ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ଯୋଗୀ ଆଦିତ୍ୟନାଥଙ୍କୁ ନେଇ ରାଜନୀତିରେ ଗଣିତ କଷୁଛି ବିଜେପି।

ଜାତି ଓ ଧର୍ମକୁ ନେଇ ଉତ୍ତରପ୍ରଦେଶ ରାଜନୀତି ସବୁବେଳେ ସରଗରମ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଧର୍ମକୁ ନେଇ ରାଜନୀତି ତେଜିଛି। ଯୋଗୀ ଆଦିତ୍ୟନାଥ ନିର୍ବାଚନ ମଇଦାନରେ ରାମ ରାମ ଜପୁଛନ୍ତି। ବିଜେପିକୁ ‘ରାମ’ ନିର୍ବାଚନ ବୈତରଣୀ ପାର କରିବେ କି ବୋଲି ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି।

ଯୋଗୀ ଆଦିତ୍ୟନାଥ। ଭାରତୀୟ ରାଜନୀତିରେ ଏହି ନାଁ ବେଶ୍‌ ପରିଚିତ। ଗୋରଖନାଥ ମଠ ମହନ୍ତରୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଯୋଗୀ ଜଣେ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି। ଏବେ ଏହି ଚର୍ଚ୍ଚିତ ଚେହେରା ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନ ମଇଦାନରେ ବିଜେପି ଟିକେଟରେ ପୁଣିଥରେ ତାଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି।

ଭାରତୀୟ ରାଜନୀତିରେ ଉତ୍ତରପ୍ରଦେଶର ସବୁବେଳେ ବଡ଼ ପ୍ରଭାବ ରହିଛି। ତେଣୁ ସବୁ ରାଜନନୈତିକ ଦଳ ଏହି ରାଜ୍ୟର କ୍ଷମତା ଡୋର ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି। ବିଜେପି ମଧ୍ୟ ପୂରା ଦମରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କ ନଜରରେ ଏବେ ଉତ୍ତରପ୍ରଦେଶ ରହିଛି। କାରଣ ଏଇଠି ସରକାର ହେଲେ, ୨୦୨୪ ସାଧାରଣ ନିର୍ବାଚନ ପାଇଁ ବଳ ମିଳିବ ବୋଲି ରାଜନୀତି ପଣ୍ଡିତମାନେ ମତ ଦେଉଛନ୍ତି।ମଠରୁ ରାଜନୀତି

ଯୋଗୀ ଆଦିତ୍ୟନାଥ ୧୯୭୨ ମସିହା ଜୁନ୍ ୫ରେ ଜନ୍ମ ହୋଇଥିଲେ। ସେଦିନ କେହି ବି ଚିନ୍ତା କରି ନ ଥିଲେ ଜଣେ ଫରେଷ୍ଟ ରେଞ୍ଜରଙ୍କ ପୁଅ ସୁଖର ସଂସାର ଛାଡ଼ି ସାଧୁ ହେବେ ଏବଂ ଆଗକୁ ଦେଶର ସବୁଠାରୁ ବଡ଼ ରାଜ୍ୟର ମୁଖିଆ ହେବେ। ମାତ୍ର ୧୮ ବର୍ଷ ବୟସରେ ସେ ଅଯୋଧ୍ୟା ରାମମନ୍ଦିର ଆନ୍ଦୋଳନରେ ନିଜକୁ ସାମିଲ କରିଥିଲେ। ଠିକ୍ ସେହି ସମୟରେ ସେ ଗୋରଖନାଥ ମଠର ମହନ୍ତ ଅଭେଦ୍ୟନାଥଙ୍କ ଶିଷତ୍ୱ ମଧ୍ୟ ଗ୍ରହଣ କରିସାରିଥିଲେ। ଅଭେଦ୍ୟନାଥଙ୍କ ପରଲୋକ ପରେ ମଠର ମହନ୍ତ ଗାଦି ମିଳିଥିଲା ଯୋଗୀ ଆଦିତ୍ୟନାଥଙ୍କୁ। ଧର୍ମ ଓ ଆଧ୍ୟାତ୍ମିକତାର ପରିସରରେ ଥାଇ ସେ ରାଜନୀତିରେ ଲମ୍ଫ ଦେବା ପାଇଁ ନିଜକୁ ପ୍ରସ୍ତୁତ କରିସାରିଥିଲେ। ପରେ ସେ ବିଜେପିରେ ଯୋଗଦେଇଥିଲେ। ଧୀରେଧୀରେ ବିଜେପିର ଷ୍ଟାର କ୍ୟାମ୍ପେନର ପାଲଟିଯାଇଥିଲେ।

୧୯୯୮, ୧୯୯୯, ୨୦୦୪, ୨୦୦୯ ଓ ୨୦୧୪ରେ ସେ ବିଜେପି ଟିକଟରେ ଗୋରଖପୁର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପ୍ରଥମ ନିର୍ବାଚନ ଜିତିବା ପରେ ଯୋଗୀ ନିଜସ୍ୱ ସଂଗଠନ ହିନ୍ଦୁ ଯୁବ ବାହିନୀ ଗଠନ କରି ଉଭୟ ଉତ୍ତରପ୍ରଦେଶ ଓ ବିଜେପିରେ ପ୍ରଭାବ ବିସ୍ତାର କରିବାରେ ସଫଳ ହୋଇଥିଲେ। ସର୍ବକନିଷ୍ଠ ସାଂସଦ ଭାବେ ସେ ରେକର୍ଡ କରିଥିଲେ।ହିନ୍ଦୁତ୍ୱ ଜାତୀୟତାବାଦରୁ ମୁଖ୍ୟମନ୍ତ୍ରୀ

ହିନ୍ଦୁତ୍ୱ ଜାତୀୟତାବାଦକୁ ନେଇ ରାଜନୀତି କରୁଥିବା ଯୋଗୀଙ୍କ ଉତ୍ତରପ୍ରଦେଶ ବିଜେପି ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ମତଭେଦ ହେଉଥିଲା। କିନ୍ତୁ ଯୋଗୀଙ୍କ ପ୍ରଭାବ ଦେଖି ତାଙ୍କୁ ବିଜେପି କେବେ ବି ଅସନ୍ତୁଷ୍ଟ କରିବାକୁ ଚାହିଁ ନଥିଲା। କେନ୍ଦ୍ରରେ ବିଜେପି ସରକାର କରିବା ପରେ ଯୋଗୀଙ୍କୁ  ଉତ୍ତରପ୍ରଦେଶ ବାହାରେ ବି ଲୋକ ଚିହ୍ନିବାରେ ଲାଗିଲେ। ସେ ବିଜେପିର ପ୍ରମୁଖ ଷ୍ଟାର କ୍ୟାମ୍ପେନର ତାଲିକାରେ ନିଜକୁ ସାମିଲ କରିସାରିଥିଲେ। ବିଶେଷ କରି ୨୦୧୪ରେ ସଂସଦକୁ ନିର୍ବାଚିତ ହେବା ପରେ ସଂସଦରେ ନିଜର ଔଜସ୍ୱିନୀ ଭାଷଣ ପାଇଁ ଲୋକପ୍ରିୟ ହୋଇସାରିଥିଲେ। ହିନ୍ଦୁତ୍ୱ ଜାତୀୟତାବାଦୀ ଏଜେଣ୍ଡାକୁ ସେ ଉତ୍ତରପ୍ରଦେଶରେ ପ୍ରୟୋଗ କରିବାରେ ସଫଳ ହୋଇଥିଲେ। ନିର୍ବାଚନରେ ଭୋଟ ଧ୍ରୁବୀକରଣ ରାଜନୀତି ପାଇଁ ୨୦୧୭ରେ ସେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ହୋଇ ନ ଥିଲେ ମଧ୍ୟ ଦଳର ଅଭୂତପୂର୍ବ ସଫଳତାର ଅଧିକାଂଶ ଶ୍ରେୟ ନିଜ ନାମରେ କରିବା, ଦିଲ୍ଲୀ ନେତୃତ୍ୱଙ୍କ ସମ୍ମୁଖରେ ନିଜକୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରମୁଖ ଦାବିଦାର ଭାବେ ଉପସ୍ଥାପିତ କରିଥିଲେ। ୨୦୧୭ରେ ଇତିହାସ ସୃଷ୍ଟି ହେଲା, ଜଣେ ସନ୍ୟାସୀ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେଲେ। ଦଳରେ ଯୋଗୀଙ୍କ ପ୍ରଭାବ ଓ ବିବାଦ

ରାଜନୀତି ଭାଷାରେ ଯୋଗୀ ଦଳର ଗୁଳାରେ କେବେ ବି ପକାଇ ନ ଥିଲେ। ବିଭିନ୍ନ ପ୍ରସଂଗରେ ସେ ଦଳ ଭିତରେ ବିରୋଧ କରି ଚର୍ଚ୍ଚିତ ହୋଇଥିଲେ। ଦଳର ଉତ୍ଥାନ ସହ ସମାନ୍ତରାଳ ଭାବେ ତାଙ୍କର ବି ଉତ୍ଥାନ ହୋଇଥିଲା। କିନ୍ତୁ କିଛି ନେତାଙ୍କ ସହ ତାଙ୍କର ମତଭେଦ ଓ ବିବାଦ ରହିଆସିଛି।

ସେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଉତ୍ତରପ୍ରଦେଶ ବିଜେପିର ଅନେକ ଶୀର୍ଷ ନେତୃତ୍ୱ ଚାହୁଁ ନଥିଲେ। ଦଳରେ ଦବଦବା ଥିଲା, କିନ୍ତୁ କିଛି ନେତାଙ୍କ ସହ ବିବାଦ ମଧ୍ୟ ଥିଲା। ଉପମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟଙ୍କ ସହ ତାଙ୍କର ସମ୍ପର୍କ ସେତେ ମଧୁର ନ ଥିବା ଚର୍ଚ୍ଚା ହୁଏ। ଏପରି ମୌର୍ଯ୍ୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଯୋଗୀଙ୍କ କାର୍ଯ୍ୟ କରିବା ଶୈଳୀ ନେଇ ଆପତ୍ତି ଜଣାଇଥିଲେ।

ନିର୍ବାଚନ ପୂର୍ବରୁ କିଛି କ୍ୟାବିନେଟ ମନ୍ତ୍ରୀ ଦଳ ଛାଡ଼ିବା ମଧ୍ୟ ଯୋଗୀଙ୍କ ସହ ସେମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚିତ କରାଇଥିଲା। କ୍ୟାବିନେଟ ମନ୍ତ୍ରୀ ସ୍ୱାମୀପ୍ରସାଦ ମୌର୍ଯ୍ୟ ମଧ୍ୟ କ୍ୟାବିନେଟରୁ ଇସ୍ତଫା ଦେବା ବିଜେପିରେ ହଲଚଲ ସୃଷ୍ଟି କରିଥିଲା। ଧର୍ମ ସିଂହ ସାଇନି ଓ ଦାରା ସିଂହ ଚୌହ୍ୱାନ ମଧ୍ୟ ଯୋଗୀ କ୍ୟାବିନେଟ ଓ ବିଜେପରୁ ଇସ୍ତଫା ଦେଇଥିଲେ। ଏହା ପୂର୍ବରୁ ଏକାଧିକ ରାଜ୍ୟର ବିଜେପି ନେତାଙ୍କ ସହ ଯୋଗୀଙ୍କ ସମ୍ପର୍କରେ ତିକ୍ତତା ରହିଆସିଛି। କିନ୍ତୁ ଯୋଗୀଙ୍କ ଲୋକପ୍ରିୟତା ପାଇଁ ବିଜେପି ଶୀର୍ଷ ନେତୃତ୍ୱ ଏହାକୁ ଅଣଦେଖା କରିଛନ୍ତି।ଅମାନିଆ ନେତାରୁ ମୁଖ୍ୟମନ୍ତ୍ରୀ

ବିଜେପିରୁ ୫ ଥର ସାଂସଦ ନିର୍ବାଚିତ ହୋଇଛନ୍ତି ଯୋଗୀ। ଏହାସହ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଛନ୍ତି। ତଥାପି ମୂଳରୁ ବିଜେପି ସହ ଅନେକ ପ୍ରସଙ୍ଗରେ ଯୋଗୀଙ୍କ ମତଭେଦ ଥିଲା। ତାଙ୍କ କଥା ଦଳର ଶୀର୍ଷ ନେତୃତ୍ୱ ନ ଶୁଣିଲେ ସେ ଦଳକୁ ଅଡୁଆରେ ପକାଇବା ଭଳି ପରିସ୍ଥିତି ସୃଷ୍ଟି କରିଥିବା ଚର୍ଚ୍ଚା ହୁଏ। ଅନେକ ଥର ଦଳର ଆଭିମୁଖ୍ୟକୁ ମଧ୍ୟ ସେ ସମାଲୋଚନା କରିସାରିଛନ୍ତି। ଏପରିକି ପୂର୍ବ ଉତ୍ତରପ୍ରଦେଶରେ ନିଜସ୍ୱ ରାଜନୈତିକ ଶକ୍ତିକେନ୍ଦ୍ର ପ୍ରତିଷ୍ଠା କରିଥିଲେ। ଏହାରି ବଳରେ ବିଜେପି ପ୍ରାର୍ଥୀଙ୍କୁ ପରାସ୍ତ କରିବାର ପରୋକ୍ଷ ଚେତାବନୀ ଓ ପ୍ରତ୍ୟକ୍ଷ ଉଦାହରଣ ମଧ୍ୟ ସୃଷ୍ଟି କରିଥିଲେ ଯୋଗୀ।

ହିନ୍ଦୁ ମହାସଭା ଟିକଟରେ ଲଢୁଥିବା ରାଧାମୋହନ ଦାସ ଅଗ୍ରଓ୍ୱାଲଙ୍କୁ ଗୋରଖପୁର ବିଧାନସଭା ଆସନରୁ ସମର୍ଥନ କରିବା ସହ ବିଜେପିର କ୍ୟାବିନେଟେ ମନ୍ତ୍ରୀ ଶିବପ୍ରସାଦ ଶୁକ୍ଲାଙ୍କୁ ବିପୁଳ ବ୍ୟବଧାନରେ ପରାଜୟର ରାସ୍ତା ଦେଖାଇଦେଇଥିଲେ। ୨୦୦୭ ନିର୍ବାଚନରେ ନିଜେ ୭୦ ପ୍ରାର୍ଥୀ ଦେବାର ଚେତାବନୀ ଦେଇଥିଲେ। ଏପରିକି ୨୦୦୯ ନିର୍ବାଚନରେ ତାଙ୍କ ଯୋଗୁଁ ଅନେକ ବିଜେପି ଲୋକସଭା ପ୍ରାର୍ଥୀ ନିର୍ବାଚନ ହାରିଥିବା ସ୍ଥାନୀୟ ଗଣମାଧ୍ୟମରେ ଚର୍ଚ୍ଚା ହୁଏ। ଖାଲି ସେତିକି ନୁହେଁ, ସାଂସଦ ଥିବା ବେଳେ ମହିଳା ସଂରକ୍ଷଣ ବିଲକୁ ନେଇ ପାର୍ଟି ହ୍ୱିପକୁ ଅମାନ୍ୟ କରିଥିଲେ ଯୋଗୀ।ବିଜେପିକୁ ଯୋଗୀ ପସନ୍ଦ

ଯୋଗୀ ଆଦିତ୍ୟନାଥ ଦଳରେ ସର୍ବଗ୍ରହଣୀୟ ନେତା ନୁହନ୍ତି, ତଥାପି ସିଏ ବିଜେପିର ପସନ୍ଦ। ଚଳିତ ଥର ମଧ୍ୟ ସେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା। ପ୍ରଥମ କଥା ହେଲା ହିନ୍ଦୁ ଜାତୀୟତାବାଦକୁ ସେ ଏକ ନୂଆ ଦିଗରେ ପ୍ରସାରିତ କରିଥିଲେ। ପୂର୍ବାଞ୍ଚଳକୁ ନୂଆ ହିନ୍ଦୁତ୍ୱକୁ ପ୍ରୟୋଗଶାଳା ଭାବେ ପ୍ରତିଷ୍ଠା କରିବାରେ ସଫଳ ହୋଇଥିଲେ।

ହିନ୍ଦୁତ୍ୱ ଏକ ବ୍ରାହ୍ମଣ ପ୍ରସଙ୍ଗ ବୋଲି ଉତ୍ତରପ୍ରଦେଶବାସୀ ବିଚାର କରୁଥିବା ବେଳେ, ଅଣବ୍ରାହ୍ଣଣ ଭୋଟରଙ୍କୁ ବିଜେପିମୁହାଁ କରିବାରେ ଯୋଗୀଙ୍କ ସଫଳତା ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ଯୋଗୀଙ୍କୁ ବାଛିବା ପାଇଁ ବାଧ୍ୟ କରିଥିଲା। ଓବିସି ଭୋଟର, ଯାଦବ ଓ ଦଳିତ ଭୋଟରଙ୍କୁ ବିଜେପି ପ୍ରତି ଢଳିବା ପାଇଁ ଯୋଗୀଙ୍କ ଫର୍ମୁଲା ଅନେକମାତ୍ରାରେ କାମ କରିଥିବାରୁ ପୁଣି ଯୋଗୀ ବିଜେପିର ପସନ୍ଦ। ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଜନତା ଦରବାର କରି ସେ ସବର୍ଣ୍ଣ ଓ ଅସବର୍ଣ୍ଣ ଗୋଷ୍ଠୀର ସମସ୍ୟା ସମାଧାନ କରିବାରେ ସଫଳ ହୋଇଥିଲେ। ଏହା ସହିତ ଯୋଗୀଙ୍କ ନିଜସ୍ୱ ହିନ୍ଦୁ ଯୁବ ବାହିନୀ ବିଜେପି ଭୋଟରଙ୍କୁ ବାଟବଣା କରିବାର ଆଶଙ୍କା ରହିଥିଲା। ମୋଟାମୋଟି ଏକ ସଂଖ୍ୟା ଲଘୁ ରାଜନୀତିରୁ ସଂଖ୍ୟା ଗରିଷ୍ଠ ରାଜନୀତିର ରାସ୍ତା ଫିଟାଇବାରେ ସଫଳ ହୋଇଥିଲେ ଯୋଗୀ।ଯୋଗୀଙ୍କ ବୟାନକୁ ନେଇ ତର୍କ ଓ ଚର୍ଚ୍ଚା

ପଶ୍ଚିମ ଉତ୍ତରପ୍ରଦେଶ କୈରାନାରୁ ହିନ୍ଦୁଙ୍କ ପଳାୟନ ନେଇ ଯୋଗୀଙ୍କ ବୟାନ ହଲଚଲ ସୃଷ୍ଟି କରିଥିଲା। ସେ କହିଥିଲେ ଯେ, କୈରାନାରୁ ହିନ୍ଦୁଙ୍କ ପଳାୟନ କଶ୍ମୀରରୁ ପଣ୍ଡିତଙ୍କ ପଳାୟନ ସହ ସମାନ। ସେହିପରି ଲଭ୍ ଜିହାଦକୁ ନେଇ ତାଙ୍କ ବୟାନ ବଡ଼ ବିତର୍କ ସୃଷ୍ଟି କରିଥିଲା। ସେ କହିଥିଲେ ହିନ୍ଦୁ ଯୁବକମାନେ ମୁସଲିମ୍ ମହିଳାଙ୍କୁ ବିବାହ କରି ସେମାନଙ୍କୁ ହିନ୍ଦୁ ଧର୍ମକୁ ନେଇଆସନ୍ତୁ। ଉତ୍ତରପ୍ରଦେଶରେ ହିନ୍ଦୁ ଝିଅ ମୁସଲିମଙ୍କୁ ବିବାହ କରି ମୁସଲିମ ହେଉଛନ୍ତି। କିନ୍ତୁ ଗୋରଖପୁରରେ ହିନ୍ଦୁ ଯୁବକ ମୁସଲିମ ଯୁବତୀଙ୍କୁ ବିବାହ କରି ସେମାନଙ୍କୁ ହିନ୍ଦୁ ଧର୍ମକୁ ନେଇଆସିଛନ୍ତି। ବଲିଉଡ ଅଭିନେତା ଶାହରୁଖ ଖାନଙ୍କୁ ଆତଙ୍କବାଦୀ ହାଫିଜ ସୟିଦ ସହ ତୁଳନା କରିଥିଲେ। କହିଥିଲେ ଭାରତର ସଂଖ୍ୟା ଗରିଷ୍ଠ ଯଦି ତାଙ୍କ ସିନେମାକୁ ବୟକଟ କରିବେ ତେବେ ଶାହରୁଖ ଖାନ ରାସ୍ତାକୁ ଚାଲିଆସିବେ। ଏହା ସହିତ ମୁସଲିମ ଧର୍ମଗୁରୁମାନଙ୍କ ଦରମାକୁ ନେଇ ସେ ମଧ୍ୟ ଆପତ୍ତି ଉଠାଇଥିଲେ। ଯୋଗ ନ କଲେ ହିନ୍ଦୁସ୍ଥାନ ଛାଡ଼ି ଦିଅ ବୋଲି ସେ ଚେତାବନୀ ମଧ୍ୟ ଦେଇଥିଲେ।ଅଯୋଧ୍ୟା, ମଥୁରା ଯୋଗୀଙ୍କୁ ମନା

ରାମମନ୍ଦିର ଆନ୍ଦୋଳନରେ ଯୋଗୀ ନିଜକୁ ସାମିଲ କରିଥିଲେ। ସେଠାରେ ରାମମନ୍ଦିର ନିର୍ମାଣ ହେବା ପାଇଁ ସବୁ ପ୍ରକ୍ରିୟା ଶେଷ ହୋଇସାରିଛି। ନିଜେ ଯୋଗୀ ମଧ୍ୟ ହିନ୍ଦୁତ୍ୱର ଏକ ବଡ଼ ସମର୍ଥକ। କିନ୍ତୁ ତାଙ୍କୁ ଚଳିତ ନିର୍ବାଚନରେ ଗୋରଖପୁରରୁ ନିର୍ବାଚନ ଲଢ଼ିବାକୁ ପଡ଼ିଛି। ଗୋରଖପୁରରେ ଯୋଗୀଙ୍କ ସମର୍ଥନ ଭିତ୍ତି ମଜବୁତ୍ ଥିବାରୁ ବିଜେପି ତାଙ୍କୁ ସେଠାରୁ ନିର୍ବାଚନ ଲଢ଼ାଇବା ପାଇଁ ସ୍ଥିର କରିଛି। ସେହିପରି ମନ୍ଦିର ସହ ମଥୁରାରୁ ମଧ୍ୟ ଯୋଗୀ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ସେଥିରେ ଅବସାନ ହୋଇଛି। ଏହା ପଛରେ କାରଣ କ’ଣ ତାହା ବିଜେପି କିନ୍ତୁ ସ୍ପଷ୍ଟ କରିନି।

Comment