ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ପାଇଁ ମାର୍ଚ୍ଚ ୩୧ ଯାଏଁ ହାଇକୋର୍ଟ ଆସିବେନି ଓକିଲ। ଏନେଇ ହାଇକୋର୍ଟ ଓକିଲ ସଂଘ ନିଷ୍ପତ୍ତି ନେଇଛି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ନକରିବାକୁ ସଂଘ ନିଷ୍ପତ୍ତି ନେଇଛି। ଭିଡ଼ରୁ ସଂକ୍ରମଣ ବ୍ୟାପୁଥିବାରୁ ଓକିଲଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।
ପୂର୍ବରୁ କୋର୍ଟ ବନ୍ଦ ନିର୍ଦ୍ଦେଶ ଦେବାକୁ ବାର୍ କାଉନସିଲ୍ ହାଇକୋର୍ଟଙ୍କୁ ଅନୁରୋଧ କରିଥିଲା। କରୋନା ପାଇଁ ରବିବାର ବାର୍ କାଉନସିଲ୍ର ସ୍ଵତନ୍ତ୍ର ବୈଠକ ମଧ୍ୟ ଆୟୋଜିତ ହୋଇଥିଲା। ଏହାପରେ ଆଜି ଓକିଲ ସଂଘ ଏଭଳି ନିଷ୍ପତ୍ତି ନେଇଛି।
ଅଦାଲତରେ ମାମଲାର ଶୁଣାଣିରେ ବିଶେଷ ଜନସମାଗମ ହେଉଥିବା, କୋର୍ଟ ପରିସରରେ ଭିଡ଼ ଜମୁଥିବାରୁ ହାଇକୋର୍ଟଙ୍କ ଅଧୀନରେ ଥିବା ନିମ୍ନ ଅଦାଲତ ବନ୍ଦ କରାଯିବାର ଆବଶ୍ୟକତା ଥିବା ବୈଠକରେ ମତ ପ୍ରକାଶ ପାଇଥିଲା। ହେଲେ ଏପର୍ଯ୍ୟନ୍ତ କୌଣସି କୋର୍ଟ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇନାହିଁ।
ରାଜ୍ୟରେ କରୋନାର ମୁକାବିଲା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ମାର୍ଚ୍ଚ ୩୧ ଯାଏଁ ସମସ୍ତ ସ୍କୁଲ, କଲେଜକୁ ବନ୍ଦ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଏହାସହ କିଛି ଜିଲ୍ଲାରେ ମଧ୍ୟ ୧୪୪ ଧାରା ଜାରି କରାଯାଇଛି। ଭୁବନେଶ୍ଵରରେ ମଧ୍ୟ ସମସ୍ତ ସପିଂ ମଲ୍, ସୁଇମିଙ୍ଗ ପୁଲ୍ ଓ ବିବାହ ଉତ୍ସବରେ କଟକଣା ଜାରି କରାଯାଇଛି।