ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଲକ୍ଡାଉନ ବେଳେ ଅସହାୟମାନଙ୍କ ପାଇଁ ସାହାରା ପାଲଟିଛନ୍ତି ଉତ୍ତରପ୍ରଦେଶର ଶକିଳ ଅହମ୍ମଦ। ବିଜନୋର ଜିଲ୍ଲାରେ ଏକ ଠେଲା ଲଗାଇ ଫଳ ବିକନ୍ତି ଶକିଳ। ଲକ୍ଡାଉନ ବେଳେ ବାହାର ରାଜ୍ୟରୁ ଆସି ଫସି ରହିଥିବା ଲୋକଙ୍କୁ ପ୍ରତିଦିନ ଲୋକଙ୍କୁ ଖାଇବା ପ୍ୟାକେଟ ବାଣ୍ଟୁଛନ୍ତି। ଶକିଳଙ୍କ ସହ ତାଙ୍କ ପରିବାର ମଧ୍ୟ ଲୋକଙ୍କୁ ସାହାଯ୍ୟ କରିବାକୁ ବାହାରି ପଡ଼ିଛନ୍ତି।
“ମୋର ଦିନକୁ ୫୦୦ରୁ ୬୦୦ଟଙ୍କା ରୋଜଗାର ହୁଏ। ଏହି ଟଙ୍କାରୁ ମୁଁ ମୋ ପରିବାର ପାଇଁ ୨୫୦ଟଙ୍କା ରଖି ବାକି ଟଙ୍କାରେ ଲୋକଙ୍କ ପାଇଁ ଘରେ ରନ୍ଧା ଖାଦ୍ୟ ପ୍ରସ୍ତୁତ କରିଥାଏ। ଲକ୍ଡାଉନ ଦିନଠାରୁ ପ୍ରତିଦିନ ପ୍ରାୟ ୪୦ରୁ ୫୦ଜଣ ଲୋକଙ୍କୁ ଖାଇବାକୁ ଦେଇପାରୁଛି।” ଏହା କହିଛନ୍ତି ଲକ୍ଡାଉନ ବେଳେ ଅସହାୟମାନଙ୍କୁ ଖାଇବାକୁ ଯୋଗାଉଥିବା ଉତ୍ତରପ୍ରଦେଶର ଜଣେ ଫଳ ବିକାଳି ଶକିଳ ଅହମ୍ମଦ।
କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ଏପ୍ରିଲ ୧୪ ତାରଖ ଯାଏଁ ସାରା ଦେଶକୁ ଲକ୍ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ବିଭିନ୍ନ ରାଜ୍ୟରେ ବାହାର ରାଜ୍ୟର ଲୋକେ ଫସି ରହିଛନ୍ତି। ସେମାନଙ୍କୁ ଖାଇବା ପିଇବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କ ପାଇଁ ସାହାରା ପାଲଟିଛନ୍ତି ଶକିଳ ଅହମ୍ମଦ।
ପରିବାର କରୁଛନ୍ତି ସହୟତା
ବିଜନୋର ଜିଲ୍ଲାର କୋତବାଲି ସହରରେ ବାସ କରନ୍ତି ଶକିଳ ଅହମ୍ମଦ ଓ ତାଙ୍କ ପରିବାର। ବିଜ୍ନୋର ରେଳ ଷ୍ଟେସନ ପାଖରେ ଏକ ଠେଲାରେ ଫଳ ବିକନ୍ତି ଶକିଳ। ଅପରାହ୍ଣ ୨.୩୦ଯାଏଁ ସେ ଫଳ ବିକନ୍ତି। ଏହାପରେ ସେ ବାହାରି ପଡ଼ନ୍ତି ଲୋକଙ୍କୁ ସାହାଯ୍ୟକୁ କରିବାକୁ। ଏଥିରେ ତାଙ୍କର ପୁଅ, ଝିଅ, ଓ ତାଙ୍କ ଭାଉଜ ମଧ୍ୟ ସହାୟତା କରିଥାନ୍ତି।
ଏନେଇ ଶକିଳ କହିଛନ୍ତି ଯେ, କରୋନା ଭାଇରସକୁ ରୋକିବା ପାଇଁ ସରକାର ବିଭିନ୍ନ ସଚେତନମୂଳକ ପଦକ୍ଷେପ ନେଉଛନ୍ତି। ଏହି ସମୟରେ ବାହାର ରାଜ୍ୟର ଲୋକଙ୍କୁ ସମସ୍ତ ପ୍ରକାର ସହାୟତ ଯୋଗାଇ ଦେବାକୁ ପ୍ରଧାନ ମନ୍ତ୍ରୀ ଆହ୍ଵାନ ଦେଇଛନ୍ତି। ଏଥିପାଇଁ ମୋ ଦ୍ଵାରା ଯେତିକି ହୋଇ ପାରୁଛି ମୁଁ ଲୋକଙ୍କୁ ସହାୟତା କରୁଛି। ଏହି ସଙ୍କଟ ସମୟରେ ଲୋକଙ୍କ ସେବା କରି ମୋତେ ଶାନ୍ତି ମିଳୁଛି।

ଶକିଳ ଫଳ ବିକି ସାରିବା ପରେ ବାହାରି ପଡ଼ନ୍ତି ଲୋକଙ୍କୁ ଖାଇବା ବାଣ୍ଚିବାକୁ। ରେଳ ଷ୍ଟେସନ ପାଖରେ ଓ ବସଷ୍ଟାଣ୍ଡ ପାଖରେ ଥିବା ଅସହାୟ ଲୋକଙ୍କୁ ଖାଇବାକୁ ଦେଇଥାନ୍ତି।
ସଙ୍କଟ ସମୟରେ ପରସ୍ପରକୁ ସାହାଯ୍ୟ କରନ୍ତୁ
“ଦେଶରେ କରୋନା ଭାଇରସ ଯୋଗୁଁ ସଙ୍କଟ ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ପରସ୍ପରକୁ ସାହାଯ୍ୟ କରି ବଞ୍ଚି ରହିବା ଆବଶ୍ୟକ। ଏଥିପାଇଁ ଏକ ସଚେତନ ନାଗରିକ ଭାବରେ ଲୋକଙ୍କୁ ସାହାଯ୍ୟ କରୁଛି। ଏହି ସ୍ଥିତିରେ ଆମେ ପରସ୍ପରକୁ ସାହାଯ୍ୟ ନକଲେ କିଏ କରିବ?” ପ୍ରଶ୍ନ କରିଛନ୍ତି ଶକିଳ ଅହମ୍ମଦ। ସ୍ଵଳ୍ପ ରୋଜଗାର ସତ୍ତ୍ଵେ ଏହି ବିକଟାଳ ପରିସ୍ଥିତିରେ ଶକିଳ ଲୋକଙ୍କୁ ସାହାଯ୍ୟ କରିବାକୁ ପଛାଇ ନାହାନ୍ତି। ଏଥିପାଇଁ ତାଙ୍କୁ ସ୍ଥାନୀୟ ଅଞ୍ଚଳର ଲୋକେ ସାଧୁବାଦ ଜଣାଇଛନ୍ତି।

କରୋନା ଭାଇରସ ଯୋଗୁଁ ସାରାଦେଶକୁ ଏପ୍ରିଲ ୧୪ ତାରିଖ ଯାଏଁ ଲକ୍ଡାଉନ ଘୋଷଣା କରାଯାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୨୦୮୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କରୋନା ଭାଇରସଠାରୁ ରକ୍ଷା ପାଇଁ ବାରମ୍ବାର ସାମାଜିକ ଦୂରାତ ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି।


















