ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲାର ପ୍ରତି ଗାଁ’ରେ ଗଠନ ହେବ ରାପିଡ୍ ରେସପନ୍ସ ଟିମ୍। ଯେଉଁ ଲୋକମାନେ ବିଦେଶ କିମ୍ବା ରାଜ୍ୟ ବାହାରୁ ଆସି ଘରେ ଲୁଚି ବସିଛନ୍ତି ସେମାନଙ୍କ ବିଷୟରେ ଏହି ଟିମ୍ ଜିଲ୍ଲା ପ୍ରଶାସନକୁ ସୂଚନା ଦେବ। ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ନିର୍ଦ୍ଦେଶ ଦେଇଛନ୍ତି।
ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ କହିଛନ୍ତି ଯେ, ଜିଲ୍ଲାରେ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳରେ ଏହା ଯେଭଳି ନବ୍ୟାପିବ ସେନେଇ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ପ୍ରତି ଗାଁରେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ପାଇଁ ଗାଁର ଶିକ୍ଷକ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଓ ୱାର୍ଡ ସଦସ୍ୟଙ୍କୁ ନେଇ ଏକ ୪ ଜଣିଆ ରେପିଡ୍ ରେସପନ୍ସ ଟିମ୍ ଗଠନ କରିବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ଟିମ୍ ଗାଁ ର ପ୍ରତିଟି ଅଞ୍ଚଳକୁ ଯାଇ କରୋନା ସଂକ୍ରମଣର ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବେ। ଏଥିସହ ସେମାନଙ୍କୁ କ୍ୱାରେଇଣ୍ଟାଇନ ରହିବାକୁ ପରାମର୍ଶ ଦେବ। ଆବଶ୍ୟକ ପଡ଼ିଲେ ସେମାନଙ୍କ ସ୍ୱାବ ପରୀକ୍ଷା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହି ଟିମ୍ ଗାଁକୁ ଆସିଥିବା ବିଦେଶାଗତ ଲୋକଙ୍କ ତାଲିକା ମଧ୍ୟ ପ୍ରସ୍ତୁତ କରିବେ। ଏଥିସହ ଲୋକଙ୍କୁ କରୋନା ନେଇ ସଚେତନ କରିବା କାର୍ଯ୍ୟ ମଧ୍ୟ କରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାରେ ମୋଟ ୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକି ରାଜ୍ୟରେ ସବୁଠୁ ସର୍ବାଧିକ। ଏହାପରେ ଭଦ୍ରକ ଜିଲ୍ଲାରେ କେବଳ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ଜିଲ୍ଲାରେ ଏହି ଭାଇରସ୍ ସଂକ୍ରମଣ ରୋକିବାକୁ ଜିଲ୍ଲାପାଳ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।


















