ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ବିଶ୍ୱର ଏକ ଅଗ୍ରଣୀ ଦେଶ ଭାବେ ଦକ୍ଷିଣ କୋରିଆର ନାଁ ଆପଣ ଅନେକ ଥର ଶୁଣିଥିବେ। ଏବେ ଏହି ଦେଶ ତା’ର ଆଉ ଗୋଟିଏ ଚତ୍ମକାର କାମ ପାଇଁ ପୁଣି ଚର୍ଚ୍ଚାକୁ ଆସିଛି। ଦେଶରେ ବିନା କୌଣସି ଲକଡାଉନ୍ କିମ୍ବା ବଜାର ବନ୍ଦ ନକରି ଏହି ଦେଶ ଭୟଙ୍କର କରୋନା ଭାଇରସକୁ ମାତ୍ ଦେଇପାରିଛି।

କରୋନା ଭାଇରସର ଉତ୍ପତ୍ତି ସ୍ଥଳ ଚୀନର ପଡ଼ୋଶୀ ଦେଶ ହେଉଛି ଦକ୍ଷିଣ କୋରିଆ। କରୋନା ଭାଇରସର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଉହାନ୍ ସହରଠାରୁ ଏହି ଦେଶ ମାତ୍ର ୧୩୮୨ କିଲୋମିଟର ଦୂରରେ ଅବସ୍ଥିତ। ଏହାସତ୍ତ୍ୱେ ମଧ୍ୟ କରୋନା କବଳରୁ ନିଜର ଲୋକମାନଙ୍କୁ ରକ୍ଷା କରିପାରିଛନ୍ତି ଦକ୍ଷିଣ କୋରିଆର ସରକାର।ବର୍ତ୍ତମାନ ସୁଦ୍ଧା ଦକ୍ଷିଣ କୋରିଆରେ ମୋଟ୍ ୯୧୩୭ ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ସେଥିରୁ ସାଢ଼େ ତିନିହଜାରରୁ ଅଧିକ ଲୋକ ସୁସ୍ଥ ହୋଇସାରିଲେଣି। ଏପରିକି ବର୍ତ୍ତମାନ ସୁଦ୍ଧା ଦକ୍ଷିଣ କୋରିଆରେ ମାତ୍ର ୫୯ ଜଣ ଗୁରୁତର କରୋନା ରୋଗୀ ଅଛନ୍ତି ବୋଲି ସୂଚନା ମିଳିଛି।

ବିଶ୍ୱର ବହୁ ଉନ୍ନତଶୀଳ ରାଷ୍ଟ୍ର ଆମେରିକା, ଇଟାଲୀ, ବ୍ରିଟେନ୍, ସ୍ପେନ୍ ଆଜି ବି ନିଜକୁ କରୋନା କବଳରୁ ରକ୍ଷା କରିପାରିନାହାନ୍ତି। ଫଳରେ ସେଠାରେ ପ୍ରତିଦିନ ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି। ଅନ୍ୟପଟେ ଚୀନର ପଡ଼ୋଶୀ ଦେଶ ହୋଇଥିବା ମଧ୍ୟ ଦକ୍ଷିଣ କୋରିଆ କରୋନା ଭାଇରସକୁ ହରାଇ ପାରିଛି।

କରୋନାକୁ କେମିତି ହରାଇଲା ଦକ୍ଷିଣ କୋରିଆ?

ଦକ୍ଷିଣ କୋରିଆର ବିଦେଶ ମନ୍ତ୍ରୀ କାଙ୍ଗ୍ ୟୁଙ୍ଗ ବା’ଙ୍କ କହିବା ଅନୁସାରେ, ତୁରନ୍ତ ଚିକିତ୍ସା ଓ ଉନ୍ନତଶୀଳ ମେଡିକାଲ୍ ବ୍ୟବସ୍ଥା ଯୋଗୁଁ ଦକ୍ଷିଣ କୋରିଆ କରୋନା କବଳରୁ ନିଜକୁ ରକ୍ଷା କରିପାରିଛି। ଦେଶବାସୀଙ୍କୁ ରକ୍ଷା କରିବା ପାଇଁ ଦକ୍ଷିଣ କୋରିଆରେ ତୁରନ୍ତ ୬ ଶହରୁ ଅଧିକ ଟେଷ୍ଟିଙ୍ଗ୍ ସେଣ୍ଟର ଖୋଲାଯାଇଥିଲା। ଏହି ଟେଷ୍ଟିଙ୍ଗ୍ ସେଣ୍ଟରରେ ତୁରନ୍ତ କରୋନାର ଯାଞ୍ଚ କରାଯାଇପାରୁଥିଲା ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ମାତ୍ର ୧୦ ମିନିଟ୍ ଭିତରେ ଲୋକମାନଙ୍କର ସ୍ୱାସ୍ଥ୍ୟଗତ ରିପୋର୍ଟ ମିଳିଯାଉଥିଲା। ତେଣୁ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ସହଜ ହୋଇଯାଇଥିଲା ବୋଲି ସେ କହିଛନ୍ତି। ସଂକ୍ରମଣ ରୋକିବା ପାଇଁ ଦକ୍ଷିଣ କୋରିଆ ସରକାରଙ୍କ ତରଫରୁ ବିଭିନ୍ନ କୋଠା, ହୋଟେଲ୍, ପାର୍କିଙ୍ଗ୍ ସ୍ଥଳ ଓ ସାର୍ବଜନୀନ ସ୍ଥାନରେ ଥର୍ମାଲ୍ ଇର୍ମଜିଙ୍ଗ୍ କ୍ୟାମେରା ଲଗାଯାଇଥିଲା। ଏହି କ୍ୟାମେରାରେ କରୋନା ଆକ୍ରାନ୍ତଙ୍କୁ ତୁରନ୍ତ ଚିହ୍ନଟ କରାଯାଇପାରୁଥିଲା। ଯାଞ୍ଚ ହେବା ପରେ ଯାଇ ଲୋକମାନଙ୍କୁ ହୋଟେଲ୍ ଓ ରେସ୍ତୋରାଁ ଭିତରକୁ ଛଡ଼ାଯାଉଥିଲା।

ଏଥିସହିତ ବିଶେଷଜ୍ଞମାନେ ମଧ୍ୟ ଲୋକମାନଙ୍କୁ ସଚେତନ ରହିବା ପାଇଁ ପରାମର୍ଶ ଦେଇଥିଲେ। ଡାହାଣ ହାତରେ ଅଧିକ କାମ କରୁଥିବା ଅନ୍ୟ ସମସ୍ତ ଛୋଟବଡ଼ କାମ ବାମ ହାତରେ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ। ଯାହାକୁ ଦକ୍ଷିଣ କୋରିଆର ଲୋକମାନେ ପାଳନ କରିବା କାରଣରୁ ନିଜକୁ କରୋନା କବଳରୁ ରକ୍ଷା କରିପାରିଛନ୍ତି।

Comment