ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ଆରମ୍ଭ ହୋଇଛି ବୌଦ୍ଧ ମହୋତ୍ସବ। ଜିଲ୍ଲା ଗଠନର ୩୦ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୌଦ୍ଧ ମହୋତ୍ସବର ଆୟୋଜନ କରାଯାଇଛି। ଏହା ସହିତ ପଲ୍ଲିଶ୍ରୀ ମେଳା ଓ ରାଜ୍ୟସ୍ତରୀୟ ବୟନିକା ହସ୍ତତନ୍ତ ପ୍ରଦର୍ଶନୀ ଆରମ୍ଭ ହୋଇଛି। ଜାନୁଆରି ୨ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଜାନୁଆରି ୬ ତାରିଖ ପର୍ଯ୍ୟନ୍ତ ଚାଲିବ।

ସ୍ଥାନୀୟ କଚେରୀ ପଡ଼ିଆଠାରେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉତ୍ସବକୁ ଉଦଘାଟନ କରିଥିଲେ। ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକରୁ ମଶାଲ ରାଜବାଟିସ୍ଥିତ ବୁଦ୍ଧ ମନ୍ଦିରରେ ପହଞ୍ଚିବା ପରେ ସେଠାରୁ ଏହି ମଶାଲକୁ ବିରାଟ ସାଂସ୍କୃତିକ ପଟୁଆରରେ ମହୋତ୍ସବ ପଡ଼ିଆରେ ପର୍ଯ୍ୟନ୍ତ ନିଆଯିବା ପରେ ମଞ୍ଚ ନିକଟରେ ସ୍ଥାପନ କରାଯାଇଥିଲା।

ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇଥିବାବେଳେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହିଧର ରଣା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ଫୁଲବାଣୀ ନଟରାଜ କଳାମନ୍ଦିର ପକ୍ଷରୁ ଓଡ଼ିଶୀ ନୃତ୍ୟ, ଆସାମ ବନକୋଫ ଗ୍ରୁପ ପକ୍ଷରୁ ବିହୁ, ସମ୍ବଲପୁରୀ ନୃତ୍ୟ ସାଙ୍ଗକୁ ଶାଶ୍ୱତ ତ୍ରିପାଠୀଙ୍କ ସମ୍ବଲପୁରୀ ନୃତ୍ୟ ଦର୍ଶକଙ୍କୁ ବେଶ ବିମୋହିତ କରିଥିଲା। ମହୋତ୍ସବରେ ୧୬୦ଟି ଷ୍ଟଲ ଲାଗିଛି। ଏଥିରେ ମଧ୍ୟରେ ୨୫ଟି ହସ୍ତତନ୍ତର ରହିଥିବାବେଳେ ପଲ୍ଲିଶ୍ରୀର ୭୫ଟି, ବିଭିନ୍ନ ବିଭାଗର ୩୦ଟି ଓ ୨୦ଟି ଖାଦ୍ୟ ଷ୍ଟଲ ରହିଛି।

Tags: #BoudhDistrict #BoudhMahostav #CulturalProgram #Odisha

Comment