ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

  • ରବିବାର ସାରା ଦେଶରେ ‘ଜନତା କର୍ଫ୍ୟୁ’
  • ଗଡ଼ିବନି ବସ୍‌, ଟ୍ରେନ୍‌ ଓ ଅଟୋ
  • ଜରୁରୀକାଳୀନ ସେବା ପ୍ରଭାବିତ ହେବନି
  • ଆଜି ନବୀନ କଲେ ବଡ଼ ଘୋଷଣା
  • ୨୨ରୁ ୨୯ ଯାଏଁ ୫ ଜିଲ୍ଲା ଓ ୮ ସହରରେ ନିଅର ଟୋଟାଲ ‘ଲକ୍‌ଡାଉନ୍‌’
  • ଲକ୍‌ଡାଉନ୍‌ ବେଳେ ପ୍ରଭାବିତ ହେବନି ବସ୍‌, ଟ୍ରେନ୍‌ ଓ ବିମାନସେବା

କରୋନା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ସାମାଜିକ ଦୂରତା ରକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୨ ତାରିଖକୁ ‘ଜନତା କର୍ଫ୍ୟୁ’ ଲାଗୁ କରିବାକୁ ଆହ୍ୱାନ ଦେଇଥିବା ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଜିଲ୍ଲା ଓ ୮ ସହରରେ ୮ ଦିନିଆ ନିଅର ଟୋଟାଲ ‘ଲକ୍‌ଡାଉନ୍‌’ ଘୋଷଣା କରିଛନ୍ତି।

ଏହି ‘ଜନତା କର୍ଫ୍ୟୁ’ ଏବଂ ‘ଲକ୍‌ଡାଉନ୍‌’ କ’ଣ ସେ ବିଷୟରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

‘‘ଜନତା କର୍ଫ୍ୟୁ ହେଉଛି ଦିନିକିଆ। ହେଲେ ଲକ୍‌ଡାଉନ୍‌ ୮ ଦିନ ପାଇଁ ଲାଗୁ ହୋଇଛି। ଜନତା କର୍ଫ୍ୟୁ ବେଳେ ବସ୍‌ ଓ ଟ୍ରେନ୍‌ ଚଳାଚଳ ବନ୍ଦ ରହିବ। କିନ୍ତୁ ଲକ୍‌ଡାଉନ୍‌ରେ ବସ୍‌, ଟ୍ରେନ ଓ ବିମାନ ସେବା ପ୍ରଭାବିତ ହେବ ନାହିଁ’’, କହିଛନ୍ତି ସୁବ୍ରତ ବାଗ୍‌ଚି।

ଶ୍ରୀ ବାଗ୍‌ଚି ଆହୁରି କହିଛନ୍ତି ଯେ, ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆ ହେଉଛି ଅର୍ଥନୈତିକ କ୍ଷେତ୍ରରେ ଏକ ସଶକ୍ତ ରାଜ୍ୟ। ଏହି ରାଜ୍ୟରେ ୪ କୋଟି ଲୋକ ଅଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ଏହି ରାଜ୍ୟରେ ‘ଲକ୍‌ଡାଉନ୍‌’ ଘୋଷଣା କରାଯାଇଛି। ଓଡ଼ିଶାରେ ସାଢ଼େ ୪ କୋଟି ଲୋକ ଅଛନ୍ତି। ଏମାନଙ୍କ ସୁରକ୍ଷା ପାଇଁ ଏବଂ କରୋନା ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଯଦି ସଂକ୍ରମଣ ବ୍ୟାପେ ତାହାଲେ ବିଶ୍ୱର କୌଣସି ସରକାରୀ ବ୍ୟବସ୍ଥା ଏହାକୁ ରୋକି ପାରିବେ ନାହିଁ। ‘ନକ୍‌ଡାଉନ୍‌’ ପାଇଁ ‘ଲକ୍‌ଡାଉନ୍‌’ ଘୋଷଣା କରାଯାଇଛି।

କରୋନା ଭାଇରସ୍‌ରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୯ ତାରିଖରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ଧୈର୍ଯ୍ୟ ନହରାଇ ପରିସ୍ଥିତିକୁ ମୁକାବିଲା କରିବାକୁ ଆହ୍ୱାନ ଦେଇଥିଲେ। ଏହାସହ ୨୨ ତାରିଖ ରବିବାର ଦିନ ସାରା ଭାରତରେ ‘ଜନ କର୍ଫ୍ୟୁ’ ପାଳନ କରିବାକୁ ନିବେଦନ କରିଥିଲେ।

ସକାଳ ୭ଟାରୁ ରାତି ୯ଟା ଯାଏଁ କେହି ଘରୁ ନବାହାରିବାକୁ ଅପିଲ୍‌ କରିଥିଲେ ମୋଦୀ। କେବଳ ଜରୁରୀକାଳୀନ ସେବା ଏଥିରୁ ବାଦ୍‌ ପଡ଼ିବ। ବସ୍‌ ଓ ଟ୍ରେନ୍‌ ସେବା ସମେତ ଦୋକାନ ବଜାର ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରିଥିଲେ।

ମୋଦୀଙ୍କ ‘ଜନ କର୍ଫ୍ୟୁ’କୁ ସମର୍ଥନ କରି ଏହାକୁ ମାନିବାକୁ ନବୀନ ଓଡ଼ିଶାର ଜନସାଧାରଣଙ୍କୁ ନିବେଦନ କରିଥିଲେ। ହେଲେ ୨୧ ତାରିଖରେ କରୋନା ମୁକାବିଲା ପାଇଁ ନବୀନ ବଡ଼ ଘୋଷଣା କରିଛନ୍ତି। ୫ ଜିଲ୍ଲା ଓ ୮ ସହରକୁ ୨୨ରୁ ୨୯ ଯାଏଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି।

ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳ ଜିଲ୍ଲାର ସବୁ ସହର ଓ ସବୁ ଗାଁ ସହିତ ସମ୍ବଲପୁର, ଝାରସୁଗୁଡା, ବାଲେଶ୍ଵ,  ରାଉରକେଲା,  ଭଦ୍ରକ,  ପୁରୀ,  ଯାଜପୁର ରୋଡ  ଏବଂ ଯାଜପୁର ଟାଉନରେ ପ୍ରାୟ ସମ୍ପୂର୍ଣ୍ଣ ବା ନିୟର ଟୋଟାଲ ‘ଲକ୍‌ ଡାଉନ୍‌’ ଘୋଷଣା କରାଯାଇଛି।

ଏହି ସମୟରେ କେବଳ ବସ୍‌, ଟ୍ରେନ୍‌ ଓ ବିମାନ ସେବା ସହିତ ଗ୍ରୋସରୀ ଦୋକାନ, ପରିବା ଦୋକାନ, ମାଛ, ମାଂସ, ଅଣ୍ଡା, ଚିକେନ୍‌, ପେଟ୍ରୋଲ ପମ୍ପ ଏବଂ ମେଡିସିନ୍‌ ଦୋକାନ ଆଦି ଖୋଲା ରହିବ। ଅତ୍ୟାବଶ୍ୟକ ଦ୍ରବ୍ୟର ହୋଲସେଲ ବଜାର ଖୋଲା ରହିବ।

ସେହିପରି ଏସବୁ ଅଞ୍ଚଳରେ ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ୍‌, ମ୍ୟୁନିସ୍‌ପାଲଟି ସେବା, ପୋଲିସ, ଅଗ୍ନିଶମ ସେବା, ଓଡ୍ରାଫ୍‌, ପାନୀୟ ଜଳ ଓ ବିଦ୍ୟୁତ ସେବା ଆଦି ଜାରି ରହିବ। ପ୍ରଶାସନିକ କାର୍ଯ୍ୟାଳୟଗୁଡିକ ମଧ୍ୟ ଖୋଲା ରହିବ।

Comment