ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଜାରି ରହିଛି କରୋନାର ଦ୍ଵିତୀୟ ଲହର ସଂକ୍ରମଣ। ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ  ଅନୁସାରେ ପ୍ରତିଦିନ ହଜାରେ ତଳକୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସେମାନଙ୍କ ମଧ୍ୟରେ ୧୦୦ରୁ ଅଧିକ ଶିଶୁ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଏମାନଙ୍କୁ ନେଇ ସମସ୍ତେ ଚିନ୍ତିତ ଥିବାବେଳେ ଏବେ ସେହି ବର୍ଗର ଆକ୍ରାନ୍ତଙ୍କ ମୃତ୍ୟୁକୁ ନେଇ ଚିନ୍ତା ଆହୁରି ବଢ଼ିଯାଇଛି।

୮ ବର୍ଷର ନାବାଳିକା ମୃତ

ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ୫୩ଜଣଙ୍କ ଜୀବନ ନେଇଛି କରୋନା ମାହାମାରୀ। ସେମାନଙ୍କ ମଧ୍ୟରେ ଜଣେ ୮ବର୍ଷର ନାବାଳିକା ରହିଛି। ନାବାଳିକା ଜଣଙ୍କ ଝାରସୁଗୁଡ଼ାର ବୋଲି ଜଣାପଡ଼ିଛି। ସେ କରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେ ଅଲଗା ରୋଗରେ ମଧ୍ୟ ପୀଡ଼ିତ ଥିଲେ।

ସେହିପରି ଅନ୍ୟ ମୃତକମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬ଜଣ ରହିଥିବାବେଳେ ଜଗତସିଂହପୁର ଓ କେନ୍ଦୁଝରରୁ ୬ଜଣ ଲେଖାଏଁ, କଟକ ଓ ପୁରୀରୁ ୫ଜଣ ଲେଖାଏଁ, ଯାଜପୁରରୁ ୪, କେନ୍ଦ୍ରାପଡ଼ାରୁ ୨, ଅନୁଗୁଳ, ବଲାଙ୍ଗିର, ଝାରସୁଗୁଡ଼ା, ମୟୂରଭଞ୍ଜ, ନବରଙ୍ଗପୁର ଓ ନୟାଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି। ସମସ୍ତେ କରୋନାରେ ପୀଡ଼ିତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ଏଥିସହ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ହଜାର ୨୨କୁ ବୃଦ୍ଧି ପାଇଛି।ପୂର୍ବରୁ ଦୁଇ ଶିଶୁ କନ୍ୟା ଆଖି ବୁଜିଥିଲେ

ଅଗଷ୍ଟ ୨୭ତାରିଖରେ କରୋନାରେ ୨ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଥିଲା। ଉଭୟ ଶିଶୁ ମୟୂରଭଞ୍ଜ ଜିଲ୍ଲାର ଥିଲେ। କରୋନା ଆକ୍ରାନ୍ତ ହେବା ପରେ ସେମାନେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ଚିକିତ୍ସଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।

ରାଜ୍ୟର କରୋନା ସ୍ଥିତି

ସମ୍ପ୍ରତି ରାଜ୍ୟର କରୋନା ସ୍ଥିତି ଚିନ୍ତାଜନକ ନଥିଲେ ମଧ୍ୟ କରୋନା ଜନିତ ମୃତ୍ୟୁ ସମସ୍ତଙ୍କ ଚିନ୍ତା ବଢ଼ାଇଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ୭୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୨୨ ଜଣ ସଙ୍ଗରୋଧକେନ୍ଦ୍ରର ହୋଇଥିବାବେଳେ ୨୯୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସ୍କ ୧୨୫ ଜଣ ରହିଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏମାନଙ୍କ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୮ ହଜାର ୪୬୯ରେ ପହଞ୍ଚିଛି। ସେହିପରି ସୁସ୍ଥ ସଂଖ୍ୟା ୯ଲକ୍ଷ ୯୩ହଜାର ୨୩୫ରେ ପହଞ୍ଚିଛି। ଏଯାବତ୍ ୭ହଜାର ୧୫୯ ସକ୍ରିୟ ମାମଲା ରହିଛି।

Comment