ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରୁ ଟଳିନି କରୋନା ସଙ୍କଟ। ଏହି ମହାମାରୀ କାଳରେ ରାଜ୍ୟ ସରକାର ପ୍ରତିଟି ଜୀବନକୁ ଗୁରୁତ୍ୱ ଦେଇଛନ୍ତି। ତେଣୁ ଲୋକଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ୭୫୦ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୭ଦିନ ଭିତରେ ନୂଆ ସ୍ଥାନରେ ଯୋଗଦେବା ପାଇଁ ସେମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଡାକ୍ତରମାନେ ନିଯୁକ୍ତିପତ୍ରକୁ ହିଁ ଲକଡାଉନ୍ ଓ ସଟ୍‌ଡାଉନ୍‌ ସମୟରେ ଯାତାୟତ ପାଇଁ ପାସ୍‌ ଭାବେ ବ୍ୟବହାର କରିପାରିବେ। ସମ୍ପୃକ୍ତ ଡାକ୍ତରମାନଙ୍କୁ ସାଙ୍ଗରେ ନିଜର ଆଧାର କାର୍ଡ, ପାନ୍ କାର୍ଡ କିମ୍ବା ଭୋଟର କାର୍ଡ ନେଇ ଯିବାକୁ ପରାମର୍ଶ ଦିଆଯାଇଛି। ଏହି ଡାକ୍ତରମାନଙ୍କ ନିଯୁକ୍ତି ଅସ୍ଥାୟୀ ଓ ବିନା ସୂଚନାରେ ସେମାନଙ୍କୁ ଚାକିରିରୁ ବାଦ୍ ଦିଆଯାଇପାରିବ ବୋଲି ସ୍ୱାସ୍ଥ୍ୟ ବିଭାଗର ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

ରାଜ୍ୟ ଡାକ୍ତରୀ ଓ ସ୍ୱାସ୍ଥ୍ୟସେବା କ୍ୟାଡର ଅଫିସର ପଦବୀରେ ନିଯୁକ୍ତି ପାଇଁ ଓଡ଼ିଶା ଲୋକସେବା ଆୟୋଗ ୭୮୬ଜଣ ଡାକ୍ତରଙ୍କ ନାମ ସୁପାରିଶ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ଗୁରୁବାର ୭୫୦ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି । ଅନ୍‌ଲାଇନ୍‌ କାଉନସେଲିଙ୍ଗ ଜରିଆରେ ସେମାନଙ୍କ ନିଯୁକ୍ତି ସ୍ଥାନ ଚିହ୍ନଟ କରାଯାଇଥିଲା।

Comment