ଓଡ଼ିଶାଲାଇଭ୍ ବ୍ୟୁରୋ

  • ସେପ୍ଟେମ୍ଵରରୁ ତୃତୀୟ ଲହର କରୋନା ଆରମ୍ଭ ସମ୍ଭାବନା
  • ଅକ୍ଟୋବରରେ ଶୀର୍ଷ ଛୁଇଁବ ସଂକ୍ରମଣ
  • ତୃତୀୟ ଲହରରେ ଅଧିକ ସଂକ୍ରମିତ ହେବେ ଶିଶୁ
  • ଓଡ଼ିଶାରେ ଦୈନିକ କରୋନା କେସ୍ ୧୪ ହଜାର ଛୁଇଁବ

ଓଡ଼ିଶାର କରୋନା ମିଟର ଏବେ ଖସିବାରେ ଲାଗିଛି। ଲଗାତାର ୫ ଦିନ ହେଲା ଦୈନିକ ସଂକ୍ରମଣ ୧୦୦୦ ତଳେ ରହୁଛି। କରୋନା ସ୍ଥିତିରେ ହ୍ରାସ ଆଶ୍ଵସ୍ତି ଦେଉଛି। କିନ୍ତୁ ଏହାରିମଧ୍ୟରେ ବିଶେଷଜ୍ଞଙ୍କ ଆକଳନ ପୁଣି ଡରାଇ ଦେଲାଣି। ସେପ୍ଟେମ୍ଵରରୁ ତୃତୀୟ ଲହର ଆରମ୍ଭ ହେବ। ରାଜ୍ୟରେ ଦୈନିକ ୧୪ ହଜାର ପାଖାପାଖି ସଂକ୍ରମିତ ବାହାରିବେ ବୋଲି ସ୍ଵାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।ସେପ୍ଟେମ୍ଵରରୁ ତୃତୀୟ ଲହର

ସୋମବାର ଦିନ ଜାତୀୟ ବିପର୍ଯ୍ୟୟ ପରିଚାଳନା ଅନୁଷ୍ଠାନ (ଏନ୍‌ଆଇଡିଏମ୍‌)ର ଏକ ବିଶେଷଜ୍ଞ କମିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶର କରୋନା ସ୍ଥିତି ସମ୍ବନ୍ଧୀୟ ଏକ ରିପୋର୍ଟ ପ୍ରଦାନ କରିଛି। ଆଗକୁ ଦେଶରେ କରୋନାର ତୃତୀୟ ଲହର ସଂକ୍ରମଣ ଆସୁଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ରିପୋର୍ଟ ମୁତାବକ ଆସନ୍ତା ସେପ୍ଟେମ୍ଵରରେ ତୃତୀୟ ଲହର ଆରମ୍ଭ ହେବ। ଏହା ଅକ୍ଟୋବର ଆଡ଼କୁ ଶୀର୍ଷ ବା ପିକ୍‌କୁ ଯିବ। ଏହି ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବେ। ଦେଶରେ ଦୈନିକ ସଂକ୍ରମଣ ୩ରୁ ୪ ଲକ୍ଷ ଟପିବ।ଓଡ଼ିଶାରେ ଦୈନିକ ସଂକ୍ରମଣ ୧୪ ହଜାର ଛୁଇଁବ!

ରାଜ୍ୟରେ ଦ୍ଵିତୀୟ ଲହର କୋଭିଡର ଭୟ ନ ସରୁଣୁ ତୃତୀୟ ଲହରର ଶଙ୍କା ଦେଖିବାକୁ ମିଲିଲାଣି। ଯଦି ତୃତୀୟ ଲହର ଆସେ ତେବେ ରାଜ୍ୟରେ ଦିନକୁ ସର୍ବାଧିକ ୧୪ ହଜାର ପାଖାପାଖି ଆକ୍ରାନ୍ତ ବାହାରିବେ। ତୃତୀୟ ଲହରରେ ଶିଶୁମାନଙ୍କୁ ଅଧିକ ବିପଦ ରହୁଥିବାରୁ ତାହା ଏବେ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ।

୧୦ ଦିନରେ ଓଡ଼ିଶାରୁ ୧୧୨୯ ଶିଶୁ କରୋନା ପଜିଟିଭ୍

ରାଜ୍ୟରେ ୧୮ ବର୍ଷରୁ କମ୍ ବୟସ୍କ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ଅଗଷ୍ଟ ୧୪ରୁ ସରକାର ଦୈନିକ କରୋନା ରିପୋର୍ଟରେ ସେହି ବର୍ଗର ତଥ୍ୟ ପ୍ରଦାନ କରୁଛନ୍ତି। ଯଦି ଗତ ୧୪ରୁ ୨୪ ତାରିଖ, ଦଶ ଦିନର କରୋନା ରିପୋର୍ଟକୁ ଅନୁଧ୍ୟାନ କରାଯାଏ ତେବେ ଏହି ୧୦ ଦିନରେ ରାଜ୍ୟରୁ ମୋଟ୍ ୮,୮୧୬ ଜଣ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି। ଯେଉଁଥିରୁ ୧୮ ବର୍ଷରୁ କମ୍ ବୟସ୍କ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧,୧୨୯। ଏହି ତଥ୍ୟରୁ ଏହା ଆକଳନ କରାଯାଇପାରେ ଯେ, ରାଜ୍ୟରେ ଖୁବଶୀଘ୍ର ତୃତୀୟ ଲହର ଆରମ୍ଭ ହେବ।

ହଟସ୍ପଟ୍ ହେବ କି ସ୍କୁଲ, କଲେଜ?

ରାଜ୍ୟରେ କରୋନା ସ୍ଥିତି ସାମାନ୍ୟ ସୁଧୁରିବା ପରେ ଜୁଲାଇ ମାସରୁ ରାଜ୍ୟରେ ସ୍କୁଲ, କଲେଜ ଆଦି ଖୋଲିବାକୁ ସରକାର ଅନୁମତି ଦେଇଥିଲେ। ରାଜ୍ୟରେ ଏବେ ନବମ, ଦଶମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ସ୍କୁଲ ଆସୁଥିବା ବେଳେ ଯୁକ୍ତ ତିନି ଏବଂ ପିଜି ଛାତ୍ରଛାତ୍ରୀଙ୍କ କଲେଜ ମଧ୍ୟ ଖୋଲିଛି। କରୋନା କଟକଣା ମଧ୍ୟରେ ପାଠପଢ଼ା ହେଉଥିଲେ ମଧ୍ୟ ସଂକ୍ରମଣର ଭୟକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। କାରଣ ୧୮ ବର୍ଷରୁ କମ୍ ବୟସ୍କଙ୍କୁ ଏଯାଏଁ ଟିକା ମିଳିନାହିଁ।covid testing centers-2ନୂଆ ଷ୍ଟ୍ରେନ୍ ନ ଆସିଲେ ତୃତୀୟ ଲହରର ଭୟ କମ୍

ଗୋଟିଏ ପଟେ କରୋନାର ତୃତୀୟ ଲହର ଆଶଙ୍କା ସମସ୍ତଙ୍କୁ ଡରାଉଥିବା ବେଳେ କେତେକ ସ୍ଵାସ୍ଥ୍ୟ ବିଶେଷଜ୍ଞ ଆଶ୍ଵସ୍ତିକର ମତ ଦେଇଛନ୍ତି। ଡାକ୍ତର ନିରୋଜ ମିଶ୍ରଙ୍କ କହିବା ଅନୁସାରେ ତୃତୀୟ ଲହରରେ ଯଦି ଡେଲ୍‌ଟା ଭାରିଆଣ୍ଟଠାରୁ ଅଧିକ ଭୟଙ୍କର ନୂଆ ଷ୍ଟ୍ରେନ୍ ଆସିବ ତାହାଲେ ସ୍ଥିତି ଗମ୍ଭୀର ହେବ। ହେଲେ ଯଦି ଏଯାଏଁ ନୂଆ ଷ୍ଟ୍ରେନ୍ ଆସିବା ନେଇ କୌଣସି ଆକଳନ ହୋଇନି। ଅନ୍ୟପଟେ ରାଜ୍ୟରେ ହୋଇଥିବା ସେରୋଲୋଜିକାଲ ସର୍ଭେରୁ ଏହା ମଧ୍ୟ ସ୍ପଷ୍ଟ ହୋଇସାରିଛି ଯେ, ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଛି। ତେଣୁ ତୃତୀୟ ଲହର ସାଙ୍ଘାତିକ ହେବାର ସମ୍ଭାବନା କମ୍ ରହିଛି।

ସେହିପରି ଅନ୍ୟଜଣେ ବିଶେଷଜ୍ଞଙ୍କ କହିଛନ୍ତି ଯେ, ତୃତୀୟ ଲହର ଏତେ ମାରାତ୍ମକ ହେବନାହିଁ। କାରଣ ଦେଶରେ ମାତ୍ରାଧିକ ସଂଖ୍ୟାରେ ଟିକାକରଣ ହୋଇଛି। ତେଣୁ ତୃତୀୟ ଲହର ସଂକ୍ରମଣର ସମ୍ଭାବନା କମ୍ ରହିଛି।

ସେପ୍ଟେମ୍ଵର ପରେ ଶିଶୁଙ୍କ ପାଇଁ ଆସିବ କରୋନା ଟିକା

ଏଯାଏଁ ୧୮ ବର୍ଷରୁ କମ୍ ବୟସ୍କଙ୍କୁ କରୋନା ଟିକା ଦିଆଯାଇ ନଥିବାରୁ ତୃତୀୟ ଲହରରେ ସେମାନଙ୍କ କ୍ଷେତ୍ରରେ ଅଧିକ ସଂକ୍ରମଣ ହେବାର କାରଣ ଆଶଙ୍କା ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ତେବେ ଏହାରି ମଧ୍ୟରେ ଭାରତ ସରକାର ୧୨ରୁ ୧୮ ବର୍ଷ ବୟସ୍କ ବର୍ଗଙ୍କ କ୍ଷେତ୍ରରେ ଜାଇକୋଭ୍-ଡି କରୋନା ଟିକାକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଆସନ୍ତା ସେପ୍ଟେମ୍ଵର ମଧ୍ୟ ଭାଗକୁ ଏହା ଦେଶରେ ଉବଲବ୍ଧ ହେବ। ଶିଶୁଙ୍କ କ୍ଷେତ୍ରରେ ଏହି ଟିକା ୬୬ ପ୍ରତିଶତ ପ୍ରଭାବୀ ହେବାନେଇ ପରୀକ୍ଷଣରୁ ସ୍ପଷ୍ଟ ହୋଇଛି। ତେଣୁ ସେପ୍ଟେମ୍ଵର ଶେଷ ଆଡ଼କୁ ଦେଶରେ ୧୮ ବର୍ଷରୁ କମ୍ ବୟସ୍କଙ୍କୁ ଟିକା ଦିଆଗଲେ ତୃତୀୟ ଲହର ସଂକ୍ରମଣରୁ ନିଶ୍ଚିତ ରୂପେ ଏଡ଼ାଇ ଦିଆଯାଇ ପାରିବ।

Comment