ଓଡ଼ିଶାଲାଇଭ୍ ବ୍ୟୁରୋ

ବଦଳିଲେ କ୍ରାଇମବ୍ରାଞ୍ଚ ଏଡିଜି। କ୍ରାଇମବ୍ରାଞ୍ଚର ନୂତନ ଏଡିଜି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ୧୯୯୬ ବ୍ୟାଚର ଆଇପିଏସ୍ ଅରୁଣ ବୋଥ୍ରା। ଶୁକ୍ରବାର ଦିନ କଟକ କ୍ରାଇମବ୍ରାଞ୍ଚର ମୁଖ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ସେ ଦାୟିତ୍ଵ ନେଇଛନ୍ତି। ସଞ୍ଜୀବ ପଣ୍ଡା ଆଜି ଅରୁଣ ବୋଥ୍ରାଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଛନ୍ତି।

ନୂଆ ଦାୟିତ୍ଵ ନେବା ପରେ ରାଜ୍ୟରେ ଅପରାଧର ସ୍ଥିତି ନିୟନ୍ତ୍ରଣରେ ରହିଥିବା କହିଛନ୍ତି ଅରୁଣ ବୋଥ୍ରା। ସମସ୍ତଙ୍କ ସହଯୋଗରେ ରାଜ୍ୟରେ ଅପରାଧ ନିୟନ୍ତ୍ରଣ ହୋଇପାରିବ ବୋଲି ସେ କହିଛନ୍ତି। ବର୍ତ୍ତମାନ ସାଇବର ଅପରାଧ ଉପରେ ପ୍ରାଧାନ୍ୟ ଦିଆଯାଉଛି। ଆଗାମୀ ଦିନରେ ଏ ନେଇ ଲୋକଙ୍କୁ ସଚେତନ କରାଯିବ ବୋଲି ଅରୁଣ ବୋଥ୍ରା କହିଛନ୍ତି।

ସେହିପରି ଗତ ବୁଧବାର ଦିନ ଭୁବନେଶ୍ଵର ଡିସିପି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଆଇପିଏସ୍ ପ୍ରତୀକ ସିଂ। ଭୁବନେଶ୍ଵର ଡିସିପି ଅଫିସରେ ସମସ୍ତ ଏସପି ଏବଂ ଆଇଆଇସିଙ୍କ ସହ ସାକ୍ଷାତ କରିବା ପରେ ସେ ଦାୟିତ୍ଵ ନେଇଥିଲେ। କଟକର କାର୍ଯ୍ୟ ଅଭିଜ୍ଞତା ଏଠାରେ କାମରେ ଆସିବ ବୋଲି ସେ କହିଥିଲେ।

ଗତ ଏପ୍ରିଲ ୨୯ ତାରିଖରେ ଆଇପିଏସ ସ୍ତରରେ ବଡ଼ଧରଣର ଅଦଳ ବଦଳ ହୋଇଥିଲା। କଟକ-ଭୁବନେଶ୍ୱର ଡିସିପି ବଦଳିବା ସହ ଅନ୍ୟ ବିଭାଗରେ ମଧ୍ୟ ଅଦଳ ବଦଳ ହୋଇଥିଲା। କଟକ ଡିସିପି ଭାବେ ନିଯୁକ୍ତ ପ୍ରତୀକ ସିଂଙ୍କୁ ଭୁବନେଶ୍ୱରର ନୂଆ ଡିସିପି ଭାବେ ନିଯୁକ୍ତ କରାଯାଇଥିଲା। ଏହା ସହ କଟକ ନୂଆ ଡିସିପି ଭାବେ ପିନାକ ମିଶ୍ରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା।

ସେହିପରି ସନ୍ତୋଷ ଉପାଧ୍ୟାୟଙ୍କୁ ଅଗ୍ନିଶମ ବିଭାଗ ଡିଜି ଭାବେ ଦାୟିତ୍ୱ ଦିଆଯାଇଥିବାବେଳେ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ସଞ୍ଜୀବ ପଣ୍ଡାଙ୍କୁ ନିଯୁକ୍ତି ମିଳିଥିଲା। ଉମାଶଙ୍କର ଦାସଙ୍କୁ କଟକ-ଭୁବନେଶ୍ୱର ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଦିଆଯାଇଥିଲା। ମନୋଜ କୁମାର ଛାବ୍ରାଙ୍କୁ ଜେଲ ବିଭାଗ ଡିଜି ଭାବେ ନିଯୁକ୍ତ କରାଯାଇଥିବାବେଳେ ଅରୁଣ ବୋଥ୍ରାଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ଦାୟିତ୍ୱ ମିଳିଥିଲା।  

ନିତି ଶେଖରଙ୍କୁ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି, ଶ୍ରବଣ ବିବେକ ଏମଙ୍କୁ ବ୍ରହ୍ମପୁର ଏସପି, ଅଭିଳାଷ ଜିଙ୍କୁ କଳାହାଣ୍ଡି ଏସପି, ସିଦ୍ଧାର୍ଥ କଟାରିଆଙ୍କୁ ଖୋର୍ଦ୍ଧା ଏସପି, ଅଲେଖ ପହୀଙ୍କୁ ନୟାଗଡ଼ ଏସପି ଏବଂ ଏସ୍ ସୁଶ୍ରୀଙ୍କୁ ନବରଙ୍ଗପୁର ଏସପି ଭାବେ ନିଯୁକ୍ତି ମିଳିଥିଲା। ସେହିପରି ପରମାର ସ୍ମିତ ପାରଷୋତ୍ତମଦାସଙ୍କୁ ବରଗଡ଼ ଏସପି ଏବଂ ରାହୁଲ ଜୈନଙ୍କୁ ଝାରସୁଗୁଡା ଏସପି ଭାବେ ନିଯୁକ୍ତି ଦିଆଯାଇଥିଲା।

Tags: #CrimeBranchADG #ArunBothra #BhubaneswarDCP #PratikSingh

Comment