ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତବର୍ଷ କୁମାର ପୂର୍ଣ୍ଣିମାରେ ପଡ଼ୁଛି ଚନ୍ଦ୍ରଗ୍ରହଣ। ଏଥିପାଇଁ ଅକ୍ଟୋବର ୨୮ ତାରିଖରେ ପୁରୀ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଗ୍ରହଣ ଆରମ୍ଭ ହେବାର ୯ ଘଣ୍ଟା ପୂର୍ବରୁ ଶ୍ରୀମନ୍ଦିରରେ ସବୁ ନୀତି ସରିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଅକ୍ଟୋବର ୨୮ରେ ରାହୁଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ରଗ୍ରହଣ ପଡ଼ୁଛି। ଏହାର ଅବଧି ୧ ଘଣ୍ଟା ୧୯ ମିନିଟ ୭ ସେକେଣ୍ଡ ରହିବ। ଚନ୍ଦ୍ରଗ୍ରହଣ ରାତି ୧ଟା ୪ ମିନିଟରୁ ୫୫ ସେକେଣ୍ଡରୁ ଆରମ୍ଭ ହୋଇ ରାତି ୨ଟା ୨୪ ମିନିଟ ୨ ସେକେଣ୍ଡ ଯାଏଁ ଚାଲିବ।

ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ ଅପରାହ୍ନ ୪ଟା ୪ ମିନିଟ ୫୫ ସେକେଣ୍ଡରୁ ପାକତ୍ୟାଗ ହେବ। ଏହି ସମୟରେ ଅନ୍ନ ନିଷେଧ ଓ ଦେବନୀତି ନିଷେଧ ରହିଛି। ଏନେଇ ଶ୍ରୀମନ୍ଦିର ନୀତି ସବ୍ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତି ମଧ୍ୟରେ ଚକ୍ରରାଜ ସୁଦର୍ଶନ ଚାରି ଆଶ୍ରମ ପରିକ୍ରମା କରିବେ। ମଧ୍ୟାହ୍ନ ଧୂପ ପରେ ପରିକ୍ରମା ଆରମ୍ଭ କରି ପ୍ରଥମେ ମାର୍କେଣ୍ଡେୟ ଆଶ୍ରମ ପରେ ଅଙ୍ଗିରା, ଭୃଗୁ ଓ ଶେଷରେ କଣ୍ଡୁ ଆଶ୍ରମ ବିଜେ କରିବେ ଚକ୍ରରାଜ ସୁଦର୍ଶନ। ଏହାପରେ ପାକତ୍ୟାଗ ପୂର୍ବରୁ ସେ ପୁଣି ରତ୍ନସିଂହାସନରେ ବିଜେ କରିବେ।

Tags: #LunarEclipse #SriMandir #SpecialRituals #Puri #Odisha

Comment