ ୧୨ ହଜାର ୮୫୨ ସଂକ୍ରମଣ ସାମ୍ନାକୁ ଆସିଥିଲା। ତା’ପରେ ରାଜ୍ୟ ସରକାର ଲକଡାଉନ୍‌, ସଟଡାଉନ ଭଳି କଟକଣା ଲାଗୁ କରିବା ପରେ ସଂକ୍ରମଣ ତଳକୁ ଖସି ଥିଲା।

ଅନ୍ୟପଟେ ଏବେ ରାଜ୍ୟରେ ଦୈନିକ ସଂକ୍ରମଣ ହଜାର ତଳକୁ ଖସିଥିଲେ ମଧ୍ୟ ପିଲାଙ୍କ ସଂକ୍ରମଣ ଚିନ୍ତା ବଢ଼ାଇଛି। ଅଗଷ୍ଟ ମଧ୍ୟଭାଗରୁ ରାଜ୍ୟରେ ଦୈନିକ ୧୨ରୁ ୧୮ ବର୍ଷର ପିଲା ଅଧିକ ଆକ୍ରାନ୍ତ ହେଉଛନ୍ତି। ସେମାନଙ୍କ ସଂଖ୍ୟାର ୧୦୦ରୁ ଅଧିକ ରହୁଛି।

Comment