ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପରୀ ହତ୍ୟା ମାମଲାରୁ ହଟିଲା ପରଦା
  • ଜଘନ୍ୟ କାଣ୍ଡ ଘଟାଇଥିଲା ସେହି ଗାଁର ନାବାଳକ
  • ଅଭିଯୁକ୍ତକୁ ଗିରଫ କଲା ଏସଆଇଟି
  • ଅଭିଯୁକ୍ତକୁ ଆଜି ରିମାଣ୍ଡରେ ନେବ ଏସଆଇଟି
  • ପରୀକୁ ହତ୍ୟା ପରେ ଦୁଷ୍କର୍ମ କରିଥିବା ମାନିଛି ଅଭିଯୁକ୍ତ

ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାକୁ ନେଇ ଗତ କିଛି ଦିନ ରାଜ୍ୟରେ ଚର୍ଚ୍ଚା ଜୋର ଚାଲିଛି। ଏକ ଛୋଟ ପିଲାକୁ କିଏ, କାହିଁକି ଏଭଳି ଜଘନ୍ୟ ଭାବେ ହତ୍ୟା କରିଥିଲା ତାହା ଜାଣିବା ପାଇଁ ପୂରା ରାଜ୍ୟବାସୀ ଚାହିଁ ବସିଥିଲେ। ତେବେ ପରୀ ହତ୍ୟା ମାମଲରେ ଜଣେ ନାବାଳକ ଗିରଫ ହେବା ପରେ ସେ କିଭଳି ଏ କାଣ୍ଡ ଘଟାଇଥିଲା ସେନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ତଥ୍ୟ ରଖିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା।

ଅରୁଣ ବୋଥ୍ରାଙ୍କ କହିବା ମୁତାବକ, ପରୀ ଘରଠାରୁ ମାତ୍ର ୧୦୦ ମିଟର ଦୂରରେ ଗିରଫ ହୋଇଥିବା ଅଭିଯୁକ୍ତ ନାବାଳକର ଘର। ନାବାଳକର ସାନ ଭଉଣୀ ପରୀକୁ ସ୍ନେହ କରନ୍ତି। ସେଥିପାଇଁ ପରୀ ନିୟମିତ ତାଙ୍କ ଘରକୁ ଯିବା ଆସିବା କରେ। ଏହାଛଡ଼ା ତାଙ୍କ ବାଡ଼ିରେ ଏକ ଜାମୁକୋଳି ଗଛ ଥିବାରୁ ସେଠାକୁ ପରୀ ସହିତ ଅନ୍ୟ ପିଲାମାନେ ବି ଆସିଥାନ୍ତି।

ମୃତଦେହ ସହିତ ଦୁଷ୍କର୍ମ

ଜୁଲାଇ ମାସରେ କିନ୍ତୁ ଲକଡାଉନ ଚାଲିଥିଲା। ସମସ୍ତେ ଘରେ ରହୁଥିଲେ। ସେ ସମୟରେ ପରୀ ଏକୁଟିଆ ତାଙ୍କ ଘରକୁ ଯିବା ଆସିବା କରୁଥିଲା। ଜୁଲାଇ ୧୪ରେ ପରୀ ତାଙ୍କ ଘରକୁ ଯାଇଥିଲା। ନାବାଳକର ସାନ ଭଉଣୀ ଚାକିରି କରୁଥିବାରୁ ସେ ମଧ୍ୟ ୯ଟାରୁ ପଳାନ୍ତି। ପରୀକୁ ଏକୁଟିଆ ପାଇଁ ନାବାଳକ ଜଣକ ତାକୁ ଘରର ଶେଷ ରୁମ୍‌କୁ ନେଇଯାଇଥିଲା। ବାଡ଼ିପଟ ରୁମ୍‌କୁ ନେଇ ସେ ପରୀର ଡ୍ରେସ ଖୋଲିବାକୁ ଚେଷ୍ଟା କରିଥିଲା। ପରୀ କିଛି ଜାଣୁପାରୁନଥିଲେ ମଧ୍ୟ କାନ୍ଦିବା ଆରମ୍ଭ କରିଥିଲା। ପରୀର ପାଟି ବନ୍ଦ କରିବା ପାଇଁ ସେ ତା’ର ତଣ୍ଟି ଚିପିଥିଲା। ଶ୍ୱାସରୁଦ୍ଧ ହୋଇ ପରୀର ମୃତ୍ୟୁ ହେବା ପରେ ନାବାଳକ ଜଣକ ମୃତଦେହ ସହିତ ଦୁଷ୍କର୍ମ କରିଥିଲା। ଏହି ଘଟଣାକୁ ଲୁଚାଇବାକୁ ଯାଇ ଏକ ଅଖା ଭିତରେ ପରୀକୁ ଭର୍ତ୍ତି କରିଥିଲା। ପରୀର ପୋଷକ ବି ତା’ ଭିତରେ ରଖିଥିଲା।

ପୋଖରୀ ପାଖରେ ଲୁଚାଇଥିଲା ମୃତଦେହ

ଅଭିଯୁକ୍ତ ଘର ପାଖରେ ଥିବା ପୋଖରୀ ନିକଟରେ ଏକ ବୁଦା ଭିତରେ ଆଣି ଶବକୁ ରଖିଥିଲା। ନିଜ ଘରୁ ଆଣି ଦୁଇଟି ନଡ଼ିଆ ବାହୁଙ୍ଗା ତା’ଉପରେ ପକାଇଥିଲା। ପରୀର ପ୍ୟାଣ୍ଟ ଘର ଭିତରେ ରହିଯାଇଥିବାରୁ ତାକୁ ନେଇ ପୁଣି ପୋଖରୀରେ ପକାଇଥିଲା।

ମଙ୍ଗଳବାର ଓଡ୍ରାଫ୍‌ ଟିମ୍‌ ସାହାଯ୍ୟରେ ସେହି ଗାଁର ପୋଖରୀକୁ ଶୁଖାଯାଉଛି। ପରୀର ପ୍ୟାଣ୍ଟ ପକାଇଥିବା ଅଭିଯୁକ୍ତ ଜଣକ ସ୍ୱୀକାର କରିଛନ୍ତି। ପର୍ଣ୍ଣୋଗ୍ରାଫି ଦେଖି ଅଭ୍ୟସ୍ତ ହୋଇଥିବାରୁ ସେ ଏଭଳି କାଣ୍ଡ ଭିଆଇଥିବା ଏସଆଇଟି ଆଗରେ ମାନିଛି ଅଭିଯୁକ୍ତ ନାବାଳକ।

ପର୍ଣ୍ଣ ଭିଡିଓ ଦେଖି ଜଘନ୍ୟ କାଣ୍ଡ

ସବୁଠୁ ଆଶ୍ଚର୍ଯ୍ୟର କଥା ନାବାଳକର ନିଜର ସ୍ମାର୍ଟ ଫୋନ୍‌ ନାହିଁ। ସେ ତା’ର ସାନ ଭଉଣୀର ଫୋନ୍‌ ଆଣି ରାତିରେ ଭିଡିଓ ଦେଖି ପୁଣି ଡିଲିଟ କରିଦିଏ। କିନ୍ତୁ ପରୀକୁ ହତ୍ୟା କରିବାର ପୂର୍ବ ଦିନ ପୂରା ରାତି ସେ ଭିଡିଓ ଦେଖିବା ପରେ ତା’ର ମାନସିକତାରେ ଏଭଳି ପରିବର୍ତ୍ତନ ହୋଇଥିବା କହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଅଭିଯୁକ୍ତ ଏହି କାଣ୍ଡ ଘଟାଇବା ପରେ ସେ ୨ ଜଣ ବ୍ୟକ୍ତିଙ୍କୁ ଘଟଣା ସମ୍ପର୍କରେ କହିଥିଲା। ସେମାନଙ୍କ ଭିତରୁ ଜଣେ ବ୍ୟକ୍ତି ଏହି କଥାକୁ ଭିଡିଓ ରେକର୍ଡିଂ କରିଦେଇଥିଲେ। ଏବେ ଏହି ଭିଡିଓକୁ କୋର୍ଟରେ ଉପସ୍ଥାପନ କରାଯିବ କହିଛନ୍ତି ଅରୁଣ ବୋଥ୍ରା।

‘‘ମୋର ଚାକରି କାଳ ଭିତରେ ଏହା ବିଭତ୍ସ ଘଟଣା। କିନ୍ତୁ ଏହି ଘଟଣାରେ ଆଉ କିଏ ସାମିଲ ଥିଲେ ଜାଣିବାକୁ ଏସଆଇଟି ଶେଷ ଯାଏଁ ଚେଷ୍ଟା କରିବ’’, କହିଛନ୍ତି ଅରୁଣ ବୋଥ୍ରା।

କାହିଁକି ସନ୍ଦେହ ଘେରକୁ ଆସିଲେ?

ପରୀ ମାମଲାରେ ଯେତେବେଳେ ଏସଆଇଟି ତଦନ୍ତ ଆରମ୍ଭ କରିଥିଲା। ସେତେବେଳେ ଗାଁର କିଛି ଲୋକଙ୍କୁ ଡାକି ପଲିଗ୍ରାଫ୍‌ ଟେଷ୍ଟ କରିବାକୁ କୁହାଯାଇଥିଲା। ସେତେବେଳେ ଏହି ନାବାଳକ ଜଣକ ପଲିଗ୍ରାଫ୍‌ ଟେଷ୍ଟ କରିବାକୁ ରାଜି ହେଲେନି। ସେଥିପାଇଁ ତାଙ୍କ ପ୍ରତି ସନ୍ଦେହ ବଢ଼ିଲା।

ପରୀ ହତ୍ୟା ମାମଲାରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଦେଇଥିବା ତଥ୍ୟକୁ ଖଣ୍ଡନ କରିଛନ୍ତି ପରୀର ବାପା ଅଶୋକ ସାହୁ। ଏସଆଇଟି ଦେଇଥିବା ତଥ୍ୟ ସମ୍ପୂର୍ଣ୍ଣ ମନଗଢ଼ା ବୋଲି ଅଶୋକ ସାହୁ କହିଛନ୍ତି।

Comment