ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଧାନସଭା ନିକଟରେ ପୁଣି ହୋଇଛି ଆତ୍ମାହୁତି ଉଦ୍ୟମ। ଗୁରୁବାର ଜଣେ ମହିଳା ବିଧାନସଭା ନିକଟ ଜୟଦେବ ଭବନ ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଦେହରେ ପେଟ୍ରୋଲ ଢାଳିବା ସମୟରେ ପୋଲିସ ମହିଳାଙ୍କୁ କାବୁ କରିଛି। ତେବେ ବିଧାନସଭା ସମ୍ମୁଖରେ ବାରମ୍ବାର ଏଭଳି ଘଟଣାକୁ କାହାର ଷଡ଼ଯନ୍ତ୍ର ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ।

ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ ନେଇ କେହି ଲୋକଙ୍କୁ ଉସକାଉଥିବା ପୋଲିସ ସନ୍ଦେହ କରୁଛି।  ୨ ଦିନ ଭିତରେ ବିଧାନସଭା ସାମ୍ନାରେ ଆତ୍ମାହୁତି ଉଦ୍ୟମ କରି ୩ ଜଣ ଗିରଫ ହୋଇଥିବା ଡିସିପି ସୂଚନା ଦେଇଛି। ଖବଶୀଘ୍ର ଏମିତି କରାଉଥିବା ଲୋକଙ୍କୁ ପୋଲିସ ଧରିବ ବୋଲି ସେ କହିଛନ୍ତି।

ଏହାସହିତ ବିଧାନସଭା ଭଳି ଏକ ସମ୍ବେଦନଶୀଳ ଅଞ୍ଚଳରେ ନିଜକୁ ବିପଦରେ ପକାଇବା ସହିତ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାନ୍ତୁ ନାହିଁ ବୋଲି ଡିସିପି ଅନୁରୋଧ କରିଛନ୍ତି।

ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ ପ୍ରଥମ ଘଟଣା ନୁହେଁ, ଏହାପୂର୍ବରୁ ବିଧାନସଭାର ମୌସୁମୀ ଅଧିବେଶନ ଓ ଶୀତ ଅଧିବେଶନରେ ଏଭଳି ସମାନ ଘଟଣା ଦେଖିବାକୁ ମିଳିଥିଲା, ଯାହାକୁ ନେଇ ରାଜ୍ୟ ରାଜନୀତି ଉଠିଥିଲା ପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ଏଥର ବିଧାନସଭାରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି କରାଯାଇଥିଲା। ତଥାପି ଜଣେ ମହିଳା ଆଜି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ କରିଥିଲେ।

Comment