ଓଡ଼ିଶାଲାଇଭ୍ ବ୍ୟୁରୋ

ୟେସ୍ ବ୍ୟାଙ୍କରୁ ଫେରିବ ଜଗନ୍ନାଥଙ୍କ ଟଙ୍କା। ୟେସ୍ ବ୍ୟାଙ୍କରେ ରହିଥିବା ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଗୁରୁବାର ଉଠାଇ ଅଣାଯିବ। ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଆସନ୍ତାକାଲି ୟେସ୍ ବ୍ୟାଙ୍କରେ ରହିଥିବା ମହାପ୍ରଭୁ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କାକୁ ଉଠାଇ ଅଣାଯିବ। ଏହାକୁ ଉଠାଇ ଅଣାଯାଇ କୌଣସି ଏକ ଜାତୀୟକରଣ ବ୍ୟାଙ୍କରେ ରଖାଯିବ।

ୟେସ୍ ବ୍ୟାଙ୍କ ଦେବାଳିଆ ଘୋଷଣା ହେବା ପରେ ଖାତାଧାରୀମାନେ ବ୍ୟାଙ୍କରୁ ଟଙ୍କା ଉଠାଣ କରିବାରେ ନେଇ ରୋକ୍ ଲଗାଯାଇଥିଲା। ଖାତାଧାରୀମାନେ ମାସକୁ ମାତ୍ର ୫୦ ହଜାର ଟଙ୍କା ଉଠାଇପାରିବେ ବୋଲି ଘୋଷଣା କରାଯାଇଥିଲା। ଏହାପରେ ୟେସ୍ ବ୍ୟାଙ୍କରେ ରଖାଯାଇଥିବା ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଫେରିବ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଥିଲା।

ମଙ୍ଗଳବାର ସନ୍ଧ୍ୟା ୬ଟାରୁ ପୁଣିଥରେ ୟେସ୍ ବ୍ୟାଙ୍କ କାର୍ଯ୍ୟକାରୀ ହେଉଛି। ଏଥିସହିତ ଗ୍ରାହକମାନଙ୍କ ଉପରେ ଥିବା ସମସ୍ତ କଟକଣା ମଧ୍ୟ ଉଠିଯାଉଛି। ଏହାପରେ ଗୁରୁବାର ଦିନ ଶ୍ରୀମନ୍ଦିର ଟଙ୍କା ୟେସ୍ ବ୍ୟାଙ୍କରୁ ଫେରିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ।

Comment