ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ଅକାଳ ବିୟୋଗ ପରେ ଆଜି ଏହି ପଦବୀ ପାଇଁ ଉପନିର୍ବାଚନ ହୋଇଥିଲା। ଯେଉଁଥିରେ ନୂଆକରି ନିର୍ବାଚିତ ହୋଇଛନ୍ତି ଶିବପ୍ରସାଦ ଭଳ। ତାଙ୍କ ସପକ୍ଷରେ ମୋଟ ୧୧ଟି ଭୋଟ୍ ପଡ଼ିଥିବାବେଳେ ତାଙ୍କ ବିପକ୍ଷରେ ଠିଆ ହୋଇଥିବା ହେମନ୍ତ ବିଶ୍ୱାଳଙ୍କୁ ୯ଟି ଭୋଟ୍ ମିଳିଛି। ତେଣୁ ୨ଟି ଭୋଟରେ ଆଗୁଆ ରହି ଶିବପ୍ରସାଦ କେନ୍ଦ୍ରାପଡ଼ା ବ୍ଲକର ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।

କେନ୍ଦ୍ରାପଡ଼ା ବ୍ଲକର ମୋଟ୍ ସଦସ୍ୟ ସଂଖ୍ୟା ହେଉଛି ୨୬। ହେଲେ ଆଜି ଏହି ନିର୍ବାଚନରେ ମାତ୍ର ୨୧ ଜଣ ସଦସ୍ୟ ଭୋଟ୍ ଦେଇଥିଲେ। ସେଥିମଧ୍ୟରୁ ଶିବପ୍ରସାଦଙ୍କୁ ୧୧ଟି ଭୋଟ ମିଳିଥିବାବେଳେ ବିରୋଧୀ ହେମନ୍ତଙ୍କୁ ୯ଟି ଭୋଟ୍ ମିଳିଥିଲା ଏବଂ ଗୋଟିଏ ଭୋଟ୍ ନାକଚ ହୋଇଯାଇଥିଲା।ଦୀର୍ଘ ଏକ ମାସ ତଳୁ ଏହି ନିର୍ବାଚନ ପାଇଁ କସରତ ଆରମ୍ଭ ହୋଇଯାଇଥିଲା। ସଦସ୍ୟମାନଙ୍କୁ ନିଜ ପକ୍ଷରେ ରଖିବାକୁ ଶିବପ୍ରସାଦ ଭରପୁର ଚେଷ୍ଟା କରିଥିଲେ। ଏଥିପାଇଁ ସେ ବ୍ଲକର ୧୪ ଜଣ ସଦସ୍ୟଙ୍କୁ ଏକ ଅଜଣା ଜାଗାରେ ଛୁପାଇ ରଖିଥିଲେ। ବିରୋଧୀମାନେ ମଧ୍ୟ ବାକି ବାକି ସଦସ୍ୟମାନଙ୍କୁ ନିଜ ପକ୍ଷକୁ ଟାଣିବାକୁ ଚେଷ୍ଟା ଜାରି ରଖିଥିଲେ।

ଶନିବାର ବ୍ଲକ୍ ଅଧ୍ୟକ୍ଷ ପଦ ନେଇ ଭୋଟ୍ ଗ୍ରହଣ ହୋଇଥିଲା। ଯେଉଁଥିରେ ପ୍ରଥମେ ଶିବପ୍ରସାଦଙ୍କ ଗୋଷ୍ଠୀର ୭ ଜଣ ସଦସ୍ୟ ଆସି ଭୋଟ୍ ଦେଇଥିଲେ। ଏହାପରେ ଆଉ କିଛି ସଦସ୍ୟଙ୍କୁ ଆଣି ମଧ୍ୟ ଭୋଟ୍ ଦିଆଯାଇଥିଲା। ଶିବ ପ୍ରସାଦଙ୍କୁ ଯେତେବେଳେ ୧୧ଟି ଭୋଟ୍ ମିଳିଯାଇଥିଲା ସେ ସମୟରେ ତାଙ୍କ ଗୋଷ୍ଠୀ ବିଜୟ ନେଇ ପକ୍କା ହୋଇଯାଇଥିଲେ। ସେ ସମୟରେ ହେମନ୍ତଙ୍କୁ ମାତ୍ର ୧୦ଟି ଭୋଟ୍ ମିଳିଥିଲା।

ଏହାପରେ ଭୋଟ୍ ଗଣତି ସମୟରେ ଶିବପ୍ରସାଦଙ୍କୁ ସମସ୍ତ ଭୋଟ୍ ମିଳିଥିବାବେଳେ ହେମନ୍ତଙ୍କ ଗୋଟିଏ ଭୋଟ୍ ନାକଚ ହୋଇଯାଇଥିଲା। ସେ ନିର୍ବାଚନରେ ମାତ୍ର ୯ଟି ଭୋଟ୍ ପାଇଥିଲେ। ଏହାପରେ ଶିବପ୍ରସାଦଙ୍କୁ କେନ୍ଦ୍ରାପଡ଼ା ବ୍ଲକର ନୂଆ ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି।

Comment