ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି କୁମାର ପୂର୍ଣ୍ଣିମାରେ ପଡ଼ୁଛି ଚନ୍ଦ୍ରଗ୍ରହଣ। ଏହି ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ପାଇଁ ଶନିବାର ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଗ୍ରହଣ ଆରମ୍ଭ ହେବାର ୯ ଘଣ୍ଟା ପୂର୍ବରୁ ଶ୍ରୀମନ୍ଦିରରେ ସବୁ ନୀତି ସରିବ।

ଚନ୍ଦ୍ରଗ୍ରହଣ ଶନିବାର ରାତି ୧ଟା ୪ ମିନିଟରୁ ଆରମ୍ଭ ହୋଇ ରାତି ୨ଟା ୨୪ ମିନିଟ ଯାଏଁ ଚାଲିବ। ଏହାର ଅବଧି ୧ ଘଣ୍ଟା ୧୯ ମିନିଟ ୭ ସେକେଣ୍ଡ ରହିବ। ଓଡ଼ିଶାରେ ଏହା ଆଂଶିକ ଭାବେ ଦୃଶ୍ୟମାନ ହେବ।

ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ ଅପରାହ୍ନ ୪ଟା ୪ ମିନିଟରୁ ଶ୍ରୀମନ୍ଦିରରେ ପାକତ୍ୟାଗ ହେବ। ଏହି ସମୟରେ ଅନ୍ନ ନିଷେଧ ଓ ଦେବନୀତି ନିଷେଧ ରହିଛି। ପୂର୍ବରୁ ଏନେଇ ଶ୍ରୀମନ୍ଦିର ନୀତି ସବ୍ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତି ମଧ୍ୟରେ ଚକ୍ରରାଜ ସୁଦର୍ଶନ ଚାରି ଆଶ୍ରମ ପରିକ୍ରମା କରିବେ। ମଧ୍ୟାହ୍ନ ଧୂପ ପରେ ପରିକ୍ରମା ଆରମ୍ଭ କରି ପ୍ରଥମେ ମାର୍କେଣ୍ଡେୟ ଆଶ୍ରମ ପରେ ଅଙ୍ଗିରା, ଭୃଗୁ ଶେଷରେ କଣ୍ଡୁ ଆଶ୍ରମ ବିଜେ କରିବେ ଚକ୍ରରାଜ ସୁଦର୍ଶନ। ଏହାପରେ ପାକତ୍ୟାଗ ପୂର୍ବରୁ ସେ ରତ୍ନସିଂହାସନରେ ପୁଣି ବିଜେ କରିବେ।

ଅନ୍ୟପଟେ କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ପାଇଁ ଶନିବାର ସାରା ରାଜ୍ୟ ଚଳଚଞ୍ଚଳ ହୋଇଛି। ସକାଳୁସକାଳୁ ନୂଆ ପୋଷାକ ପିନ୍ଧି କୁଆଁରୀ ଝିଅମାନେ ଆଞ୍ଜୁଳା ଟେକିଛନ୍ତି। ତେବେ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ସନ୍ଧ୍ୟାରେ ହେବାକୁ ଥିବା ଚନ୍ଦ୍ରପୂଜା ଶନିବାର ଅପରାହ୍ଣ ୪ଟା ପୂର୍ବରୁ ସରିବ। ସେହିପରି ଗଜଲକ୍ଷ୍ମୀ ପୂଜାର ବିଭିନ୍ନ ନୀତି ଆଗୁଆ କରାଯିବ।     

Tags: #LunarEclipse #SriMandir #SpecialRituals #KumarPurnima #GajaLaxmiPuja #Puri #Odisha

Comment