ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ୧୦ହଜାରରୁ ୧୧ହଜାର ଭିତରେ ରହିଛି। ଦୁଇଦିନ ହେବ ମୃତ୍ୟୁ ସଂଖ୍ୟା ସ୍ଥିର ରହିଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଆଜି ରାଜ୍ୟରୁ ୧୦ହଜାର ୩୨୧ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରର ୫୭୭୯ଜଣ ହୋଇଥିବାବେଳେ, ୪୫୪୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ୨୨ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ।

ଆଜିର ତଥ୍ୟ ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୮୧୯ ଓ କଟକରୁ ୭୩୧ଜଣ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୪୭୧, ବରଗଡ଼ରୁ ୩୨୦, ଯାଜପୁରରୁ ୩୩୦, ମୟୁରଭଞ୍ଜରୁ ୪୫୮, ସମ୍ବଲପୁରରୁ ୪୦୫ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହିଭଳି ଭାବରେ ସବୁ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ବଢ଼ିବାରେ ଲାଗିଛି।ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ପଜିଟିଭ୍ ସଂଖ୍ୟା ୬ଲକ୍ଷ ୩୩ହଜାର ୩୦୨ରେ ପହଞ୍ଚିଛି। ଗତ ୨୪ଘଣ୍ଟାରେ ସୁସ୍ଥ ହୋଇଥିବା ୧୧୮୨୧ ଜଣଙ୍କୁ ମିଶାଇ ସମୁଦାୟ ୫ଲକ୍ଷ ୨୬ହଜାର ୩୫୩ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଯାବତ୍ ୧ଲକ୍ଷ ୦୪ହଜାର ୫୩୯ ଆକ୍ଟିଭ କେସ୍ ରହିଛି।

ଅନ୍ୟପଟେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏବେ ଦୁଇ ଦିନ ହେବ ସ୍ଥିର ରହିଛି। ଅର୍ଥାତ୍ ମେ’ ୧୭ରେ କରୋନାରେ ଯେତିକି ଜଣଙ୍କ ଦେହାନ୍ତ ହୋଇଥିଲା ଆଜି ମଧ୍ୟ ସେତିକି ଜଣଙ୍କ ଦେହାନ୍ତ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ଆଜି ରାଜ୍ୟରୁ ୨୨ଜଣ ଆକ୍ରାନ୍ତ କରୋନାରେ ଆଖି ବୁଜିଛନ୍ତି। ସେମାନଙ୍କ ମଧ୍ୟରେ ଭୁବନେଶ୍ୱର, ବୌଦ୍ଧ, ନୂଆପଡ଼ା ଓ ସୁନ୍ଦରଗଡ଼ରୁ ତିନିଜଣ ଲେଖାଏଁ ରହିଛନ୍ତି। ସେହିପରି ବଲାଙ୍ଗୀରର ଜଣେ, ଗଜପତିର ଦୁଇଜଣ, କଳାହାଣ୍ଡି, କୋରାପୁଟ, ରାୟଗଡ଼ାର ଦୁଇ ଜଣ ଲେଖାଏଁ ରହିଛନ୍ତି। ଏମାନେ ସମସ୍ତେ କରୋନାରେ ଆକ୍ରାନ୍ତ ହୋଇ ଭିନ୍ନ ଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ଏହି ମୃତକମାନଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୩୫୭ ରେ ପହଞ୍ଚିଛି।

Comment