ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା କାରଣରୁ ଏବେ କ୍ରିକେଟ ଜଗତ ମଧ୍ୟ ସଙ୍କଟରେ ପଡ଼ିଯାଇଛି। ବିଶେଷ କରି ଚଳିତବର୍ଷ ଶେଷଆଡ଼କୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଇସିସି ଟି-୨୦ ବିଶ୍ୱକପ୍ ଆୟୋଜନରେ କରୋନା ବଡ଼ ସଙ୍କଟ ସାଜି ଛିଡ଼ାହୋଇଛି।

୨୦୨୦ ମସିହା ଅକ୍ଟୋବର ଓ ନଭେମ୍ବର ମାସରେ ଅଷ୍ଟ୍ରେଲିଆରେ ଆଇସିସି ଟି-୨୦ ବିଶ୍ୱକପ୍ ଖେଳାଯିବାକୁ ଅଛି। ଅନ୍ୟପଟେ ବର୍ତ୍ତମାନ ସାରା ବିଶ୍ୱ କରୋନା କାରଣରୁ ଗଭୀର ସଙ୍କଟ ଦେଇ ଗତି କରୁଛି। ହଜାର ହଜାର ଲୋକ କରୋନାରେ ମୃତ୍ୟୁବରଣ କରୁଥିବାବେଳେ ଲକ୍ଷାଧିକ ଲୋକ ଆକ୍ରାନ୍ତ ଅଛନ୍ତି। ଏଭଳି ପରିସ୍ଥିତିରେ ବିଶ୍ୱକପ୍ ଆୟୋଜନ କରିବି ଠିକ୍ ହେବ ନାହିଁ ବୋଲି ଆଇସିସି ବିଚାର କରୁଛି।

ଏପଟେ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଭାରତ ଲକଡାଉନ୍ ହେବା କାରଣରୁ ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ୍ ଉପରେ କଳା ବାଦଲ ଘୋଟିଯାଇଛି। ଚଳିତବର୍ଷ ଆଇପିଏଲ୍ ଆୟୋଜନ ହେବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଏନେଇ ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ରାଜୀବ ଶୁକ୍ଲା ମଧ୍ୟ ସ୍ପଷ୍ଟ ସଙ୍କେତ ଦେଇସାରିଛନ୍ତି।

ଏହାପୂର୍ବରୁ କରୋନା କାରଣରୁ ଜୁଲାଇ ମାସରେ ହେବାକୁ ଥିବା ଟୋକିଓ ଅଲମ୍ପିକ୍ସକୁ ମଧ୍ୟ ଗୋଟିଏ ବର୍ଷ ଆଗକୁ ଘୁଞ୍ଚାଇ ଦିଆଯାଇଛି। ୱିଲିମଣ୍ଡନ ଟୁର୍ଣ୍ଣାମେଣ୍ଟକୁ ମଧ୍ୟ କରୋନା କାରଣରୁ ବାତିଲ୍ କରାଯାଇଛି। ବର୍ତ୍ତମାନ ଆଇସିସି ଟି-୨୦ ବିଶ୍ୱକପ୍ ଆୟୋଜନ ହେଉଛି କି ନାହିଁ ତାହି ହିଁ ଦେଖିବାକୁ ବାକି ରହିଛି।

Comment