ଓଡ଼ିଶାଲାଇଭ୍ ବ୍ୟୁରୋ

ବୟସ୍କଙ୍କ ପରେ ଏବେ କରୋନା କବଳରେ ଛୋଟପିଲା ବା ୧୮ ବର୍ଷରୁ କମ୍ ବୟସ୍କ। ଏହି ବର୍ଗର ପିଲାମାନେ ଅଧିକ ସଂକ୍ରମିତ ହେଉଥିବା ଦେଖିବାକୁ ମିଳୁଛି। ଏହି କ୍ରମରେ ରାଜ୍ୟର ଢ଼େଙ୍କାନାଳ ଓ ବରଗଡ଼ ଜିଲ୍ଲାର ୨ଟି ସ୍କୁଲରୁ ୩୪ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେପଟେ ଏ ଘଟଣାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି, ଦୁଇ ଜିଲ୍ଲାର ସିଡିଏମଓଙ୍କ ସହ ଯୋଗାଯୋଗରେ ରହିଛୁ। ତଦନ୍ତ ପ୍ରକ୍ରିୟା ଜାରି ରହିଛି। ସ୍ଥିତି ଅନୁଧ୍ୟାନ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ।

ସଂକ୍ରମଣ କମିବାପରେ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ଖୋଲିବାକୁ ସରକାର ଅନୁମତି ଦେଇଥିଲେ। ସେହି ଅନୁସାରେ କରୋନା କଟକଣା ମଧ୍ୟରେ ନବମ ଓ ଦଶମ ଛାତ୍ରଛାତ୍ରୀ ଅଫଲାଇନ ଯୋଗେ ଶିକ୍ଷା ଗ୍ରହଣ କରୁଥିଲେ। କିନ୍ତୁ ଢ଼େଙ୍କାନାଳ ଓ ବରଗଡ଼ ସ୍କୁଲରୁ ଏକା ସାଙ୍ଗରେ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ଘଟଣା ଅଭିଭାବକଙ୍କୁ ଭୟଭୀତ କରିଛି।

ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଞ୍ଚାୟତ କାନପୁରା ହାଇସ୍କୁଲରୁ ସମୁଦାୟ ୨୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୪ ଜଣ ଛାତ୍ରଛାତ୍ରୀ ରହିଥିବାବେଳେ ଆଉ ୫ ଜଣ ଶିକ୍ଷକ ଏବଂ ଜଣେ ପିଅନ ରହିଛନ୍ତି। ପଜିଟିଭ୍ ଚିହ୍ନଟ ହେବାପରେ ଉକ୍ତ ସ୍କୁଲକୁ ୭ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି। ସେହିପରି ବରଗଡ଼ ଜିଲ୍ଲାର ଏକ ସ୍କୁଲରୁ ମଧ୍ୟ  ୧୪ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି।

ଏନେଇ ମନ୍ତ୍ରୀ ସମୀର ଦାସ କହିଛନ୍ତି, “କିଭଳି ଏତେ ସଂଖ୍ୟକ ଛାତ୍ରଛାତ୍ରୀ ପଜିଟିଭ୍ ହେଲେ ସେନେଇ ତଦନ୍ତ କରାଯାଉଛି। ଉଭୟ ଜିଲ୍ଲାର ସିଡିଏମଓଙ୍କ ସହ ଯୋଗଯୋଗରେ ରହିଛୁ। ସଠିକ୍ ତଥ୍ୟ ଜଣାପଡ଼ିବାପରେ ଆବଶ୍ୟକ ପଦକ୍ଷେପ ନିଆଯିବ। ଦରକାର ପଡ଼ିଲେ ଅଫଲାଇନ କ୍ଲାସ ମଧ୍ୟ ବନ୍ଦ କରାଯିବ। ବର୍ତ୍ତମାନ ଉକ୍ତ ସ୍କୁଲଗୁଡ଼ିକୁ ୭ ଦିନ ପାଇଁ ବନ୍ଦ କରି ଦିଆଯାଇଛି। ଛାତ୍ରଛାତ୍ରୀମାନେ ଘରେ ରହି ଅନଲାଇନ କ୍ଲାସ କରିପାରିବେ।”

Comment