ଓଡ଼ିଶାଲାଇଭ୍ ବ୍ୟୁରୋ

କିଛି ଦିନର ବ୍ୟବଧାନପରେ ପୁଣିଥରେ ଦେଖା ଦେଲାଣି କରୋନା ଆତଙ୍କ। ଦ୍ଵିତୀୟ ଲହର ପରେ ଏବେ ତୃତୀୟ ଲହର ଆଶଙ୍କା ସମସ୍ତଙ୍କୁ ଭୟଭୀତ କରିଛି। ଏହାରି ମଧ୍ୟରେ କେରଳରେ ଦେଖାଦେଇଛି ବିସ୍ଫୋରକ ପରିସ୍ଥିତି। ସ୍ଵାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁସାରେ ଗତ ୨୪ଘଣ୍ଟାରେ ସମଗ୍ର ଦେଶରୁ ୪୬ହଜାର ୧୬୪ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ କେବଳ କେରଳରୁ ୩୧ହଜାର ୪୪୫ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଏହି ରାଜ୍ୟରୁ ୨୧୫ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି।

ବର୍ତ୍ତମାନ କେରଳର କରୋନା ପରିସ୍ଥିତିକୁ ଦେଖି ଦେଶରେ ତୃତୀୟ ଲହରର ଆଶଙ୍କା ଦେଖା ଦେଲାଣି ବୋଲି ସ୍ଵାସ୍ଥ୍ୟ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ସେପଟେ ଅଗଷ୍ଟ ମାସରୁ ପାର୍ବଣ ରୁତୁ ଆରମ୍ଭକୁ ଦୃଷ୍ଟିରେ ରଖି ସବୁ ରାଜ୍ୟମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ ରାଜେଶ ଭୂଷଣ।ଓନାମ ପର୍ବ ପରେ ବଢ଼ିଛି ସଂକ୍ରମଣ

କେରଳରେ ବିସ୍ଫୋରକ ସ୍ଥିତି ପାଇଁ ଓନାମ ପର୍ବକୁ ଦାୟୀ କରାଯାଇଛି। ଏହି ପର୍ବ ହେଉଛି ସେମାନଙ୍କର ଜାତୀୟ ପର୍ବ। ଏହାକୁ ସେଠାରେ ଧୁମ୍ ଧାମରେ ପାଳନ କରାଯାଇଥାଏ। ନିକଟରେ ଅଗଷ୍ଟ ୨୧ ତାରିଖରେ ଓନାମ ପର୍ବ ପାଳନ କରାଯାଇଥିଲା। ଏହାପରଠାରୁ ସେଠାରେ ସଂକ୍ରମଣ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ପୂର୍ବରୁ ସେଠାରେ ଦୈନିକ ସଂକ୍ରମଣ ୧୫ରୁ ୨୦ ହଜାର ଭିତରେ ରହୁଥିବାବେଳେ ବର୍ତ୍ତମାନ ଏଥିରେ ବୃଦ୍ଧି ଘଟି ତାହା ୩୦ରୁ ୩୫ହଜାରରେ ପହଞ୍ଚିଛି।

ସଂକ୍ରମଣ ନିୟନ୍ତ୍ରଣରେ ରୋଲ ମଡେଲ ପାଲଟିଥିଲା କେରଳ

ଦେଶରେ କରୋନାର ପ୍ରଥମ ଓ ଦ୍ଵିତୀୟ ଲହର ସଂକ୍ରମଣ ନିୟନ୍ତ୍ରଣରେ କେରଳ ରାଜ୍ୟକୁ ରୋଲ ମଡେଲ ଭାବେ ଉଦାହରଣ ଦିଆଯାଉଥିଲା। କେରଳ ସରକାରଙ୍କ ସଠିକ୍ କୋଭିଡ୍ ପରିଚାଳନା ଯୋଗୁଁ ପ୍ରଥମେ ଏହି ରାଜ୍ୟକୁ କରୋନା ମୁକ୍ତ ରାଜ୍ୟ ଭାବେ ଘୋଷଣା କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସମୟରେ ଏଠାକାର ପରିସ୍ଥିତି ସମ୍ପୂର୍ଣ୍ଣ ରୂପେ ବିଗିଡ଼ି ଯାଇଛି। ସମ୍ଭାବ୍ୟ ତୃତୀୟ ଲହରର ଆଶଙ୍କା ଏହି ରାଜ୍ୟରୁ ଆରମ୍ଭ ହୋଇଛି ବୋଲି ବିଶେଷଜ୍ଞମାନଙ୍କ ମଧ୍ୟରେ ମତ ପ୍ରକାଶ ପାଉଛି।corona testକେରଳରୁ ଚିହ୍ନଟ ହୋଇଥିଲେ ଦେଶର ପ୍ରଥମ କରୋନା ରୋଗୀ

ଦେଶର ପ୍ରଥମ କରୋନା ସଂକ୍ରମିତ ଜଣଙ୍କ ଥିଲେ କେରଳର ଜଣେ ଯୁବତୀ। କରୋନାରେ ସଂକ୍ରମଣ ହେବା ସମୟରେ ସେ ଚୀନର ଉହାନ ବିଶ୍ଵ ବିଦ୍ୟାଳୟରେ ମେଡିକାଲ ପଢୁଥିଲେ। ୨୦୨୦ରେ ସେମିଷ୍ଟାର ସରିବାପରେ ସେ ଭାରତ ଆସିଥିଲେ। ଯେହେତୁ ସେ ଚୀନରୁ ଆସିଥିଲେ, ତେଣୁ ସେହି ସମୟରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ୨୦୨୦ ଜାନୁଆରି ୩୦ତାରିଖରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା। ଯୁବତୀଙ୍କ ପୂର୍ବରୁ ଦେଶର କୌଣସି ବି ରାଜ୍ୟରେ ପଜିଟିଭ୍ ଚିହ୍ନଟ ହୋଇନଥିଲା। ତେଣୁ ତାଙ୍କୁ ଭାରତର ପ୍ରଥମ କରୋନା ପଜିଟିଭ୍ ବୋଲି କୁହାଯାଇଥିଲା। ତେବେ ସେ ପୁଣିଥରେ ୧୪ ଜୁଲାଇ ୨୦୨୧ ଦ୍ଵିତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଥିଲେ।

ବର୍ତ୍ତମାନ ଓଡ଼ିଶାର କରୋନା ସ୍ଥିତି

ସରକାରୀ ତଥ୍ୟ ଅନୁସାରେ ଓଡ଼ିଶାର କରୋନା ସ୍ଥିତି ଚିନ୍ତାଜନକ ନଥିବାବେଳେ କରୋନା ଜନିତ ମୃତ୍ୟୁ ଓ ୧୮ ବର୍ଷରୁ କମ୍ ବର୍ଗର ବୟସ୍କଙ୍କୁ ନେଇ ବଢ଼ିଛି ଚିନ୍ତା। ଏବେ ରାଜ୍ୟରେ ଦୈନିକ ସଂକ୍ରମଣ ହାର ହଜାରେ ତଳକୁ ରହିଛି। କିନ୍ତୁ ସେମାନଙ୍କ ମଧ୍ୟରେ ୦-୧୮ ବର୍ଷ ବୟସ୍କଙ୍କ ସଂଖ୍ୟା ଶହେରୁ ଅଧିକ ରହିଛି। ଏହି ବର୍ଗର ପିଲାମାନେ ଟିକା ନେଇନଥିବାରୁ ସଂକ୍ରମଣର ଆଶଙ୍କା ଅଧିକ ରହିଛି। ତେବେ ଖୁବଶୀଘ୍ର ଏମାନଙ୍କୁ ଟିକାକରଣ କରାଯିବା ନେଇ ସ୍ଵାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ମିଳିଛି।

ଅନ୍ୟପଟେ କରୋନା ଜନିତ ମୃତ୍ୟୁ ସଂଖ୍ୟା କମିବାରେ ନାଁ ଧରୁନାହିଁ। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ପ୍ରତିଦିନ ୬୦ରୁ ଅଧିକ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହେଉଛି। ଏଥିସହ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଜନିତ ସଂକ୍ରମିତ ସଂଖ୍ୟା ୧୦ଲକ୍ଷ ୪ହଜାର ୫୯କୁ ବୃଦ୍ଧି ପାଇଛି ଏବଂ ୮ହଜାର ୨୮୮ ଆକ୍ଟିମ କେସ୍ ରହିଛି।

Comment