ଓଡ଼ିଶାଲାଇଭ୍ ବ୍ୟୁରୋ

ଖୋର୍ଦ୍ଧା ସହର ଉପକଣ୍ଠ ପିତାପଲ୍ଲୀ ନିକଟରେ ଶନିବାର ଏକ ମୋ-ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ କିଛି ଗୁରୁତର ଅଛନ୍ତି। ଆହତମାନଙ୍କୁ ଖୋର୍ଦ୍ଧା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  

ଦୁର୍ଘଟଣାଗ୍ରସ୍ତ ହୋଇଥିବା ମୋ-ବସଟି ଭୁବନେଶ୍ଵରରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିଲା। ସେଥିରେ ପ୍ରାୟ ୨୫ରୁ ୩୦ ଜଣ ଯାତ୍ରୀ ଥିଲେ। ବସଟି ପିତାପଲ୍ଲୀ ଛକରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ନାଳରେ ଖସିପଡ଼ିଥିଲା।

ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକମାନେ ବସରେ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଏହାପରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେମାନେ ବସ୍ ଭିତରୁ ଯାତ୍ରୀମାନଙ୍କୁ ବାହାରକୁ ଆଣି ହସ୍ପିଟାଲକୁ ନେଇଥିଲେ।

ଏବେ ଆହତ ହୋଇଥିବା ଯାତ୍ରୀଙ୍କ ଖୋର୍ଦ୍ଧା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ସେମାନଙ୍କ ମଧ୍ୟରେ ଗୁରୁତର ଥିବା ବ୍ୟକ୍ତିଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି।

ତେବେ ଦୁର୍ଘଟଣା କାହିଁକି ଘଟିଲା ତାହାର ପ୍ରକୃତ କାରଣ ଜଣା ପଡ଼ିନାହିଁ। ବସ୍ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ ହେଉଛି।   

Tags: #Khordha #BusAccident #MoBus #RoadAccident #Odisha

LEAVE A REPLY

Please enter your comment!
Please enter your name here