ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ର କୁନି ଝିଅ ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତଙ୍କୁ ପକ୍‌ସୋ ଅଦାଲତ ନାବାଳକ ଦର୍ଶାଇଛନ୍ତି। ମଙ୍ଗଳବାର ଅଦାଲତଙ୍କ ଏହି ରାୟ ପରେ ମାମଲାର ତଦନ୍ତକାରୀ ଦଳ ଏସଆଇଟିର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ। ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ତଦନ୍ତକୁ ଦିଗହରା କରିଥିବା ପ୍ରଦୀପ୍ତ ଅଭିଯୋଗ କରିଛନ୍ତି।

ବୁଧବାର ପ୍ରଦୀପ୍ତ ଏକ ଟୁଇଟ କରି କହିଛନ୍ତି ଯେ, ପରୀ ମାମଲାର ଅଭିଯୁକ୍ତଜଣକ ଯଦି ନାବାଳକ ତେବେ କାହିଁକି ଏସଆଇଟି ତାଙ୍କୁ ଜୋର ଜବରଦସ୍ତି ସାବାଳକ ଦେଖାଇବା ପାଇଁ ପ୍ରୟାସ କରୁଥିଲେ। ତେଣୁ ଏସଆଇଟିର ପାରିବା ପଣିଆକୁ ନେଇ ଏବେ ପ୍ରଶ୍ନ ଉଠୁଛି।ପରୀର ବାପା, ମା ଏସଆଇଟିର ତଦନ୍ତ ଉପରେ ବିଶ୍ଵାସ କରୁନାହାନ୍ତି। ଏପରିକି ସାଧାରଣ ଲୋକମାନଙ୍କ ଭିତରେ ଏବେ ଏସଆଇଟିର ବିଶ୍ଵସନିୟତା ନଥିବା ପ୍ରଦୀପ୍ତ କହିଛନ୍ତି। ତେଣୁ ଏହି ଘଟଣାର ସଠିକ୍ ତଦନ୍ତ କରିବା ପାଇଁ ମାମଲାକୁ ସିବିଆଇକୁ ଦିଆଯାଉ ବୋଲି ସେ ଦାବି କରିଛନ୍ତି।ଏଥି ସହିତ ପ୍ରଦୀପ୍ତ ଆହୁରି ମଧ୍ୟ କହିଛନ୍ତି ଯେ, ଅଭିଯୁକ୍ତର ଗୁଗୁଲ ହିଷ୍ଟ୍ରି ଡିଲିଟର ରିପୋର୍ଟ ଏସଆଇଟି ପାଖେ ନାହିଁ। ନଡ଼ିଆ ବାହୁଙ୍ଗାର ଡିଏନଏ ଟେଷ୍ଟ ରିପୋର୍ଟ ମଧ୍ୟ ହସ୍ତଗତ ହୋଇନାହିଁ। ଏପରି ମାମଲାରେ ଅଭିଯୁକ୍ତର ପଲିଗ୍ରାଫି ଟେଷ୍ଟିଙ୍ଗ ଜରୁରୀ ନୁହେଁ, ଏପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କର ରାୟ ରହିଛି। ଅନ୍ୟପଟେ ଅଭିଯୁକ୍ତ ପୁର୍ବରୁ ଅଭିଯୋଗ କରିଥିଲା କି ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରା ତାକୁ ଦୋଷ ସ୍ୱୀକାର କରିବା ପାଇଁ ୫ ଲକ୍ଷ ଟଙ୍କା ଯାଚୁଥିଲେ। ତେଣୁ ମଙ୍ଗଳବାର କୋର୍ଟଙ୍କ ରାୟ ପରେ ଏହା ପ୍ରମାଣିତ ହୋଇଛି ଯେ, ବୋଥ୍ରା ତଦନ୍ତକୁ ଦିଗହରା କରିଛନ୍ତି।

Comment