ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଦେଶ ପାଇଁ ଏବେ ଚିନ୍ତା ପାଲଟିଛି କରୋନା। ବିଦେଶରେ ରହୁଥିବା ଅନେକ ଲୋକ ଏବେ କରୋନା ପ୍ରଭାବିତ ଦେଶରୁ ଓଡିଶା ଫେରିଛନ୍ତି। ରାଜ୍ୟର ୫ଟି ଜିଲ୍ଲାକୁ ଆସିଥିବା ଏହି ୩ହଜାର ବିଦେଶୀ ଫେରନ୍ତାଙ୍କ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଭୁକ୍ତ। ତେଣୁ କରୋନା ପ୍ରତିଶେଧକ ପାଇଁ ରାଜ୍ୟ ସରକାର କେନ୍ଦ୍ରାପଡା ଜିଲ୍ଲାକୁ ଲକ୍ ଡାଉନ୍‌ ଘୋଷଣା କରିଛନ୍ତି। ଏହାକୁ ସମର୍ଥନ କରିଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ।

ଆଜିଠାରୁ କେନ୍ଦ୍ରାପଡ଼ା ଜିଲ୍ଲାକୁ ଏକ ପ୍ରକାର ଲକ୍ ଡାଉନ କରିଛି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ। ଜିଲ୍ଲାରେ କରୋନା ମୁକାବିଲା ପାଇଁ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଜିଲ୍ଲା ପରିଷଦ ସଭାପତି ମାନସ ପରିଡା, ପ୍ରକଳ୍ପ ନିର୍ଦେଶକ ଦିଲ୍ଲୀପ ପରିଡା, ସିଡିଏମ୍ଓ ଡକ୍ଟର ଉର୍ମିଳା ମିଶ୍ରଙ୍କ ସମେତ ଜିଲ୍ଲାପରିଷଦର ସଦସ୍ୟ ଗଣ ଯୋଗଦେଇଥିଲେ।

କେନ୍ଦ୍ରାପଡ଼ା ଜିଲ୍ଲାକୁ ବିଦେଶ ଫେରନ୍ତା ଲୋକମାନେ ଅଧିକ ଆସିଥିବାରୁ ରାଜ୍ୟ ସରକାର ଏହି ଜିଲ୍ଲାକୁ ଲକ୍ ଡାଉନ ଘୋଷଣା କରିଛନ୍ତି। ତୃତୀୟ ପର୍ଯ୍ୟାୟ କରୋନା ଯଦି ବ୍ୟାପେ ତେବେ ଏହା ଏକ ହାଇ ରିକ୍ସ ଜିଲ୍ଲା ହେବାର ସମ୍ଭାବନା ରହିଛି। ଏସବୁ କାରଣକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ କରୋନା ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ସବୁ ଗ୍ରହଣ କରିଛି।

ଛିଙ୍କ, କାଶ ଓ ଜ୍ଵର ନଥିବା ସୁସ୍ଥ ଲୋକେ ଅଯଥାରେ ମାସ୍କ ବ୍ୟବହାର ନକରିବାକୁ କୁହାଯାଇଛି। ବଜାରରେ ମାସ୍କର ଅଭାବ ଦେଖା ଯାଇଥିବାରୁ କେନ୍ଦ୍ରାପଡ଼ା ଜିଲ୍ଲାର ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କ ଦ୍ଵାରା ୨୦ ହଜାର ମାସ୍କ ପ୍ରସ୍ତୁତ କରାଯାଇଛି। ସାନିଟାଇଜରର ଅଭାବ ଯୋଗୁଁ ସାବୁନରେ ହାତ ସଫା କରିବାକୁ ବିକଳ୍ପ ଭାବେ ନିଆଯାଇଛି। ଏହାସହ ସରକାର ଜିଲ୍ଲାରେ ଆଗୁଆ ୪ ମାସ ପାଇଁ ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେବାକୁ ବ୍ୟବସ୍ଥା କରିଛନ୍ତି। ସେହିପରି ଏପ୍ରିଲ ପହିଲାରେ ରାସନ କାର୍ଡଧାରୀମାନଙ୍କୁ ଆଗୁଆ ରାସନ ଯୋଗଣର ବ୍ୟବସ୍ଥା ହୋଇଛି।

ଏହାଛଡା ଜିଲ୍ଲାର ସମସ୍ତ ଆଶା କର୍ମୀ ଓ ଏଏନ୍ଏମମାନଙ୍କ ନିକଟରେ କରୋନାର ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା କରାଯାଇଛି। କରୋନା ଯଦି ବ୍ୟାପେ ତେବେ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଡାଇବେଟିକ, ଉଚ୍ଚ ରକ୍ତଚାପ, ହୃଦରୋଗ ବ୍ୟକ୍ତିମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ। ଜିଲ୍ଲାର ପ୍ରତି ପିଏଚସି ଓ ସିଏଚସିମାନଙ୍କରେ ଆଇସୋଲେସନ ଗୃହ ପ୍ରସ୍ତୁତ କରାଯାଇଛି। ଏହାଛଡା ସମସ୍ତ ଗ୍ରାମ ପଞ୍ଚାୟତରେ ୫୦ରୁ ୧୦୦ ଜଣଙ୍କ ପାଇଁ ଆଇସୋଲେସନ ଗୃହ ବ୍ୟବସ୍ଥା ହୋଇଛି।

ଶନିବାରଠୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ କରିବାକୁ ଏକ ପ୍ରକାର ନିଷ୍ପତ୍ତି ନେଇଛନ୍ତି ଜିଲ୍ଲା ପ୍ରଶାସନ। ଏହି ସମୟ ମଧ୍ୟରେ ଜିଲ୍ଲାରୁ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଲୋକମାନଙ୍କୁ କୁହାଯାଇଛି। କେବଳ ପେଟ୍ରୋଲ ପମ୍ପ, ତେଜରାତି, ପନିପରିବା, ମାଛ, ମାଂସ ଓ ଅଣ୍ଡା ଦୋକାନ ଖୋଲା ରହିବ। ରାସ୍ତା ଘାଟ ଓ ବଜାରରେ ୭ ଜଣରୁ ଅଧିକ ଲୋକ ଏକାଠି ଠିଆ ହେବା ଉପରେ କଟକଣା ଲଗାଇଛି ପ୍ରଶାସନ।

ବିଦେଶରୁ ଫେରୁଥିବା ଲୋକମାନେ ୧୦୪ ନମ୍ବରରେ ସେମାନଙ୍କର ନାମ ପଞ୍ଜିକରଣ କରିବାକୁ ଗୁରୁତ୍ୱ ଦିଆଯାଇଛି। ଯଦି କେହି ବିଦେଶ ଫେରନ୍ତା ସେମାନଙ୍କର ନାମ ପଞ୍ଜିକରଣ ନକରିଥାନ୍ତି ଓ ଯଦି ସ୍ଥାନୀୟ ଗ୍ରାମବାସୀ ତାଙ୍କ ସମ୍ପର୍କରେ ଅଭିଯୋଗ ଆଣନ୍ତି, ତେବେ ସେହି ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ସେହିପରି ରାଜ୍ୟ ବାହାରୁ ଜିଲ୍ଲାକୁ ଆସୁଥିବା ବ୍ୟକ୍ତିମାନଙ୍କ ଉପରେ ତିକ୍ଷ୍ଣ ନଜର ରଖିବ ଜିଲ୍ଲା ପ୍ରଶାସନ। କରୋନା ମୁକାବିଲା କରିବାକୁ ଜିଲ୍ଲାବାସୀଙ୍କ ହିତ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଓ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ଠିକ ଢଙ୍ଗରେ କାର୍ଯ୍ୟକାରୀ କରାଗଲେ କେନ୍ଦ୍ରାପଡା ନିଶ୍ଚୟ ଏକ ବଡ଼ ବିପଦକୁ ଟାଳିଦେଇ ପାରିବ ବୋଲି ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ସୂଚନା ଦେଇଛନ୍ତି।

Comment