ଓଡ଼ିଶାଲାଇଭ୍ ବ୍ୟୁରୋ

ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାସ୍ଥିତ ଗୋରୁହାଟ ପଡ଼ିଆଠାରେ ଡିସେମ୍ବର ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ‘ଜୟଦେବ ଗୌରବ ସମ୍ମାନ ୨୦୨୩’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁଯାଉଛି।

ଜୟଦେବ ନିର୍ବାଚନ ମଣ୍ଡଳିରେ ଜନ୍ମ ଗ୍ରହଣ କରିଥିବା ମହାପୁରୁଷମାନଙ୍କର ସ୍ମୃତି ଉଦ୍ଦେଶ୍ୟରେ ତଥା ଏହି ଅଞ୍ଚଳର ଐତିହ୍ୟ, ସଂସ୍କୃତି ଓ ପରିଚୟକୁ ବଞ୍ଚାଇ ରଖିବା ଲାଗି ପ୍ରତିବର୍ଷ ‘ଜୟଦେବ ଗୌରବ ସମ୍ମାନ’ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଡିସେମ୍ବର ୨୦ ତାରିଖରୁ ୩ ଦିନ ଧରି ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଜୟଦେବ ନିର୍ବାଚନ ମଣ୍ଡଳିର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୨୫୦ରୁ ଊର୍ଦ୍ଧ୍ଵ ପ୍ରତିଭାଙ୍କୁ ‘ଜୟଦେବ ଗୌରବ ସମ୍ମାନ-୨୦୨୩’ ରେ ସମ୍ମାନିତ କରାଯିବ।

ପୁରସ୍କାର ବିତରଣ ସାଙ୍ଗକୁ ତିନିଦିନ ଧରି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏଥିରେ ଉଭୟ ବଲିଉଡ ଏବଂ ଓଲିଉଡର ନାମୀଦାମୀ କଳାକାର ଦର୍ଶନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବେ।

ଡିସେମ୍ବର ୨୦ ତାରିଖରେ ଅନୁଷ୍ଠିତ ହେବାକୁଥିବା କାର୍ଯ୍ୟକ୍ରମରେ ବଲିଉଡ ସିନେ ତାରକା ଗୁଲସନ ଗ୍ରୋଭର, ଓଡ଼ିଆ ଚଳଚ୍ଚିତ୍ର ଜଗତର ହାସ୍ୟ ଅଭିନେତା ପପୁ ପମପମ ଯୋଗ ଦେବେ। ଏହି ଅବସରରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ଆକର୍ଷଣୀୟ ଡ୍ୟାନ୍ସ ସାଙ୍ଗକୁ ଖୋର୍ଦ୍ଧାଗଡ଼ର ପାଇକ ଆଖଡ଼ାର ମଜା ଉଠାଇବେ ଦର୍ଶକ। ଏହା ସହିତ ଓଡ଼ିଶୀ ନୃତ୍ୟ ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ପ୍ରଥମ ଦିନର କାର୍ଯ୍ୟକ୍ରମ ଅପରାହ୍ଣ ୩ଟାରୁ ଆରମ୍ଭ ହୋଇ ରାତି ୧୦ଟାରେ ଶେଷ ହେବା କାର୍ଯ୍ୟକ୍ରମ ରହିଛି।

ସେହିପରି ଡିସେମ୍ବର ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଓଡ଼ିଆ ସିନେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ବିଦୁସ୍ମିତା, ହାସ୍ୟ ଅଭିନେତା ପ୍ରଜ୍ଞା, ଶଙ୍କର, ହ୍ୟୁମାନ ସାଗର ଓ ଟିମ ଅପରାହ୍ଣ ୩ଟାରୁ ରାତି ୧୦ଟା ଯାଏଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିବେ।

ଡିସେମ୍ବର ୨୨ ତାରିଖରେ ଶେଷ ଦିନରେ ବଲିଉଡ ସୁପରଷ୍ଟାର ସୁନିଲ ସେଟ୍ଟି, ଓଡ଼ିଆ କଣ୍ଠଶିଳ୍ପୀ ଇରା ମହାନ୍ତି ଓ ଟିମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଏହି କାର୍ଯ୍ୟକ୍ରମ ଅପରାହ୍ଣ ୩ଟାରୁ ଆରମ୍ଭ ହୋଇ ରାତି ୧୦ଟାରେ ଶେଷ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

Tags: #JaydevGouravSamman2023 #Balipatna #Khordha #CulturalProgram

Comment