ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ଯୋଗୁଁ ଟ୍ରଲି ଯୋଗେ ଦିଲ୍ଲୀରୁ ବିହାର, ନିଜ ଗାଁକୁ ଫେରିଲେ ଶ୍ରମିକ।

ଟ୍ରଲି ଚଲାଇ ଦିଲ୍ଲୀରୁ ବିହାର। ଦୀର୍ଘ ୧୦ ଦିନ ପରେ ଘରେ ପହଞ୍ଚିଲେ ଶ୍ରମିକ। କଥାଟା ବିଶ୍ୱାସ ହେଉନଥିଲେ ବି ସତ। ବିହାରର ଜଣେ ୩୮ ବର୍ଷୀୟ ଶ୍ରମିକ ସମୀରୁଲ ମାର୍ଚ୍ଚ ୨୨ରୁ ଦିଲ୍ଲୀରୁ ବାହାରି ମାର୍ଚ୍ଚ ୩୧ରେ ବିହାରରେ ପହଞ୍ଚିଥିଲେ। ସମୀରୁଲଙ୍କ ଘର ବିହାରର ମଧୁବାନୀ ଜିଲ୍ଲାର ହରଲାଖୀ ବ୍ଲକରେ। ସମୀରୁଲ ଗତ ୧୮ ବର୍ଷ ଧରି ଦିଲ୍ଲୀର ଆଜାଦ ମାର୍କେଟରେ କାମ କରିଆସୁଛନ୍ତି।

ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁ ପରେ ହିଁ ସେ ତାଙ୍କ ଶ୍ରମିକ ସାଙ୍ଗମାନଙ୍କ ସହିତ ଘରକୁ ଆସିବା ପାଇଁ ଟ୍ରଲି ଧରି ବାହାରି ପଡ଼ିଥିଲେ।

”ହଠାତ୍‌ କିଛି ବୁଝାପଡ଼ୁନଥିଲା। କ’ଣ କରିବୁ ଭାବିଲୁ। କିଛି ରୋଜଗାର ହେଉନଥିଲ। ଚା’ ଜଳଖିଆ ଦୋକାନ ସବୁ ବନ୍ଦ ଥିଲା।  ରାମବାଗରେ ଶୋଇପଡ଼ିବାକୁ ଭାବିଲୁ ହେଲେ ସେଠାରେ ପୋଲିସ ସମସ୍ତଙ୍କୁ ତଡ଼ୁଥିଲା। ସେଥିପାଇଁ ଘରୁକୁ ଫେରିବାକୁ ସ୍ଥିର କଲୁ’’, କହିଛନ୍ତି ସମୀରୁଲ।

ସମୀରୁଲ ଏବଂ ତାଙ୍କ ସାଥୀମାନେ ସାଙ୍ଗରେ କିଛି ଖାଦ୍ୟ ନେଇ ଘରମୁହାଁ ହୋଇଥିଲେ। ରାସ୍ତାରେ କେଉଁଠି କେଉଁଠି କିଛି ଖାଇବାକୁ ମିଳୁଥିଲା। ଥକି ଗଲେ ରାସ୍ତାରେ ଟ୍ରଲି ରଖି ସେମାନେ ବିଶ୍ରାମ କରୁଥିଲେ। ସମୀରୁଲ ତାଙ୍କ ପରିବାରକୁ ସେ ଫେରୁଛନ୍ତି ବୋଲି ଫୋନରେ ସୂଚନା ଦେଇଥିଲେ।

ଜନତା କର୍ଫ୍ୟୁ ଉଠିବା ପରେ ସମୀରୁଲ ଓ ତାଙ୍କ ସାଙ୍ଗାଙ୍କ ଚିନ୍ତା ବଢ଼ାଇଥିଲା ଲକଡାଉନ୍‌। ହଠାତ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ୨୧ ଦିନିଆ ଲକଡାଉନ୍‌ ଘୋଷଣା କଲେ। ଲକ୍‌ଡାଉନ ଭିତରେ ଟ୍ରଲି ଟାଣି ଗାଁ ଫେରିବା ସମୀରୁଲ ଓ ତାଙ୍କ ସାଥୀଙ୍କ ପାଇଁ କାଠିକର ପାଠ ହୋଇଥିଲା।

ସମୀରୁଲ ତାଙ୍କ ଗାଁରେ ପହଞ୍ଚିବା ପରେ ଗ୍ରାମବାସୀ ତାଙ୍କୁ ସ୍ୱାଗତ କରିଥିଲେ। ତାଙ୍କୁ ମେଡିକାଲ ନେଇ ଯାଞ୍ଚ କରାଇଥିଲେ। ଏବେ ସମୀରୁଲ ତାଙ୍କ ସାଥୀଙ୍କୁ ଗାଁ ସ୍କୁଲରେ ରଖାଯାଇଛି।

ଅନ୍ୟପକ୍ଷରେ ସମୀରୁଲଙ୍କ ସ୍ତ୍ରୀ ଓ ପିଲାମାନେ ତାଙ୍କୁ ଦେଖି ଖୁସି ହୋଇଥିଲେ। ମାତ୍ର କରୋନା ଆଶଙ୍କା ଥିବାରୁ ସେ ସମୀରୁଲଙ୍କଠାରୁ ଦୂରତା ଅବଲମ୍ବନକରୁଥିଲେ।

Comment