ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାଇଭାଇଙ୍କର ବିରଳ ସମ୍ପର୍କ। ସାଙ୍ଗ ସାଥିଙ୍କୁ ନେଇ ସାନ ଭାଇ ଲଛମନଜୀୟୁ ଧାଇଁ ଆସନ୍ତି ବଡ଼ ଭାଇ ରଘୁନାଥଜୀୟୁଙ୍କ ନିକଟକୁ। ମହାପ୍ରଭୁ ସିଦ୍ଧ ବଳଦେବଜୀୟୁଙ୍କ ଶ୍ରୀଛାମୁରେ ଭାଇଭାଇ ମିଶି ଅବିର ଖେଳନ୍ତି। ଏହି ଭାଇଚାରାର ପରମ୍ପରା ଅତ୍ୟନ୍ତ ବିରଳ ଓ ଐତିହାସିକ। ଷୋଡ଼ଶ ଶତାବ୍ଦୀରୁ କେନ୍ଦ୍ରାପଡ଼ା ବଳଦେବଜୀୟୁରେ ପାଳନ ହୋଇଆସୁଛି ଏହି ବିରଳ ପରମ୍ପରା ପଞ୍ଚୁଦୋଳ।

ଦୋଳ ପୁନେଇଁର ପଞ୍ଚମ ଦିନରେ ପଞ୍ଚୁଦୋଳ ପାଳନ କରନ୍ତି ଏଠାକାର ଭକ୍ତମାନେ। ମରହଟ୍ଟା ଶାସନର ପତନ ପରେ କେନ୍ଦ୍ରାପଡ଼ାର ବଳଦେବଜୀୟୁଙ୍କ ପୀଠର ଦାୟିତ୍ଵରେ ଥାଆନ୍ତି ରଘୁନାଥ ଭୋନ୍ସଲା। ମହାପ୍ରଭୁଙ୍କର ସମ୍ପତ୍ତିର ସୁରକ୍ଷା ପାଇଁ ରଘୁନାଥ ଭୋନ୍ସଲା ସାନଭାଇ ଲଛମନ ଭୋନ୍ସଲାଙ୍କୁ ଡେରିବିଶ ବ୍ଲକର ବାଲିପାଟଣାଠାରେ ଅବସ୍ଥାପିତ କରିଥିଲେ। ସେବେଠାରୁ ଏହି ଦୁଇ ଭୋନ୍ସଲା ଭାଇମାନେ ବଳଦେବଜୀୟୁଙ୍କ ତୁଳସୀକ୍ଷେତ୍ରରେ ରଘୁନାଥଜୀୟୁଙ୍କୁ ପ୍ରତିଷ୍ଠା କରିଥିବାବେଳେ ଡେରାବିଶର ବାଲିପାଟଣାଠାରେ ଲଛମନଜୀୟୁଙ୍କୁ ପ୍ରତିଷ୍ଠା କରି ହୋରି ଖେଳର ପରମ୍ପରା ଆରମ୍ଭ କରିଥିଲେ।

ଏହି ହୋରିଖେଳ ଦୋଳ ପୁନେଇଁର ୫ମ ଦିନରେ ପଞ୍ଚୁଦୋଳ ଭାବେ ପାଳନ କରାଯାଇଥାଏ। ଆଖପାଖ ମଠ ମନ୍ଦିରରେ ହେଉଥିବା ହୋରି ଶେଷ ବେଳକୁ ଏହି ପଞ୍ଚୁଦୋଳରେ ହୋରିଖେଳ ବା ପଞ୍ଚୁଦୋଳ ପାଳନ କରାଯାଏ। ବାଲିପାଟଣାରୁ ଲଛମନଜୀୟୁଙ୍କ ସୁସଜ୍ଜିତ ବିମାନରେ ଆସିଥାନ୍ତି। ତାଙ୍କୁ କଡ଼ା ସୁରକ୍ଷା ବଳୟରେ ଅଣାଯାଏ। କାରଣ ସେତେବେଳେ ଲକ୍ଷାଧିକ ଟଙ୍କାର ସୁନାଗହଣା ପରିଧାନ କରିଥାନ୍ତି ଲଛମନଜୀୟୁ।

କେନ୍ଦ୍ରାପଡ଼ା ସହରର ପୁରୁଣା ମୋଟର ଷ୍ଟାଣ୍ଡରେ ପୂର୍ବ ଦିନ ରାତିରେ ମେଳନ ଶେଷ କରି ଲଛମନଜୀୟୁ ଇଛାପୁରର ବଳଦେବଜୀୟୁଙ୍କ ଛାମୁକୁ ଆସିଥାନ୍ତି। ବଡ଼ ଠାକୁରଙ୍କ ଗୋଡ଼ଧୁଆ ପୋଖରୀ ପାଖରେ ଆସି ଅପେକ୍ଷା କରନ୍ତି। ପରମ୍ପରା ଅନୁସାରେ ବଡଭାଇଙ୍କ ନିକଟକୁ ଖବର ଯାଏ। ବଡଭାଇଙ୍କ ଆଜ୍ଞାକୁ ଅପେକ୍ଷା କରିଥାନ୍ତି ସାନଭାଇ।

ବଡ଼ଭାଇଙ୍କର ଅନୁମତି ମିଳିଲେ ଗୋଡ଼ଧୁଆ ପୋଖରୀଠାରୁ ଲଛମନଜୀୟୁ ବିଜେ କରିଥାନ୍ତି ବଡଭାଇଙ୍କ ନଅରକୁ। ରଥଦାଣ୍ଡରେ ଅପେକ୍ଷା କରିଥାନ୍ତି ଆଖପାଖ ଅନେକ ବିମାନରେ ଠାକୁରମାନେ। ସମୂହ ଭୋଗଲାଗି ହେବାପରେ, ଆଖପାଖ ମଠ ମନ୍ଦିରରୁ ଆସିଥିବା ଦୋଳ ବିଦାୟ ନେଇଥାନ୍ତି।

ଏହାପରେ ଆରମ୍ଭ ହୁଏ ଛାମୁ ମେଳନ। ମହାପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀୟୁଙ୍କ ଛାମୁରେ ଅରୁଣ ସ୍ତମ୍ଭ ପାଖରେ ବସନ୍ତି ରଘୁନାଥଜୀୟୁ। ତାଙ୍କ ପାଖରେ ପହଞ୍ଚିଥାନ୍ତି ଲଛମନଜୀୟୁ ଓ ତାଙ୍କର ସାଥୀ ବଡ଼କୋଠାର ଗୋବିନ୍ଦଜୀୟୁ ଓ କପିଳଜୀୟୁ। ପରେ ପୂଜାର୍ଚ୍ଚନା କରାଯାଏ। ଶେଷରେ ଅବିର ଖେଳ ପରେ ଶେଷହୁଏ ଛାମୁ ମେଳନ।

Comment