ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଲକ୍‌ଡାଉନ ଯୋଗୁଁ ମହାରାଷ୍ଟ୍ରରୁ ୨ହଜାର କିଲୋମିଟର ସାଇକେଲ୍ ଚଳାଇ ଯାଜପୁରରେ ପହଞ୍ଚିଲେ ୨୦ ବର୍ଷୀୟ ଯୁବକ। ଯାଜପୁରରେ ପହଞ୍ଚିବାକୁ ତାଙ୍କୁ ୭ଦିନ ସମୟ ଲାଗିଥିଲା। ଯାଜପୁରରେ ପହଞ୍ଚିବା ପରେ ନିଜ ସଂଘର୍ଶର କାହାଣୀ ବଖାଣିଛନ୍ତି।

“ଲକ୍‌ଡାଉନ ପରେ ମହାରାଷ୍ଟ୍ରରେ ସମସ୍ତ କାରଖାନା ବନ୍ଦ ହୋଇଗଲା। ମୁଁ ସାଙ୍ଗଲି-ମିରାଜଠାରେ ରହୁଥିଲି। ଆମେ ଯେଉଁ କାରାଖାନାରେ କାମ କରୁଥିଲୁ ତାହା ମଧ୍ୟ ବନ୍ଦ ହୋଇଗଲା। ଆମକୁ କୁହାଗଲା ୫ମାସ ଯାଏଁ କାରଖାନା ଖୋଲିବ ନାହିଁ। ଏଭଳି ସ୍ଥିତିରେ ମୋତେ ଲାଗିଲା ଏଠାରେ ରହିବା ସମ୍ଭବପର ହୋଇ ପାରିବ ନାହିଁ। ତେଣୁ ମୁଁ କୌଣସି ପ୍ରକାରେ ଘରକୁ ଯିବାକୁ ଚାହୁଁଥିଲି।” ମହାରାଷ୍ଟ୍ରର ସାଙ୍ଗଲି-ମିରାଜରୁ ପ୍ରାୟ ୨ହଜାର କିଲୋମିଟର ସାଇକେଲ ଚଳାଇ ଓଡ଼ିଶାର ଯାଜପୁରରେ ପହଞ୍ଚିବା ପରେ ଏହା କହିଛନ୍ତି ୨୦ବର୍ଷୀୟ ଯୁବକ ମହେଶ ଜେନା। 

ଲକ୍‌ଡାଉନ ଯୋଗୁଁ ମହେଶ ଯେଉଁ କାରଖାନାରେ କାମ କରୁଥିଲେ ସେଇ କାରାଖାନା ବନ୍ଦ ହୋଇଗଲା। ୫ମାସ ପର୍ଯ୍ୟନ୍ତ କାରଖାନା ବନ୍ଦ ରହିବା କଥା ଶୁଣି ସେ ଚିନ୍ତାରେ ପଡ଼ି ଯାଇଥିଲେ। କାରଣ ୫ମାସ ଯାଏଁ ଚଳିବାକୁ ତାଙ୍କ ପାଖରେ ଟଙ୍କା ନଥିଲା। ସେ ଘରକୁ ଯିବାକୁ ଚାହିଁଥିଲେ। ତେବେ କୌଣସି ଗାଡ଼ିମୋଟର ଚାଲୁନଥିବାରୁ ଘରକୁ ଆସିବା ସମ୍ଭବପର ହୋଇ ପାରିନଥିଲା। ଶେଷରେ ଏକ ସାଇକେଲ କିଣି ବାହାରି ପଡ଼ିଥିଲେ ଯାଜପୁର ଅଭିମୁଖେ।

୭ଦିନର ସଂଘର୍ଶ

“ଯେତେବେଳେ ମୁଁ ସାଇକେଲ ଯାତ୍ରା ଆରମ୍ଭ କଲି ଭାବୁଥିଲି ଘରେ ପହଞ୍ଚିବାକୁ ୧୫ଦିନ ଲାଗିଯିବ। ଏଥିପାଇଁ ମୁଁ ସକାଳୁ ରାତି ୧୨ ଯାଏଁ ଲଗାତାର ସାଇକେଲ ଚଳାଉଥିଲି। ରାତିରେ କୌଣସି ମନ୍ଦିର କିମ୍ବା ଢାବା କଡ଼ରେ ଶୋଇ ପଡ଼ୁଥିଲି। ଆସିବା ବେଳେ କିଛି ସ୍ଵେଛାସେବୀ ସଂଗଠନ ମୋତେ ମାଗଣା ଖାଇବା ଯୋଗାଇ ଦେଇଥିଲେ।” ଏହା କହିଛନ୍ତି ଯାଜପୁର ଯୁବକ ମହେଶ ଜେନା।

ମାର୍ଚ୍ଚ ୩୧ ତାରିଖରେ ସେ ୧୨ଶହ ଟଙ୍କା ଦେଇ ଏକ ବାଇ ସାଇକେଲ କିଣିଥିଲେ। ଏଥିରେ ୫ଶହ ଟଙ୍କା ଖର୍ଚ୍ଚ କରି ସାଇକେଲର ଟାୟର ଓ ଟ୍ୟୁବ ବଦଳାଇ ଥିଲେ। ଏହାପରେ ଏପ୍ରିଲ ୧ ତାରଖରୁ ଓଡ଼ିଶା ଯାତ୍ରା ଆରମ୍ଭ କରିଥିଲେ। ପ୍ରତିଦିନ ସେ ୨ଶହରୁ ଅଧିକ କିଲୋମିଟର ଅତିକ୍ରମ କରୁଥିଲେ।

ବାଟରେ ଆସିବା ବେଳେ ତାଙ୍କୁ ବହୁ ଯାଗାରେ ପୋଲିସ ଅଟକାଇ ଥିଲା। ତେବେ କୌଣସି ମତେ ସେମାନଙ୍କୁ ବୁଝାସୁଝା କରି ସେଠାରୁ ଆସିବାରେ ସକ୍ଷମ ହୋଇଥିଲେ। ଏହି ସମୟରେ ତାଙ୍କ ମୋବାଇଲ ମଧ୍ୟ ସ୍ଵିଚ୍ ଅଫ୍‌ ହୋଇଯାଇଥିଲା। ତେବେ ଏତେ ସବୁ ବାଧା ବିଘ୍ନକୁ ପଛରେ ପକାଇ ଶେଷରେ ସେ ଏପ୍ରିଲ ୭ତାରିଖରେ ଯାଜପୁରରେ ପହଞ୍ଚିଥିଲେ।

‘ଏହା କୌଣସି ଫିଲ୍ମରୁ କମ୍‌ ନୁହେଁ’

ମହେଶ କହିଛନ୍ତି ଯେ, ୭ମାସ ତଳେ ମୁଁ ମୋ ସାଙ୍ଗ ସହ ମହାରାଷ୍ଟ୍ର ଆସିଥିଲି। ତେବେ ଯାଜପୁର ଅଭିମୁଖେ ବାହାରିବା ବେଳେ ରାସ୍ତା ଉପରେ ମୋର ସେତେଟା ଧାରଣା ନଥିଲା। କିନ୍ତୁ ମୁଁ ଯେତେବେଲେ ସୋଲାପୁରରେ ପହଞ୍ଚିଲି ଆଉ ପଛକୁ ଫେରି ଦେଖିନାହିଁ। ସୋଲାପୁରଠାରୁ ହାଇଦ୍ରାବାଦ, ଶ୍ରୀକାକୁଲମ ରୁ ବିଶାଖାପାଟଣା ଦେଇ ମୁଁ ଗଞ୍ଜାମ ଜିଲ୍ଲାରେ ପ୍ରବେଶ କରିଥିଲି। ଏହାପରେ ଖୋର୍ଦ୍ଧା, ଭୁବନେଶ୍ଵର ଓ କଟକ ଦେଇ ମୁଁ ଯାଜପୁରରେ ପହଞ୍ଚିଲି।

ଏପ୍ରିଲ ୭ ତାରିଖରେ ଯାଜପୁର ଟାଉନରେ ପହଞ୍ଚିଥିଲେ ମହେଶ। ଏହାପରେ ସେଠାରେ ଥିବା ଚେକ୍ ପୋଷ୍ଟରେ ତାଙ୍କୁ ଅଟକାଇ ଦିଆଯାଇଥିଲା। ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଏକ ହାଇସ୍କୁଲରେ କ୍ଵାରେଣ୍ଟାଇନରେ ରଖାଯାଇଛି। ଏହାକୁ ନେଇ ଯାଜପୁର ବ୍ଲକ ଉନ୍ନୟନ ଅଧିକାରୀ ସୌରଭ ଚକ୍ରବର୍ତ୍ତୀ କହିଛନ୍ତି ଯେ, ମହେଶଙ୍କ କାହାଣୀକୁ ନେଇ ଏକ ଭଲ ଫିଲ୍ମ ପ୍ରସ୍ତୁତ ହୋଇ ପାରିବ।

ବର୍ତ୍ତମାନ ୫ଦିନ ହେଲା ମହେଶଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇଛି। ତାଙ୍କ ଦେହରେ କୌଣସି କରୋନା ଲକ୍ଷଣ ନଥିବା ନେଇ ସ୍ପଷ୍ଟ କରିଛନ୍ତି ଯାଜପୁର ବ୍ଲକ ଉନ୍ନୟନ ଅଧିକାରୀ ସୌରଭ ଚକ୍ରବର୍ତ୍ତୀ। କ୍ଵାରେଣ୍ଟାଇନ ଅବଧି ଶେଷ ହେବାପରେ ମହେଶଙ୍କୁ ତାଙ୍କ ଗାଁ’କୁ ପଠାଇ ଦିଆଯିବ।

Comment