ଓଡ଼ିଶାଲାଇଭ୍ ବ୍ୟୁରୋ
ଡିସେମ୍ବର ମାସରେ ଚୀନର ଉହାନରେ ଯେତେବେଳେ ପ୍ରଥମେ କରୋନା ଭାଇରସ ବ୍ୟାପିବା କଥା ଜଣାପଡ଼ିଲା କେହି ବି ଅନୁମାନ କରିନଥିଲେ ଯେ ଏହି ନିଆଁ ସମଗ୍ର ବିଶ୍ୱକୁ ମାଡ଼ିଯିବ। କିଏ ଭାବିଥିଲା କରୋନା ହଜାର ହଜାର ଲୋକଙ୍କ ଜୀବନ ନେବ, ଲକ୍ଷ ଲକ୍ଷ ଲୋକଙ୍କୁ ହସ୍ପିଟାଲରେ ପକାଇବ ଓ ଶହ ଶହ କୋଟି ଲୋକ ଘର ଭିତରେ ବନ୍ଦୀ ହୋଇ ରହିବେ?

କି ଅବସ୍ଥା!
କରୋନା ଭାଇରସ ତା’ର ଅସଲ ରୂପ ଦେଖାଇବା ଆରମ୍ଭ କଲା ମାର୍ଚ୍ଚ ମାସରେ। ଏବେ ଏହି ଭୂତାଣୁ ସମଗ୍ର ଦୁନିଆ ବୁଲି ସାରିଛି। ଯିଏ ଯିଏ ତାର ରାସ୍ତାରେ ଆସିଛନ୍ତି କରୋନା ସେମାନଙ୍କୁ ଗ୍ରାସ କରିବାରେ ଲାଗିଛି। ଆଜି ସୁଦ୍ଧା ପ୍ରାୟ ୨୫ ହଜାର ଲୋକ ଏଥିରେ ପ୍ରାଣ ହରାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୬ ଲକ୍ଷ ହୋଇଛି। କେତେକ ଦେଶ ଲକ୍ଡରଉନର ରାସ୍ତା ଅପଣେଇଛନ୍ତି ତ ଆଉ କିଛି ଦେଶ ପକ୍ଷରୁ ଟେସ୍ଟିଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଛି। ତେଣେ ଖରାପ ହେବାକୁ ଯାଉଥିବା ଆର୍ଥିକ ସ୍ଥିତିକୁ ସମ୍ଭାଳିବା ପାଇଁ କିଛି ଦେଶ କଡ଼ା ପଦକ୍ଷେପ ନେବା ଆବଶ୍ୟକ ମନେ କରିଛନ୍ତି। ଏହି ସବୁ ଘଟଣା ଭିତରେ ସମଗ୍ର ବିଶ୍ୱରେ ପ୍ରାୟ ୩୦୦ କୋଟି ଲୋକ ଗୃହ ବନ୍ଦୀ ଅବସ୍ଥାରେ ଅଛନ୍ତି।
ଆସନ୍ତୁ କରୋନାକୁ ନେଇ ଜାଣିବା କେଉଁଠି କ’ଣ ସ୍ଥିତି।
ଟପ୍ ୧୦ ଦେଶ
କରୋନା ଦ୍ୱାରା ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ଦେଶ ଭିତରେ ରହିଛନ୍ତି ଆମେରିକା, ଚୀନ, ଇଟାଲି ସ୍ପେନ, ଜର୍ମାନୀ, ଇରାନ, ସୁଇଜରଲ୍ୟାଣ୍ଡ, ବ୍ରିଟେନ ଓ ଦକ୍ଷିଣ କୋରିଆ। ଏହି ସବୁ ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଆମେରିକା ଭଳି ଏକ ବିତ୍ତଶାଳୀ ଦେଶ ଯେଉଁଠି ଭେଷଜ ବିଜ୍ଞାନ ଖୁବ ଉଚ୍ଚରେ ଏବଂ ଚିକିତ୍ସା ସୁବିଧା ଅତ୍ୟନ୍ତ ଉନ୍ନତ ସେହି ଦେଶ ବି କରୋନା ଯୋଗୁଁ ଦୋହଲିଯାଇଛି। ଭୂତାଣୁ ସଂକ୍ରମଣ କ୍ଷେତ୍ରରେ ଆମେରିକା ଏବେ ଇଟାଲିକୁ ପଛରେ ପକାଇ ଦେଇଛି। ଆମେରିକାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ପ୍ରାୟ ୧ ଲକ୍ଷ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ଦେଢ଼ ହଜାର ହୋଇଛି।
ଭାରତ ବନ୍ଦ
ଭାରତରେ କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ପଦକ୍ଷେପ ନେଇଛନ୍ତି ତାହାକୁ ପୂରା ସମର୍ଥନ ମିଳିଛି। ୧୩୦ କୋଟି ଲୋକ ଏବେ ନିଜ ନିଜ ଘର ଭିତରେ। ଯଦିଓ ଭାରତରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଛି, ତଥାପି ଏହା ନିୟନ୍ତ୍ରଣ ଭିତରେ ରହିଛି। ତେବେ କରୋନାର ପ୍ରଭାବ ଜାଣିବା ପାଇଁ ଆମକୁ ଆଉ କିଛି ଦିନ ଅପେକ୍ଷା କରିବାକୁ ହେବ ବୋଲି ବିଶେଷଜ୍ଞଙ୍କ ମତ। ଲକଡାଉନ ଘୋଷଣା ପରେ ସବୁଠାରୁ ବେଶି ହରକତ ହୋଇଛନ୍ତି ଅନ୍ୟ ରାଜ୍ୟକୁ କାମ ପାଇଁ ଯାଇ ଫସିଥିବା ଶ୍ରମିକ। ପରିବହନ ବ୍ୟବସ୍ଥା ବନ୍ଦ ହେବା ପରେ ଶ୍ରମିକ ଓ ତାଙ୍କ ପରିବାର ଲୋକେ ଶହ ଶହ କିମି ଚାଲିଚାଲି ଆସୁଥିବାର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ। ଆହୁରି ମଧ୍ୟ ଯେଉଁମାନଙ୍କ ପାଖରେ ଖାଇବା ପାଇଁ କିଛି ନାହିଁ ସେମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଲୋକେ ଆଗେଇ ଆସିଛନ୍ତି।

ଦୁଆ ମାଗୁଛନ୍ତି
ପଡ଼ୋଶୀ ପାକିସ୍ତାନରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୦୦ରେ ପହଁଚିଥିବା ବେଳେ ପ୍ରାୟ ଦଶ ଜଣ ପ୍ରାଣ ହରାଇଛନ୍ତି। ଜରୁରୀକାଳୀନ ପରିସ୍ଥିତିକୁ ସମ୍ମୁଖୀନ ହେବାକୁ ପାକିସ୍ତାନ ପାଖରେ ସାଧନ ନଥିବାରୁ ଆନ୍ତର୍ଜାତିକ ଉନ୍ନୟନ ପାଣ୍ଠିର ଦ୍ୱାରସ୍ଥ ହୋଇଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ। ପାକିସ୍ତାନରେ ହସ୍ପିଟାଲମାନଙ୍କରେ କାମ ଆରମ୍ଭ କରିବା ପୂର୍ବରୁ ଡାକ୍ତରମାନେ ଦୁଆ ମାଗିବା ଦେଖାଯାଇଛି।
ଘଣ୍ଟା ମାଡ଼
ଜାନୁଆରୀ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଅପରାହ୍ଣ ୫ଟାରେ ଯେଉଁଭଳି ଘଣ୍ଟି ଓ କରତାଳି ଦିଆଗଲା, ଠିକ ସେହିଭଳି ମେଡିକାଲ କର୍ମଚାରୀ, ପୋଲିସ ଓ ଅନ୍ୟାନ୍ୟ ଜରୁରୀକାଳୀନ ସେବାରେ ନିୟୋଜିତ ଲୋକଙ୍କୁ ଧନ୍ୟବାଦ ଅର୍ପଣ କରିବା ପାଇଁ ଦୁନିଆର ଅନ୍ୟ ଦେଶମାନଙ୍କରେ ମଧ୍ୟ ସେୟା କରାଯାଉଛି। ସ୍ପେନରେ ନିକଟରେ ଏଭଳି ଦେଖିବାକୁ ମିଳିଥିଲା। ଯେତେବେଳେ ମେଡିକାଲ କର୍ମଚାରୀଙ୍କୁ ନେଇ ଗାଡ଼ି ରାସ୍ତାରେ ଯାଉଥିଲା ଲୋକମାନେ କରତାଳି ମାରି ସେମାନଙ୍କୁ ଉତ୍ସାହିତ କରିବା ଦେଖା ଯାଇଥିଲା। ଲଣ୍ଡନରେ ମଧ୍ୟ ଦୁଇ ଦିନ ତଳେ ସେହିଭଳି ଦୃଶ୍ୟ ଆଖିରେ ପଡ଼ିଥିଲା।
















