ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ : ରାୟଗଡ଼ା ଜିଲ୍ଲାରେ ଲକ୍‌ଡାଉନ ପ୍ରଭାବ ଦେଖିବାକୁ ମିଳିଛି। କେବଳ ଜରୁରୀକାଳୀନ ସେବାକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଜିଲ୍ଲାରେ ଲକ୍‌ଡାଉନର ତଦାରଖ କରୁଛନ୍ତି।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ମଧ୍ୟରାତ୍ରରିୁ ସମ୍ପୂର୍ଣ୍ଣ ଜିଲ୍ଲାରେ ଲକ୍‌ଡାଉନ ଲାଗୁ କରାଯାଇଛି। ବିନା କାରଣରେ ଘରୁ ବାହାରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। କେବଳ ଜରୁରୀକାଳୀନ ପରିସ୍ଥିତିରେ ହିଁ ଲୋକଙ୍କୁ ବାହାରକୁ ଆସିବାକୁ ଦିଆଯାଉଛି। ଏନେଇ ରାୟଗଡ଼ା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସେହିଭଳି ସହରର ବିଭିନ୍ନ ସ୍ଥାନରେ ପୋଲିସ ପେଟ୍ରୋଲିଂ କରୁଛି। ଆବଶ୍ୟକ ସାମଗ୍ରୀ ଦୋକାନ ଛଡ଼ା ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୋଟିଏ ସ୍ଥାନରେ ଏକାଧିକ ଲୋକଙ୍କୁ ଏକତ୍ରିତ ହେବାକୁ ଦିଆଯାଉ ନାହିଁ। ଏହାସହ ଜିଲ୍ଲାର ସମସ୍ତ ସୀମାନ୍ତରେ ପୋଲିସ ମୁତୟନ ରହି ବାହାରୁ ଆସୁଥିବା ଲୋକଙ୍କ ଯାଞ୍ଚ କରୁଛି। କେବଳ ମାଲବାହୀ ଗାଡ଼ି ଛଡ଼ା ଅନ୍ୟ କୌଣସି ଭାରଯାନକୁ ଜିଲ୍ଲା ଭିତରକୁ ଆସିବାକୁ ଦିଆଯାଉନାହିଁ। ଏଥିପାଇଁ ଜିଲ୍ଲାରେ ୯ ପ୍ଲାଟୁନ ପୋଲିସ ମୁତୟନ ହୋଇଥିବା ନେଇ ରାୟଗଡ଼ା ଏସପି ଡକ୍ଟର ଶର୍ବଣ ବିବେକ ଏମ ସୂଚନା ଦେଇଛନ୍ତି।
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। କରୋନା ଭାରରସଠାରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ନିତାନ୍ତ ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏପ୍ରିଲ ୧୪ତାରିଖ ଯାଏଁ ସାରା ଦେଶକୁ ଲକ୍‌ଡାଉନ ଘୋଷଣା କରିଛନ୍ତି। ଲକ୍‌ଡାଉନ ନିୟମ ନପାଳିଲେ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

Comment