ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ର କୁନି ଝିଅ ପରୀ ହତ୍ୟା ମାମଲାର ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାଁରେ ଏତଲା ଦିଆଯାଇଛି। ରବିବାର ଗିରଫ ହୋଇଥିବା ଅଭିଯୁକ୍ତ ନାବାଳକର ମା’ ନୟାଗଡ଼ ସଦର ଥାନାରେ ଏହି ଏତଲା ଦାଏର କରିଛନ୍ତି। ତାଙ୍କ ପୁଅକୁ ମାଡ଼ ମାରିବା ସହିତ ତାଙ୍କୁ ମିଛରେ ଫସାଇ ଦେଇଥିବା ଅଭିଯୁକ୍ତର ମା’ ଅଭିଯୋଗ କରିଛନ୍ତି।

ସେ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଅରୁଣ ବୋଥ୍ରା ତାଙ୍କୁ ଗାଳି ଗୁଲଜ କରିବା ସହ ତାଙ୍କ ପୁଅକୁ ମାଡ଼ ମାରି ମିଥ୍ୟା ଡେମୋ ଦେଖାଇବାକୁ ବାଧ୍ୟ କରିଥିଲେ। ଏଥିସହ ଦୋଷ ମୁଣ୍ଡାଇବା ପାଇଁ ୫ ଲକ୍ଷ ଟଙ୍କା ଯାଚିଥିଲେ। ତେଣୁ ବିନା ଦୋଷରେ ତାଙ୍କ ପୁଅକୁ ଏସଆଇଟି ଗିରଫ କରିଛି।

ଅନ୍ୟପଟେ ଅଭିଯୁକ୍ତ ନାବାଳକ ପରୀକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଏସଆଟି ପାଖରେ ସମସ୍ତ ପ୍ରମାଣ ରହିଛି। ଘଟଣାରେ ଅଉ କାହାର ହାତ ରହିଛି କି ନାହିଁ ତାହା ଜାଣିବାକୁ ତଦନ୍ତ ଜାରି ରହିଥିବା ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଗତକାଲି ସ୍ପଷ୍ଟ କରିଛନ୍ତି। ଅଧିକ ପଚରାଉଚରା କରିବା ପାଇଁ ଏସଆଇଟି ସମ୍ପୃକ୍ତ ନାବାଳକକୁ ତିନି ଦିନିଆ ରିମାଣ୍ଡରେ ନେଇଛି।

ଅପରପକ୍ଷରେ ଆଜି ପରୀର ମୃତଦେହ ମିଳିଥିବା ପୋଖରୀରୁ ପାଣି ନିଷ୍କାସନ କରାଯାଉଛି। ଏହାଦ୍ୱାରା ପୋଖରୀରୁ ଅଧିକ ପ୍ରମାଣ ମିଳିପାରିବ ବୋଲି ଆଶା କରାଯାଉଛି।

Comment