ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଏଣିକି ସକାଳ ୧୦ଟାରୁ ଅପରାହଣ ୪ଟା ଯାଏଁ ଖୋଲା ରହିବ ଆହାର କେନ୍ଦ୍ର। ଭିଡ଼ ନିୟନ୍ତ୍ରଣ କରିବାକୁ ଏହି ନିଷ୍ପତ୍ତି ନେଇଛି ନଗର ଉନ୍ନୟନ ବଭାଗ। ଏନେଇ ମଙ୍ଗଳବାର ନଗର ଉନ୍ନୟନ ବିଭାଗ ସଚିବ ସୂଚନା ଦେଇଛନ୍ତି।

ପୂର୍ବରୁ ଆହାର କେନ୍ଦ୍ର ଦିନ ୧୧ଟାରୁ ଦିନ ୧.୩୦ଯାଏଁ ଖୋଲା ରହୁଥିଲା। ତେବେ କରୋନା ଭାଇରସ ସଂକ୍ରମଣ ଆଶଙ୍କାରେ ଏହି ଅବଧିକୁ ବଢ଼ାଯାଇଛି। ଏହାସହ ଆହାର କେନ୍ଦ୍ରକୁ ଆସୁଥିବା ଲୋକମାନଙ୍କୁ ପରସ୍ପର ମଧ୍ୟରେ ଦେଢ଼ ମିଟର ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଆହର କେନ୍ଦ୍ରରେ ହାତ ଧୋଇବା ପାଇଁ ହ୍ୟାଣ୍ଡୱାସ କିମ୍ବା ସାବୁନର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିଭଳି କୌଣସି ଲୋକ କାହାକୁ ସ୍ପର୍ଶ କରିବାକୁ ବାରଣ କରାଯାଇଛି। ଆହାର କେନ୍ଦ୍ରରେ ଏକ ଟଙ୍କା ବାକ୍ସର ବ୍ୟବସ୍ଥା କରାଯିବ। ଏହି ଟଙ୍କା ବାକ୍ସରେ ଲୋକେ ଆହାର ପାଇଁ ଟଙ୍କା ଦେବେ। ଏନେଇ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କର୍ପୋରେସନକୁ ଚିଠି ଲେଖିଛନ୍ତି ନଗର ଉନ୍ନୟନ ବିଭାଗ ସଚିବ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛି। କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି। ରାଜ୍ୟରେ ସମସ୍ତ ସ୍କୁଲ, କଲେଜ, ମଲ୍ ଆଦିକୁ ଏପ୍ରିଲ ୧୫ତାରିଖ ଯାଏଁ ବନ୍ଦ ରଖାଯାଇଛି।

 

Comment