ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କେରଳରେ ବଢୁଛି କରୋନା ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା। ଜାଣନ୍ତୁ କ’ଣ ପଦକ୍ଷେପ ନେଇଥିଲେ ସରକାର?
କରୋନା ଭାଇରସ୍ ସଂକ୍ରମଣରେ ଦେଶରେ ମହାରାଷ୍ଟ୍ର ପରେ କେରଳ ଦ୍ଵିତୀୟ ରାଜ୍ୟ ଥିଲା। ହେଲେ ବର୍ତ୍ତମାନ କେରଳରେ କରୋନା ପିଜିଟିଭ ହାର କମୁଛି। କେବଳ ପଜିଟିଭ ସଂଖ୍ୟା କମୁନି ଏଠାରେ ଅଧିକାଂଶ ରୋଗୀ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରୁଛନ୍ତି। କେରଳରେ ସୁସ୍ଥ ବ୍ୟକ୍ତିଙ୍କ ହାର ୫୬.୩ ପ୍ରତିଶତ ରହିଛି।
ବର୍ତ୍ତମାନ କେରଳରେ ପଜିଟିଭ ସଂଖ୍ୟା ୩୯୫ ରହିଥିବା ବେଳେ ୨୪୫ ଜଣ ସୁସ୍ଥ ହୋଇଛନ୍ତି ଓ ୩ ଜଣଙ୍କ ମୃତ୍ୟୁ ହୋଇଛି। ଯଦି କେରଳରେ କରୋନା ପଜିଟିଭ ମାମଲା ଏହିଭଳି ହ୍ରାସ ହେବାର ଲାଗିବ। ତେବେ କେରଳ କରୋନା ମହାମାରୀରୁ ବାହାରି ଥିବା ପ୍ରଥମ ରାଜ୍ୟ ହୋଇ ପାରିବ।
ତେବେ ଏହି ରିପୋର୍ଟକୁ ଦେଖିଲେ କେରଳର ସଫଳତା ବିଷୟରେ ଜାଣି ହେଉଛି। କରୋନାକୁ କିପରି ଜିତିଲା କେରଳ ଜାଣନ୍ତୁ।
ଦ୍ରୁତ ଅନୁସନ୍ଧାନ ଓ ପରୀକ୍ଷଣ
୩ ସପ୍ତାହ ପୂର୍ବରୁ କରୋନା ପିଜିଟିଭ ସଂଖ୍ୟା କେରଳରେ ସର୍ବାଧିକ ରହିଥିଲା। ଠିକ ସେହି ସମୟରେ ରାଜ୍ୟ ସଂକ୍ରମଣର ଅନୁସନ୍ଧାନ ଓ ପରୀକ୍ଷଣ କରିବା ଉପରେ ଅଧିକ ଗୁରୁତ୍ଵ ଦେଇଥିଲା। ଅନ୍ୟପକ୍ଷରେ କୁହାଯାଉଛି ଯେ କେରଳରେ ୧୨ରୁ ଅଧିକ ଲ୍ୟାବରେ ଦିନକୁ ୮୦୦ଟି ନମୁନା ପରୀକ୍ଷା କରାଯାଉଛି।

କେରଳରେ ପ୍ରଥମ ହୋଇଥିଲା ଲକ୍ଡାଉନ୍
କେନ୍ଦ୍ର ସରକାରଙ୍କ ଦେଶବ୍ୟାପୀ ତାଲାବନ୍ଦର ପୂର୍ବରୁ କେରଳରେ ଲକ୍ଡାଉନ ହୋଇଥିଲା। ଏହାପରେ ପଜିଟିଭ କେସ୍ଗୁଡ଼ିକୁ ଅନୁସନ୍ଧାନ କରାଯାଇଥିଲା। ବିଦେଶରୁ ଆସିଥିବା ଲୋକଙ୍କ ଟ୍ରାଭେଲ ହିଷ୍ଟ୍ରି ଉପରେ ଗୁରୁତ୍ଵ ଦିଆଯାଇଥିଲା। ଏହାସହ ରାଜ୍ୟର ସମସ୍ତ ଜିଲ୍ଲାରେ କୋଭିଡ୍-୧୯ କେୟାର ସେଣ୍ଟର ଖୋଲା ଯାଇଥିଲା।
ସ୍ଵାସ୍ଥ୍ୟ ବିଭାଗର ଅନେକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ
ପରୀକ୍ଷଣ ବ୍ୟତୀତ ସ୍ୱାସ୍ଥ୍ୟ କର୍ମୀମାନେ ରାଜ୍ୟରେ ବିଶେଷ ଆବଶ୍ୟକତା ଥିବା ଏବଂ ବୃଦ୍ଧ ବ୍ୟକ୍ତିଙ୍କ ସହଯୋଗରେ ବିଶେଷ ଧ୍ୟାନ ଦେଇଥିଲେ। ପରାମର୍ଶଦାତାମାନେ ୩,୪୦,୦୦୦ରୁ ଅଧିକ ଫୋନ୍ କଲ କରିଥିଲେ। ଚାପ ଏବଂ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ବୁଝାଇଥିଲେ। ସ୍ଥାନୀୟ ହେଲ୍ପଲାଇନ ଏବଂ ହ୍ଵାଟ୍ସ ଆପ୍ ଗ୍ରୁପ୍ ମାଧ୍ୟମରେ ଅନେକ ଗ୍ରାମାଞ୍ଚଳରେ ଲୋକଙ୍କ ସହ ସମ୍ପର୍କ ବଜାୟ ରଖିଥିଲା।
ମହାରାଷ୍ଟ୍ର ଅପେକ୍ଷା କେରଳ କେତେ ଭଲ?
ଲକ୍ଡାଉନ ପୂର୍ବରୁ ମହାରାଷ୍ଟ ଓ କେରଳର ସ୍ଥିତି ପ୍ରାୟ ସମାନ ରହିଥିଲା। ୨୬ ମାର୍ଚ୍ଚରେ ମହାରାଷ୍ଟ୍ରରେ ୧୨୨ ଓ କେରଳରେ ୧୨୦ ମାମଲା ରହିଥିଲା। ହେଲେ ବର୍ତ୍ତମାନ ମହାରାଷ୍ଟ୍ରରେ ୩ ହଜାର ୨୦୫ ମାମଲା ରହିଛି ଯାହା ଦେଶରେ ସର୍ବାଧିକ। ହେଲେ ୩୦୦ ଲୋକ ସୁସ୍ଥ ହୋଇଛନ୍ତି। ଯାହା କେରଳ ସୁସ୍ଥ ବ୍ୟକ୍ତିଙ୍କ ହାର ତୁଳନାରେ କମ୍।

















