ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଭାରତରେ ହୁ ହୁ ହୋଇ କରୋନା ଭାଇରସ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ଦେଶରେ ବିମାନ ଓ ରେଳ ସେବା ବନ୍ଦ ରହିଛି। ବିଭିନ୍ନ ରାଜ୍ୟରେ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ସାମାଜିକ ଦୂରତା ରକ୍ଷା କରିବା ପାଇଁ ଦେଶର ୫୪୮ ଜିଲ୍ଲା ସମ୍ପୂର୍ଣ୍ଣ ଲକ୍‌ଡାଉନ କରାଯାଇଛି।

ବର୍ତ୍ତମାନ ସୁଦ୍ଧା ଦେଶରେ ୪୪୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ଆକ୍ରାନ୍ତଙ୍କୁ ନିକଟସ୍ଥ ମେଡିକାଲର ଆଇସୋଲେସନ ଓ୍ଵାର୍ଡରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୯ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରାଳୟ ସୂଚନା ଦେଇଛି।

ଦେଶର ବିଭିନ୍ନ ବିମାନ ବନ୍ଦରରେ ୧୫ଲକ୍ଷ ୨୪ହଜାର ୨୬୬ଜଣଙ୍କ କରୋନା ସ୍କ୍ରିନିଂ କରାଯାଇଛି। କରୋନା ଭାଇରସକୁ ନେଇ ବାରମ୍ବାର ଲୋକଙ୍କୁ ସଚେତନ କରାଯାଉଛି। ଅତି ଜରୁରୀ କାମ ନଥିଲେ ଲକ୍‌ଡାଉନ ବେଳେ ଘରୁ ବାହାରିବାକୁ ଲୋକଙ୍କୁ ବାରଣ କରାଯାଇଛି। ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

ଲକ୍‌ଡାଉନ ବେଳେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଛଡ଼ା ଅନ୍ୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଜରୁରୀକାଳୀନ ପରିବହନକୁ ଛାଡ଼ି ଅନ୍ୟ ସମସ୍ତ ପରିବହନ ବ୍ୟବସ୍ଥା ଉପରେ କଟକଣା ଜାରି କରାଯାଇଛି। ଏପର୍ଯ୍ୟନ୍ତ ରାଜଧାନୀ ଦିଲ୍ଲୀ ସମେତ ୩୦ଟି ରାଜ୍ୟରେ ଆଂଶିକ ଲକ୍‌ଡାଉନ ଘୋଷଣା ହୋଇଛି।

ମହାରାଷ୍ଟ୍ରରେ ସର୍ବାଧିକ ୧୦୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି କେରଳରେ ୯୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତରେ କରୋନା ସ୍ଥିତି ବର୍ତ୍ତମାନ ଦ୍ଵିତୀୟ ପର୍ଯ୍ୟାୟରେ ରହିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହାକୁ ତୃତୀୟ ପର୍ଯ୍ୟାୟକୁ ଯିବାକୁ ରୋକିବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଉଛି।

ବର୍ତ୍ତମାନ ସୁଦ୍ଧା ୧୯୦ଟି ଦେଶରୁ କରୋନା ଭାଇରସ କାୟା ବିସ୍ତାର କରିଛି। ବିଶ୍ଵରେ ୩ଲକ୍ଷ ୩୪ହଜାର ୯୮୧ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪ହଜାର ୬୫୨ଜଣଙ୍କ ମୃତ୍ୟୁ ହୋଇଛି। ବିଶ୍ଵରେ ଇଟାଲି ସର୍ବାଧିକ କରୋନା ଭାଇରସ ଯୋଗୁଁ ପ୍ରଭାବିତ ହୋଇଛନ୍ତି। ଇଟାଲିରେ୬ହଜାର ୭୭ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏନେଇ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ସୂଚନା ଦେଇଛି।

ଓଡ଼ଶାରେ ମଧ୍ୟ କରୋନାକୁ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି। ସାରା ରାଜ୍ୟକୁ ମଙ୍ଗଳବାର ମଧ୍ୟରାତ୍ରୀରୁ ଲକ୍‌ଡାଉନ ଘୋଷଣା କରାଯାଇଛି। ମାର୍ଚ୍ଚ ୨୯ତାରିଖ ଯାଏଁ ଲକ୍‌ଡାଉନ ବଳବତ୍ତର ରହିବ। ଲକ୍‌ଡାଉନ ନିୟମ ମାନିବାକୁ ଲୋକଙ୍କୁ ଅପିଲ କରାଯାଇଛି। ଲକ୍‌ଡାଉନ ନିୟମ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Comment