ଓଡ଼ିଶାଲାଇଭ୍ ବ୍ୟୁରୋ
ମୁମ୍ବାଇ ଚାମ୍ବୁରରେ ରହୁଥିବା ନେହା ସିହ୍ନା ପ୍ରଧାନମନ୍ତ୍ରୀଙ୍କୁ ଟ୍ୟାଗ କରି ଏକ ଟୁଇଟ କଲେ। ସେହି ଟୁଇଟରେ ସେ ଲେଖିଲେ,’ସାର, ମୋର ସାଢ଼େ ତିନି ବର୍ଷର ଛୁଆ ସ୍ୱଲୀନ (ଅଟିଜମ)ରୋଗରେ ପୀଡିତ। ତାର ଫୁଡ୍ ଆଲର୍ଜି ବି ରହିଛି। ସେ କେବଳ ଓଟ କ୍ଷୀର ଆଉ ଅଳ୍ପ ଡାଲି ଖାଇ ବଞ୍ଚେ। ଲକଡାଉନ ଆରମ୍ଭ ହେବା ବେଳକୁ ମୋ’ ପାଖରେ ବେଶୀ ଓଟ କ୍ଷୀର ନଥିଲା। ମୋ’ ପାଇଁ ରାଜସ୍ଥାନର ସାଦରିରୁ କିଛି ଓଟ କ୍ଷୀର କିମ୍ବା ପାଉଡର ମଗାଇବା ସକାଶେ ଦୟାକରି ବ୍ୟବସ୍ଥା କରନ୍ତୁ।’
ବୋଥ୍ରାଙ୍କଠୁ ଆରମ୍ଭ
ଏହି ଟୁଇଟଟି ଚାରିଆଡ଼େ ବିଜୁଳି ବେଗରେ ଖେଳିବାକୁ ଆରମ୍ଭ କଲା। ଓଡ଼ିଶା କ୍ୟାଡ଼ରର ଆଇପିଏସ ଅଫିସର ଅରୁଣ ବୋଥ୍ରା ପ୍ରଥମେ ଏହି ଟୁଇଟର ଖିଅକୁ ଧରିଲେ। ପଛକୁ ପଛ ରାଜସ୍ଥାନର ରେଳବାଇ ଅଫିସରମାନେ ନିଜକୁ ଯୋଡ଼ିବା ଆରମ୍ଭ କଲେ। ଜଣକ ପରେ ଜଣେ ରେଳ ଅଧିକାରୀ ଏହି ଟୁଇଟକୁ ଧରି ଶେଷରେ ମୁମ୍ବାଇର ସେହି ଅସହାୟ ମହିଳାଙ୍କ ଘରେ ୨୦ ଲିଟର ଓଟ କ୍ଷୀର ପହଞ୍ଚାଇ ଦେଇପାରିଲେ। ଏବେ ପୂରା ଘଟଣାଟି ପଢ଼ନ୍ତୁ।
Final update
20 lts. camel milk reached Mumbai by train last night. The family has kindly shared part of it with another needy person in the city.
Thanking Sh.Tarun Jain, CPTM, North-West Railways who ensured an unscheduled halt to pick the container.@RailwaySeva@RailMinIndia https://t.co/fCxI6EJTrX
— Arun Bothra (@arunbothra) April 11, 2020
ଜାଗା ଖୋଜ
ସିହ୍ନାଙ୍କ ଟୁଇଟକୁ ଦେଖିବା ପରେ ବୋଥ୍ରା ପଶ୍ଚିମ ଉତ୍ତର ରେଳବାଇର ମୁଖ୍ୟ ଯାତ୍ରୀ ପରିବହନ ମ୍ୟାନେଜର ତରୁଣ ଜୈନଙ୍କୁ ଫୋନ ଲଗେଇଲେ ଓ କହିଲେ ରାଜସ୍ଥାନର ସେହି ଜାଗା ଖୋଜାଯାଉ ଓ ସେଠାରୁ ୨୦ ଲିଟର ଓଟ କ୍ଷୀର ମୁମ୍ବାଇରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଉ। ଜୈନ ଏହି ବିଷୟରେ ଜେବାଲିଆର ସିନିୟର ଡିଭିଜନାଲ କମର୍ସିଆଲ ମ୍ୟାନେଜର ମହେଶ ଚାନ୍ଦଙ୍କ ସହ ଆଲୋଚନା କଲେ। ସେଇ ସମୟରେ ଲୁଧିଆନାରୁ ବାନ୍ଦ୍ରା ପର୍ଯ୍ୟନ୍ତ ଏକ ପାର୍ସଲ ଟ୍ରେନ ଯାଉଥିଲା। ଗାଡିର ନମ୍ବର ଥିଲା ୦୦୯୦୨। ମାଲବାହୀ ଟ୍ରେନର ଗାର୍ଡଙ୍କୁ କୁହାଗଲା ଆଜମେର ପାଖରେ ଥିବା ଫାଲନା ଷ୍ଟେସନରେ ମାଲ ଗାଡିକୁ ଅଟକାଇବାକୁ।
କ୍ଷୀରବାଲା ବି ଚାହିଁଲା
କୋଡ଼ିଏ ଲିଟର କ୍ଷୀର ପହଞ୍ଚାଇବାରେ କୌଣସି ଅସୁବିଧା ନାହିଁ। କିନ୍ତୁ ଅତି ବେଶୀରେ ଫାଲନା ଷ୍ଟେସନ ପର୍ଯ୍ୟନ୍ତ ମୁଁ କ୍ଷୀର ନେଇ ଯାଇ ପାରିବି ବୋଲି କ୍ଷୀର ବାଲା କହିବା ପରେ ଆଲୋଚନା ଚାଲିଲା କେମିତି ସେହି ଷ୍ଟେସନରେ ଗାଡି ଅଟକିବ। କାରଣ ସେଠି କୌଣସି ଟ୍ରେନ ରହେ ନାହିଁ। କିନ୍ତୁ ଟ୍ରେନକୁ ତ ଅଟକାଇବାକୁ ହିଁ ପଡ଼ିବ। ତା’ପରେ ସେହି ଷ୍ଟେସନର ପାର୍ସଲ କିରାଣୀକୁ କୁହାଗଲା ପାର୍ସଲ ଅଫିସ ଖୋଲ। ରାତିରେ ପାର୍ସଲ ଅଫିସ ଖୋଲିଲା ଓ କ୍ଷୀର ବାଲା ଆଣି କ୍ଷୀର ପହଞ୍ଚାଇଲା। ତାପରେ ଟ୍ରେନ ସେହି ଷ୍ଟେସନରେ ଅଟକିଲା ଓ ପରଦିନ ବନ୍ଦ୍ରା ଷ୍ଟେସନରେ କ୍ଷୀର ପହଞ୍ଚିବା ପରେ ମିସେସ ସିହ୍ନାଙ୍କ ପାଖକୁ ସେହି କ୍ଷୀରକୁ ପଠାଇ ଦିଆଗଲା।
ତଥାପି ପିଲା କ’ଣ ଖାଇବ?
ଇତି ମଧ୍ୟରେ ବୋଥ୍ରା ଜାଣିବାକୁ ପାଇଲେ ଯେ ଅଟିଷ୍ଟିକ ଛୁଆ ପାଇଁ ନିହାତି କିଛି କ୍ଷୀର ଗୁଣ୍ଡ ଦରକାର। ବୋଥ୍ରା ତତ୍କ୍ଷଣାତ ଓଟ କ୍ଷୀର ତିଆରି କରୁଥିବା କମ୍ପାନି ଆଦ୍ଵିକ ଫୁଡ୍ସ ସହିତ ଯୋଗାଯୋଗ କଲେ ଓ ୪୦୦ ଗ୍ରାମର ଏକ ଗୁଣ୍ଡ ପ୍ୟାକେଟ ମୁମ୍ବାଇ ଅନ୍ଧରିରେ ଥିବା ଏକ ଦୋକାନରେ ପହଞ୍ଚାଇବା ପାଇଁ କହିଲେ। ରାଜସ୍ଥାନରୁ କ୍ଷୀର ପହଞ୍ଚିବା ପର୍ଯ୍ୟନ୍ତ ଛୁଆଟିକୁ ବଞ୍ଚିବାକୁ ହେବ ତ ନିଶ୍ଚିତ!
ବୋଥ୍ରା କ’ଣ କହନ୍ତି?
ବୋଥ୍ରାଙ୍କୁ ଯେତେବେଳେ ଏବିଷୟରେ ପଚରାଗଲା ସେ କହିଲେ, ‘‘ମୁଁ ଟୁଇଟରୁ ଜାଣିବାକୁ ପାଇଲି ଯଦି ଓଟ କ୍ଷୀର ନମିଳେ ସାତ ଦିନ ମଧ୍ୟରେ ଛୁଆଟିର ପ୍ରାଣ ଚାଲିଯିବ। ସେହି କ୍ଷୀର ବାଲା ଯଦି ୨୦ ଲିଟର ଓଟ କ୍ଷୀର ଓ ୨୦ କେଜି କ୍ଷୀର ଗୁଣ୍ଡ ପଠାଇନଥାନ୍ତା ସ୍ଥିତି ସଙ୍ଗୀନ ହୋଇ ପଡ଼ିଥାନ୍ତା। ଏହି ଘଟଣା ପରେ ଆଉ ଗୋଟିଏ ସେହିଭଳି ଅନୁରୋଧ ବି ମୁଁ ପାଇଥିଲି।’’
ଯାହା ହେଲା ଭଲ ହେଲା
ଓଟ କ୍ଷୀର ଆସିଲା, ପିଲା ବଞ୍ଚିଲା ଓ ମାନବିକତାର ପ୍ରଦର୍ଶନ ବି ହେଲା। ଉଲ୍ଲେଖ ଯୋଗ୍ୟ ଯେ, ଅରୁଣ ବୋଥ୍ରା ଏବେ ସେସୁର ସିଇଓ ଅଛନ୍ତି ଓ ତାଙ୍କ ଘର ମଧ୍ୟ ରାଜସ୍ଥାନର ଜୟପୁର ଅଞ୍ଚଳରେ।

















