ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ହୋମ୍‌ କ୍ଵାରେଣ୍ଟାଇନ୍‌ରେ ରହୁଥିବା ଲୋକଙ୍କ ଘର ଆଗରେ ଲାଗିବ ଷ୍ଟିକର। ବାହାର ଲୋକଙ୍କ ଯିବା ଆସିବା ବନ୍ଦ କରିବାକୁ ପ୍ରଶାସନ ପକ୍ଷରୁ ଏହି ଷ୍ଟିକର ମରାଯିବ। ଏହି ଷ୍ଟିକରରେ କ୍ଵାରେଣ୍ଟାଇନ୍‌ର ଅବଧି ଓ ପରିବାରର ତଥ୍ୟ ରହିବ। ସେହି ଘରକୁ ଯେପରି ଲୋକମାନେ ନଯାଆନ୍ତି ସେଥିପାଇଁ ସଚେତନ ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏନେଇ ସାମ୍ଵାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି।

ଏହାସହ ସମ୍ପୃକ୍ତ ପରିବାର ଯେପରି ସାମାଜିକ ବାସନ୍ଦ ନହେବ, ସେଥିପ୍ରତି ଧ୍ୟାନ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ ଘର ଆଖପାଖକୁ ଓ ଖବର ନେବାକୁ ମଧ୍ୟ ମିଡିଆ କର୍ମଚାରୀଙ୍କୁ ବାରଣ କରାଯାଇଛି। ବାହାର ରାଜ୍ୟରୁ ଆସୁଥିବା ସମସ୍ତ ଲୋକଙ୍କ ତଥ୍ୟ ଥାନାରେ ରଖିବା ସହ ତାଙ୍କୁ କ୍ଵାରେଣ୍ଟାଇନ୍‌ରେ ରଖିବାକୁ ପ୍ରଶାସନକୁ କୁହାଯାଇଛି।

କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର। ପୂର୍ବରୁ ୫ ଜିଲ୍ଲାକୁ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ଆଜି ପୁଣି ୯ ଜିଲ୍ଲାକୁ ଲକ୍‌ଡାଉନ ଘୋଷଣା କରିଛନ୍ତି। ଏହାସହ ରାଜ୍ୟରୋ ମୋଟ୍‌ ୧୪ ଜିଲ୍ଲା ଲକ୍‌ଡାଉନ ହୋଇଛି।

ଅନ୍ୟପକ୍ଷରେ ଆସନ୍ତାକାଲି ସକାଳ ୧୧ଟାରୁ ରାଜ୍ୟରେ ସମସ୍ତ ବସ୍‌ ଚଳାଚଳକୁ ମଧ୍ୟ ବନ୍ଦ କରିଦିଆଯାଇଛି। ଏଭଳି ପରିସ୍ଥିତିରେ ସାରା ରାଜ୍ୟ ବର୍ତ୍ତମାନ ଠପ୍‌ ହୋଇଯାଇଛି। ଲୋକମାନଙ୍କୁ ଘରୁ ନବାହାରିବାକୁ ପରାମର୍ଶ ମଧ୍ୟ ଦିଆଯାଉଛି।

Comment